ETV Bharat / bharat

‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା - Jaishankar on Nijjar killing case

author img

By ETV Bharat Odisha Team

Published : May 13, 2024, 5:52 PM IST

Nijjar killing case: ଭାରତର ସମ୍ପୃକ୍ତି ଥିଲେ ତଦନ୍ତ ପାଇଁ ପ୍ରସ୍ତୁତ । କିନ୍ତୁ କାନାଡା ଠାରୁ କୌଣସି ପ୍ରମାଣ ଗ୍ରହଣ କରିନି ନୂଆଦିଲ୍ଲୀ । ନିର୍ବାଚନ ପ୍ରକ୍ରିୟା ମଧ୍ୟରେ କାନାଡାର ଅଭିଯୋଗରେ ସ୍ପଷ୍ଟୀକରଣ ରଖିଲେ ବିଦେଶ ମନ୍ତ୍ରୀ ଜୟଶଙ୍କର । ଅଧିକ ପଢନ୍ତୁ

‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା
‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା (PIC- ETV Bharat Odsiaha)

ମୁମ୍ବାଇ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ସମ୍ପର୍କରେ କାନାଡାଠାରୁ ନୂଆଦିଲ୍ଲୀ କୌଣସି ପ୍ରମାଣ ଏପର୍ଯ୍ୟନ୍ତ ଗ୍ରହଣ କରିନି । କାନାଡାରେ ଏହି ହତ୍ୟାକାଣ୍ଡରେ ଏକାଧିକ ଭାରତୀୟ ଯୁବକ ଗିରଫ ହୋଇଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଥିବା ବେଳେ ବିଦେଶ ମନ୍ତ୍ରୀ ଜୟଶଙ୍କର ଏହି ସ୍ପଷ୍ଟୀକରଣ ରଖିଛନ୍ତି । ଏବେ ସୁଦ୍ଧା ଭାରତକୁ କୌଣସି ପ୍ରମାଣ କାନାଡା ପକ୍ଷରୁ ଦିଆଯାଇନି । ଯଦି ଭାରତୀୟ ଏଜେନ୍ସିର ସମ୍ପୃକ୍ତି ଥିବା ପ୍ରମାଣ ମିଳେ, ତେବେ ଭାରତରେ ମାମଲାର ତଦନ୍ତ ହେବା ପାଇଁ ପ୍ରକ୍ରିୟା ମୁକ୍ତ ଅଛି ବୋଲି ଜୟଶଙ୍କର କହିଛନ୍ତି ।

ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି,‘‘ମୁଁ ମଧ୍ୟ ଏହି ମାମଲାରେ ଅନ୍ୟ ଜଣେ ଗିରଫ କରାଯାଇଥିବା ଖବର ଗଣମାଧ୍ୟମରୁ ଜାଣିବାକୁ ପାଇଛି । ଯଦି ସେହି ବ୍ୟକ୍ତି ଜଣେ ଭାରତୀୟ ନାଗରିକ, ତେବେ ଦ୍ବିପାକ୍ଷିକ ପ୍ରକ୍ରିୟା ମାଧ୍ୟମରେ ଭାରତୀୟ ଦୂତାବାସକୁ ଅବଗତ କରିବା କଥା । ହେଲେ ଏହା ପୂର୍ବରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି । ଯଦି କାନାଡାରେ ଘଟିଥିବା କୌଣସି ହିଂସା ସହ ଭାରତର ସମ୍ପୃକ୍ତି ଅଛି, କିମ୍ବା ଭାରତରେ ତଦନ୍ତ ହେବାର ଆବଶ୍ୟକତା ଥାଏ, ତେବେ ଭାରତ ଏଥିପାଇଁ ପ୍ରସ୍ତୁତ । ମାତ୍ର ଏହି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କାନାଡା କୌଣସି ପ୍ରମାଣ ହସ୍ତାନ୍ତର କରିନି ।’’

ଏହା ମଧ୍ୟ ପଢନ୍ତୁ:- ହେମନ୍ତଙ୍କୁ ମିଳିଲାନି ନିସ୍ତାର, ଅନ୍ତରୀଣ ବେଲ ପାଇଁ ମନା କଲେ ସୁପ୍ରିମକୋର୍ଟ - Hemant Soren Bail petition

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିଜ୍ଜାର ହତ୍ୟା ମାମଲାରେ ଏବେ ସୁଦ୍ଧା 4ରୁ ଅଧିକ ଅଭିଯୁକ୍ତଙ୍କୁ କାନାଡା ପୋଲିସ ଗିରଫ କରିସାରିଛି । ସେମାନେ ଭାରତୀୟ ବୋଲି ମଧ୍ୟ କାନାଡା ବାରମ୍ବାର କହୁଛି । ମାତ୍ର ଭାରତୀୟ ନାଗରିକଙ୍କର ହତ୍ୟାକାଣ୍ଡରେ ସମ୍ପୃକ୍ତ ସମ୍ପର୍କରେ କାନାଡା ଏପର୍ଯ୍ୟନ୍ତ କୌଣସି ପ୍ରମାଣ ନୂଆଦିଲ୍ଲୀକୁ ହସ୍ତଗତ କରିନି । ପୂର୍ବରୁ ବିଦେଶ ମନ୍ତ୍ରଣାଳୟ ଏହି ହତ୍ୟାକାଣ୍ଡ ଓ ଏହାର କାର୍ଯ୍ୟାନୁଷ୍ଠାନ କାନାଡାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି କହିସାରିଛି । ଏବେ ଏହି ପ୍ରସଙ୍ଗରେ ସିଧା ବିଦେଶ ମନ୍ତ୍ରୀଙ୍କ ବୟାନ ସାମ୍ନାକୁ ଆସିଛି । ଭାରତ ସମସ୍ତ ତଦନ୍ତ କରିବା ପାଇଁ ପ୍ରସ୍ତୁତ, କିନ୍ତୁ ଯଦି ଭାରତ କିମ୍ବା ଭାରତୀୟଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳେ । କିନ୍ତୁ କାନାଡା ଏପର୍ଯ୍ୟନ୍ତ ନିଜ୍ଜାର ହତ୍ୟାକାଣ୍ଡ ସମ୍ପର୍କିତ କୌଣସି ପ୍ରମାଣ ନୂଆଦିଲ୍ଲୀକୁ ହସ୍ତାନ୍ତର କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.