ETV Bharat / bharat

ମୃତ୍ୟୁ ପରେ ବି ହାତକୁ ଦି ହାତ ହୁଅନ୍ତି ପୁଅ ଝିଅ ! - Ghost Groom for Dead Bride

author img

By ETV Bharat Odisha Team

Published : May 26, 2024, 9:09 PM IST

Ghost Groom for Dead Bride: ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ହେଉଛି 'ଭୂତ ବିବାହ' । ମୃତ୍ୟୁ ପରେ ପୁଅ-ଝିଅଙ୍କ ବିବାହ କରାଯିବାର ପରମ୍ପରା ରହିଛି । ଅଧିକ ପଢନ୍ତୁ

Pretha Maduve
Pretha Maduve (ETV Bharat)

ଲେଖକ:-ବିଲାଲ ଭଟ୍ଟ ଏବଂ ନିଶାର ଧର୍ମା

ହାଇଦ୍ରାବାଦ: ଯେତେବେଳେ ପ୍ରିୟଜନଙ୍କର ମୃତ୍ୟୁ ହୁଏ, ପରିବାରଲୋକେ ଦୁଃଖ ପ୍ରକାଶ କରନ୍ତି । ପ୍ରିୟଜନଙ୍କ ମୃତ୍ୟୁରେ ଶୋକ କରିବା ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ପରମ୍ପରା ଭିନ୍ନ ଭିନ୍ନ ରହିଥାଏ । ଏନେଇ ବିଭିନ୍ନ ସମ୍ପ୍ରଦାୟ ଭିନ୍ନ ଭିନ୍ନ ନିୟମ ପାଳନ କରନ୍ତି । ହିମାଳୟ ହେଉଛି ଏହାର ଏକ ଉଦାହରଣ । ହିମାଳୟର କିଛି ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ କରିବାର ଏକ ଭିନ୍ନ ପ୍ରଥା ରହିଛି । ଯେତେବେଳେ ଜଣେ 20 ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୁଏ, ସେତେବେଳେ ଲୋକମାନେ ମୃତକଙ୍କୁ ବର ବୋଲି ସମ୍ବୋଧନ କରନ୍ତି । ଖୁବ ଜୋରରେ ଡାକିବା ସହ କାନ୍ଦିବାର ପରମ୍ପରା ରହିଛି । ସେହିଭଳି ଯୁବତୀଙ୍କ ମୃତ୍ୟୁ ହେଲେ ତାଙ୍କୁ କନ୍ୟା ବୋଲି ସମ୍ବୋଧନ କରାଯାଏ । କାରଣ କମ୍ ବୟସରେ ଦେହାନ୍ତ ହେଉଥିବାରୁ ସେମାନେ ବିବାହ କରିପାରିନଥିଲେ ପିତାମାତାଙ୍କ ଇଚ୍ଛା ଅସମ୍ପୂର୍ଣ୍ଣ ରହିଥାଏ । ତେଣୁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି ।

ମୃତ୍ୟୁ ପରେ ବିବାହର ଏକ ଅଦ୍ଭୁତ ପରମ୍ପରା:

କର୍ଣ୍ଣାଟକ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳର କିଛି ସମ୍ପ୍ରଦାୟ ମଧ୍ୟ ଏହିପରି ପରମ୍ପରା ପାଳନ କରନ୍ତି । ଯଦି ସନ୍ତାନଙ୍କ ବିବାହ ପୂର୍ବରୁ ଦେହାନ୍ତ ହୋଇଯାଏ, ତେବେ ମୃତ୍ୟୁ ପରେ ବି ବିବାହର ଆୟୋଜନ ହୁଏ । 'ବିବାହ ସ୍ବର୍ଗରେ ସ୍ଥିର ହୋଇଛି ଏବଂ ପୃଥିବୀରେ ସମ୍ପନ୍ନ ହେବ' ଏହି ଧାରଣା କେରଳ ଏବଂ କର୍ଣ୍ଣାଟକର ଏହି ଉପକୂଳ ସମ୍ପ୍ରଦାୟର ଲୋକେ କାହିଁ କେଉଁ କାଳରୁ ପାଳନ କରିଆସୁଛନ୍ତି । ଏହି ପରମ୍ପରା ଅନୁସାରେ, ଜଣେ ମୃତ ପୁରୁଷ ଏବଂ ସ୍ତ୍ରୀ ପରବର୍ତ୍ତୀ ଜୀବନରେ ବିବାହ କରନ୍ତି (life after death) ।

ଏହି ସମ୍ପ୍ରଦାୟର ଲୋକେ ବିଶ୍ବାସ କରନ୍ତି ଯେ, ବିବାହ ବିନା କେହି ମୃତ୍ୟୁବରଣ ଉଚିତ ନୁହେଁ । ତେଣୁ ସେମାନେ ମୃତ୍ୟୁ ପରେ ସେମାନେ ନିଜ ପିଲାମାନଙ୍କୁ ବିବାହ କରାଇବାକୁ ଚାହାନ୍ତି । ଏହି ଅଞ୍ଚଳରେ ବିବାହ ସମାରୋହ ଖୁବ ସମ୍ମାନିତ ଭାବେ ବିବେଚନା କରାଯାଏ । ତେଣୁ ମୃତକମାନେ ବିବାହ କାର୍ଯ୍ୟକ୍ରମର ଏକ ଅଂଶ ସାଜିଥାନ୍ତି ।

ମୃତ ସନ୍ତାନ ପାଇଁ ସାଥୀ ଖୋଜିବା:

ମୃତ ବ୍ୟକ୍ତିଙ୍କୁ ବିବାହ କରିବା ଏକ ପରମ୍ପରାରେ ପରିଣତ ହୋଇଛି । ଯେଉଁ ପରିବାର ଅଳ୍ପ ବୟସରେ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନେ ପ୍ରତ୍ୟେକ ରୀତିନୀତି ପାଳନ କରନ୍ତି, ଯାହା ମୃତ ବ୍ୟକ୍ତି ବଞ୍ଚିଥିଲେ ହୋଇଥାନ୍ତା । 'ପ୍ରେଥା ମଡୁୱେ' (ଭୂତ ବିବାହ)ର ପ୍ରଥା ମାଧ୍ୟମରେ ଏକ ସମ୍ପର୍କ ସ୍ଥାପନ କରାଯାଏ । ଆତ୍ମାକୁ ଶାନ୍ତ କରିବା ପାଇଁ ସେମାନେ ମୃତକଙ୍କ ଏକ ଅଜବ ବିବାହ କରନ୍ତି । ସେମାନଙ୍କର ବିଶ୍ବାସ ରହିଛି ଯେ, ଅବିବାହିତ ଆତ୍ମା ​​ବିବାହ ପାଇଁ ବର୍ଷ ବର୍ଷ ଧରି ଘୁରିବୁଲନ୍ତି ଏବଂ ମୃତକ ମାନେ ନିଜ ପରିବାରକୁ ସ୍ବପ୍ନ ମାଧ୍ୟମରେ ବାରମ୍ବାର ମନେ ପକାନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ପ୍ରକାଶ ପାଇଥିବା ଏକ ବିଜ୍ଞାପନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ପିତାମାତାମାନେ ନିଜ ପୁଅ କିମ୍ବା ଝିଅ ପାଇଁ ଉପଯୁକ୍ତ ସାଥୀ ଖୋଜିବା 'ମ୍ୟାଚ ମେକିଂ' ସୁବିଧା ଖୋଜିଥିଲେ । ନିଜ ମୃତ କନ୍ୟା ସନ୍ତାନ ପାଇଁ ଦୀର୍ଘ ଦିନ ଧରି ଉପଯୁକ୍ତ ବରପାତ୍ର ଖୋଜୁଥିବା ନେଇ ବିଜ୍ଞାପନରେ ଉଲ୍ଲେଖ ରହିଥିଲା ।

କିପରି ପାଳନ ହୁଏ 'ପ୍ରେଥା ମଡୁୱେ' ପରମ୍ପରା:

ଭୂତ ବିବାହ ଆୟୋଜନ କରୁଥିବା ପରିବାରର କହିବା ଅନୁସାରେ, ମୃତ ସନ୍ତାନଙ୍କ ବିବାହ କରାଇବା ଅର୍ଥ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ । ଏହି ବିବାହ ପଣ୍ଡିତଙ୍କ ଦ୍ବାରା କରାଯାଏ । ଧାର୍ମିକ ଅନୁଷ୍ଠାନରେ ଅଗ୍ନି ସଂଯୋଗ କରାଯାଇ ମନ୍ତ୍ରପାଠ କରାଯାଏ । ଏଥିରେ ବର ଓ କନ୍ୟା ଭାବେ ୨ଟି ବାସନ ରଖାଯାଏ । କନ୍ୟା ଭାବେ ଥିବା ବାସନକୁ ସୁସଜ୍ଜିତ କରାଯାଇ ସେଥିରେ ସିନ୍ଦୁର ଲଗାଯାଏ । ବିଶେଷ କରି ମୃତକଙ୍କ ଭାଇ ଭଉଣୀମାନେ ଏହି ସବୁ ବିବାହର ଆୟୋଜନ କରାଇଥାନ୍ତି । ବାସନଟିକୁ ନୂଆବୋହୂ ଭାବେ ସଜାଯାଇଥାଏ । ଶାଢୀ, ଚୁଡ଼ି ଓ ମୁଦି ପିନ୍ଧାଯାଏ । ସେହିପରି ବର ବେଶରେ ଥିବା ବାସନକୁ କଳା ମୋତିରେ ସଜାଯାଇଥାଏ ।

ଖାଲି ସେତିକି ନୁହେଁ, ଏହି ବିବାହ ଉତ୍ସବ ଖୁବ ଧୁମଧାମରେ ପାଳନ ହୋଇଥାଏ । ଉପସ୍ଥିତ ଅତିଥି, ବନ୍ଧୁ ପରିଜନଙ୍କୁ କଦଳୀ ପତ୍ରରେ ସୁସ୍ବାଦୁ ଭୋଜନ ପରସାଯାଏ । ଏହି ବିବାହ ବର ଘରେ ଅନୁଷ୍ଠିତ ହେଉଥିବାବେଳେ କନ୍ୟା ବରଘରକୁ ଆସିଯାଏ । ଏହିପରିଭାବେ ଉଭୟ ବର ଓ କନ୍ୟା ପକ୍ଷ ପରିବାରଙ୍କ ମଧ୍ୟରେ ଏକ ସମ୍ପର୍କ ଗଢି ଉଠେ । ଆଉ ପରବର୍ତ୍ତୀ ସମୟରେ ଉଭୟ ପରିବାର ପିଲାମାନଙ୍କୁ ଦେଖିବା ପାଇଁ ପରସ୍ପରର ଘରକୁ ଯିବା ଆସିବା ମଧ୍ୟ କରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.