ETV Bharat / bharat

ଜଳଦସ୍ୟୁଙ୍କ କବଳରୁ ଇରାନ ଜାହାଜକୁ ମୁକ୍ତ କଲା ଭାରତୀୟ ନୌସେନା, ୨୩ ପାକିସ୍ତାନୀ ଉଦ୍ଧାର - Iranian Fishing Vessel Hijack

author img

By ETV Bharat Odisha Team

Published : Mar 30, 2024, 7:36 AM IST

Indian Navy Rescues Hijacked Iranian Vessel: ଆରବ ସାଗରରେ ଅପହୃତ ଇରାନର ଏକ ମାଛଧରା ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା । ଜାହାଜରୁ ୨୩ ପାକିସ୍ତାନୀ କ୍ରୁ ମେମ୍ବର ସୁରକ୍ଷିତ ଉଦ୍ଧାର । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଅଥଳ ସମୁଦ୍ରରେ ପୁଣିଥରେ ନିଜର ଶୌର୍ଯ୍ୟ ଦେଖାଇଛି ଭାରତୀୟ ନୌସେନା । ଆରବ ସାଗରରେ ଅପହରଣ ହୋଇଥିବା ଆଉ ଗୋଟିଏ ଇରାନୀୟ ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି । ଏହା ଏକ ମାଛଧରା ଜାହାଜ ହୋଇଥିବା ବେଳେ ୯ ଜଣ ସଶସ୍ତ୍ର ଜଳଦସ୍ୟୁ ଏହାକୁ ଅପହରଣ କରିନେଇଥିଲେ । ଦୀର୍ଘ ୧୨ ଘଣ୍ଟାର ବଡ଼ ଅପରେସନ ପରେ ସାମୁଦ୍ରିକ ଲୁଟେରାଙ୍କୁ ମାତ୍ ଦେଇ ଜାହାଜ ସମେତ ସମସ୍ତ କ୍ରୁ ମେମ୍ବରକୁ ମୁକ୍ତ କରିଛି ଭାରତୀୟ ନୌସେନା । ଜାହାଜରେ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବର ଥିବାବେଳେ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ନୌସେନା ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଗତ ୨୮ ତାରିଖ ବିଳମ୍ବିତ ରାତିରେ ସାକ୍ରୋଟା ଠାରୁ ୯୦ ସାମୁଦ୍ରିକ ମାଇଲ ଦୂର ଦକ୍ଷିଣ ପଶ୍ଚିମରେ ଇରାନର ଅଲ୍-କମ୍ବର ନାମକ ଏକ ମାଛଧରା ଜାହଜକୁ ୯ ଜଣ ସଶସ୍ତ୍ର ସାମୁଦ୍ରିକ ଲୁଟେରା ବା ଜଳଦସ୍ୟୁମାନେ ହାଇଜାକ କରିନେଇଥିଲେ । ଏହି ଅପହୃତ ଜାହାଜକୁ ଉଦ୍ଧାର କରିବାକୁ ଇରାନର ସୂଚନା କ୍ରମେ ଶୁକ୍ରବାର ଭୋର୍‌ରୁ ଭାରତୀୟ ନୌସେନା ବଡ଼ ଅପରେସନ ଆରମ୍ଭ କରିଥିଲା । ଜାହାଜକୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିବାକୁ ଆରବ ସାଗରରେ ସାମୁଦ୍ରିକ ସୁରକ୍ଷା ପାଇଁ ମୁତୟନ ଥିବା ଦୁଇଟି ଭାରତୀୟ ନୌସେନା ଜାହାଜକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଆରବ ସାଗରରେ ଜଳଦସ୍ୟୁଙ୍କ କବଳରୁ ଜାହାଜ ଉଦ୍ଧାର ଭିଡିଓ ସେୟାର କଲା ନୌସେନା

ଭାରତୀୟ ନୌସେନା ଜାହାଜ ଆଇଏନଏସ ସୁମେଧା ଅପହୃତ ଜାହାଜକୁ ଅଟକାଇଥିଲା ଏବଂ ପରେ ଏହି ଅପରେସନରେ ଗାଇଡ୍ ମିସାଇଲ ଫ୍ରିଗେଟ ଆଇଏନଏସ ତ୍ରିଶୂଳ ସାମିଲ ହୋଇଥିଲା । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଅପରେସନ ପରେ ଶେଷରେ ଅପହୃତ ଜାହାଜରେ ଥିବା ଜଳଦସ୍ୟୁମାନେ ଭାରତୀୟ ନୌସେନା ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ । ନୌସେନା ଅପହୃତ ଇରାନୀୟ ଜାହାଜକୁ ମୁକ୍ତ କରିବା ସହ ଏଥିରେ ଥିବା ୨୩ ଜଣ ପାକିସ୍ତାନୀ ଚାଳକ ଦଳ ବା କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା । ଆରବ ସାଗରରେ ଅନେକ ସମୟରେ ବିଭିନ୍ନ ଦେଶର ପରିବହନ ଜାହାଜଗୁଡିକୁ ଜଳଦସ୍ୟୁମାନେ ଅପହରଣ କରୁଥିବାର ଖବର ଆସୁଛି ଏବଂ ପ୍ରତିଥର ଭାରତୀୟ ନୌସେନା ନିଜର ଶୌର୍ଯ୍ୟ ଦେଖାଇ ଜଳଦସ୍ୟୁଙ୍କୁ କବଳରୁ ଅପହୃତ ଜାହାଜକୁ ଉଦ୍ଧାର କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.