ETV Bharat / bharat

ସିସୋଦିଆଙ୍କୁ ବଡ ଆଶ୍ୱସ୍ତି, ଏଣିକି ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ

author img

By ETV Bharat Odisha Team

Published : Feb 5, 2024, 9:45 PM IST

Manish Sisodia: ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିବେ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ମନୀଷ ସିସୋଦିଆ । ଅଧିକ ପଢନ୍ତୁ

ସିସୋଦିଆଙ୍କୁ ବଡ ଆଶ୍ବସ୍ତି, ଏଣିକି ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ
ସିସୋଦିଆଙ୍କୁ ବଡ ଆଶ୍ବସ୍ତି, ଏଣିକି ସପ୍ତାହରେ ଥରେ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ‘ଆପ’ ନେତା ମନୀଷ ସିସୋଦିଆଙ୍କୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଏବେ ପ୍ରତି ସପ୍ତାହରେ ସେ ଥରେ ଲେଖାଏଁ ନିଜ ଅସୁସ୍ଥ ପତ୍ନୀଙ୍କୁ ଭେଟିପାରିବେ । ଆଜି ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଏହି ଅନୁମତି ଦେଇଛନ୍ତି । କଷ୍ଟଡି ପାରୋଲରେ ସେ ପ୍ରତି ସପ୍ତାହରେ ଥରେ ପତ୍ନୀଙ୍କୁ ଭେଟିବା ପାଇଁ ହସ୍ପିଟାଲ କିମ୍ବା ଘରକୁ ଆସିପାରିବେ । ଦିଲ୍ଲୀ ପୋଲିସ ଏଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବ ବୋଲି କୋର୍ଟ କହିଛନ୍ତି ।

ନିଜ ସ୍ତ୍ରୀ ଦୀର୍ଘମାସ ଧରି ଅସୁସ୍ଥ ଥିବାରୁ ତାଙ୍କୁ ସପ୍ତାହରେ ଦୁଇଥର ସାକ୍ଷାତ କରିବାକୁ ଅନୁମତି ଦେବା ପାଇଁ ଏହି ଆବେଦନ ସିସୋଦିଆଙ୍କ ପକ୍ଷରୁ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ରାଉଜ ଆଭିନ୍ୟୁ କୋର୍ଟର ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ପତ୍ନୀଙ୍କୁ ଭେଟିବାକୁ ଏହି ଅନୁମତି ସହ କୋର୍ଟ ଫେବୃଆରୀ 12ରେ ସିସୋଦିଆଙ୍କ ନିୟମିତ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ପୂର୍ବ ବିଚାର ବିଭାଗୀୟ ଜେଲ ଅବଧି ଶେଷ ହେବା ପରେ ତାଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ଆଜି ମଧ୍ୟ ତାଙ୍କ ନ୍ୟାୟିକ ହାଜତ ଅବଧି 22 ତାରିଖ ଯାଏ ବୃଦ୍ଧି କରାଯାଇଛି । ହେଲେ 12 ତାରିଖରେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ :- ‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ 26 ଫେବୃଆରୀ 2023ରେ ସିବିଆଇ ଗିରଫ କରିଥିଲା । ଗିରଫଦାରୀ ପୂର୍ବରୁ 2022 ମସିହା ନଭେମ୍ବର 25 ତାରିଖରେ ତାଙ୍କ ବିରୋଧରେ ଅନ୍ତରୀଣ ଚାର୍ଜସିଟ ଦାଖଲ କରିଥିଲା କେନ୍ଦ୍ରୀୟ ସଂସ୍ଥା । ଭାରତୀୟ ଦଣ୍ଡବିଧି ଆଇନର ଧାରା 120-ବି ଓ ଦୁର୍ନୀତି ନିବାରଣ ଆଇନର ଧାରା-7, 7-A ଓ 8 ଅନୁସାରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ପ୍ରଥମେ ସିବିଆଇ ଗିରଫ କରିବା ପରେ ଜେଲରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ଗିରଫ କରିଥିଲା । ସେବେଠାରୁ ସେ ଜାମିନ ପାଇବାରେ ସଫଳ ହୋଇନାହନ୍ତି । ଏହି ମାମଲାରେ ପରେ ଦଳର ସାଂସଦ ସଞ୍ଜୟ ସିଂ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମଧ୍ୟ ଜେରା ପାଇଁ ବାରମ୍ବାର ଡାକିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.