ETV Bharat / bharat

ରାୟବରେଲୀରୁ ନାମାଙ୍କନ ଭରିଲେ ରାହୁଲ, ମା’ଙ୍କ ଆସନରୁ ଲଢ଼ିବେ ନିର୍ବାଚନ - Rahul Gandhi files nomination

author img

By ETV Bharat Odisha Team

Published : May 3, 2024, 2:27 PM IST

Updated : May 3, 2024, 3:53 PM IST

Rahul Gandhi files nomination: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ରାୟବରେଲୀ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମାଙ୍କ ଆସନରୁ ଭାଗ୍ୟ ପରୀକ୍ଷା କରିବେ ରାହୁଲ । ଅଧିକ ପଢନ୍ତୁ

Rahul Gandhi files nomination
Rahul Gandhi files nomination (ANI)

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଆସନ ରାୟବରେଲୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅନ୍ୟପଟେ ରାୟବରେଲୀରେ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ସହ ନାମାଙ୍କନ ଭରିଛନ୍ତି । ରାହୁଲ ଗାନ୍ଧୀ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ମା ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କ ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ରାୟବରେଲୀରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ଦେଖିବାକୁ ମିଳିବ । ପଞ୍ଚମ ପର୍ଯ୍ୟାୟରେ ଅର୍ଥାତ ଆସନ୍ତା 20 ତାରିଖରେ ଏହି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । 2019ରେ ମଧ୍ୟ ଦୀନେଶ ସମାନ ଆସନରୁ ପ୍ରତିଦ୍ବନ୍ଦିତା କରିଥିଲେ ।

କଂଗ୍ରେସ ଶୁକ୍ରବାର ସକାଳେ ରାୟବରେଲୀ ଏବଂ ଆମେଠୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ରାହୁଲ ଗାନ୍ଧୀଙ୍କୁ ରାୟବରେଲୀରୁ ଟିକେଟ ଦେଇଥିବା ବେଳେ ଗାନ୍ଧୀ ପରିବାରର ଗଡ କୁହାଯାଉଥିବା ଆମେଠୀ ସିଟ୍ ପାଇଁ କିଶୋରୀ ଲାଲ ଶର୍ମାଙ୍କୁ ଟିକେଟ ଦେଇଛି ଦଳ । ରାୟବରେଲୀରୁ ସୋନିଆ ଗାନ୍ଧୀ ସାଂସଦ ରହିଥିଲେ । ତେବେ ବର୍ତ୍ତମାନ ସେ ରାଜ୍ୟସଭା ଯିବା ଫଳରେ ସିଟ୍ ଖାଲି ପଡିଥିଲା । 2019 ମସିହାରେ ରାୟବରେଲୀ ଆସନ କଂଗ୍ରେସ ଖାତାକୁ ଯାଇଥିଲା । କିନ୍ତୁ ରାହୁଲଙ୍କୁ ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଆମେଠୀ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ନାମାଙ୍କନ ପୂର୍ବରୁ ସୋନିଆ ଗାନ୍ଧୀଙ୍କ ଏକ ଫଟୋ ମଧ୍ୟ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା । ଏହାର କ୍ୟାପ୍ସନରେ ଲେଖାଯାଇଥିଲା 'ନମସ୍ତେ ରାୟବରେଲୀ' ।

Rahul Gandhi files nomination
Rahul Gandhi files nomination (@INCIndia)

ଏହା ମଧ୍ୟ ପଢନ୍ତୁ: ରାୟବରେଲୀରୁ ଲଢ଼ିବେ ରାହୁଲ ଗାନ୍ଧୀ: ନାମାଙ୍କନ ପାଇଁ ପହଞ୍ଚିଲେ, ସାଥିରେ ସୋନିଆ-ପ୍ରିୟଙ୍କା - Lok Sabha Election 2024

ରାୟବରେଲୀ ସହିତ ୱାୟନାଡରୁ ପ୍ରତିଦ୍ବନ୍ଦୀତା କରୁଛନ୍ତି ରାହୁଲ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାୟବରେଲୀ ସହିତ କେରଳର ୱାୟନାଡରୁ ପ୍ରତିଦ୍ବନ୍ଦୀତା କରୁଛନ୍ତି । ଚଳିତ ନିର୍ବାଚନରେ ଦୁଇଟି ଆସନରୁ ଲଢୁଛନ୍ତି ରାହୁଲ । ଗତଥର ମଧ୍ୟ ସେ ଆମେଠୀ ସହିତ ୱାୟନାଡରୁ ଲଢିଥିଲେ । କିନ୍ତୁ ଆମେଠୀରୁ ତାଙ୍କୁ ପ୍ରାୟ 50 ହଜାର ଭୋଟରେ ହାରିବାକୁ ପଡିଥିଲା । କିନ୍ତୁ ୱାୟନାଡରୁ ବମ୍ପର ଭୋଟରେ ବିଜୟ ହୋଇ ସଂସଦ ଯାଇଥିଲେ । ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଓ୍ବାୟନାଡ ଆସନ ପାଇଁ ମତଦାନ ଶେଷ ହୋଇଛି । ଏହି ଆସନ ରାହୁଲଙ୍କ ପଟରେ ରହିବା ନେଇ ଚର୍ଚ୍ଚା ହେଉଛି । ଜୁନ 4 ତାରିଖରେ ଫଳାଫଳ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ।

sonia gandhi
sonia gandhi (@INCIndia)

ଆଜି ସକାଳେ ରାହୁଲ ଗାନ୍ଧୀ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଫୁରସତଗଞ୍ଜ ପହଞ୍ଚିଥିଲେ । ସେଠାରୁ ଆମେଠୀ ହୋଇ ରାୟବରେଲୀରେ ପହଞ୍ଚିଥିଲେ । ଏଠାରେ କେନ୍ଦ୍ରୀୟ କଂଗ୍ରେସ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ପରେ ନାମାଙ୍କନ କରିଥିଲେ । ନାମାଙ୍କନ ଭରିବାକୁ ଯିବା ସମୟରେ କଂଗ୍ରେସ କର୍ମୀମାନେ ରେକର୍ଡ ଭୋଟ୍ ସହିତ ବିଜୟୀ କରିବେ ବୋଲି ନାରା ଦେଇଥିଲେ ।

rahul sonia and priyanka gandh
rahul sonia and priyanka gandhi (@INCIndia)

ରାହୁଲ ଦୀନେଶଙ୍କ ମଧ୍ୟରେ ଫାଇଟ୍: ହାଇ ପ୍ରୋଫାଇଲ ରାୟବରେଲୀ ଆସନ ପାଇଁ ଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାନ୍ଧୀ ପରିବାର ସହିତ ଫାଇଟ କରିବେ । ରାହୁଲଙ୍କ ନାମାଙ୍କନ ପୂର୍ବରୁ ଦୀନେଶ ନାମାଙ୍କନ ଭରିଥିଲେ । 2019 ରେ ଦୀନେଶ ପ୍ରତାପ ସିଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ସେ ହାରି ଯାଇଥିଲେ । ପ୍ରକାଶଥାଉକି, 2018 ରେ ଦୀନେଶ ପ୍ରତାପ ସିଂ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସୋନିଆ ଗାନ୍ଧୀଙ୍କୁ 5,31,918 ଭୋଟ୍ ମିଳିଥିଲା । ଅନ୍ୟପଟେ ବିଜେପି ପ୍ରାର୍ଥୀ ଦୀନେଶ ପ୍ରତାପ ସିଂ 3,67,740 ଭୋଟ୍ ପାଇଥିଲେ । ଦୀନେଶ 1,64,178 ଭୋଟରେ ହାରିଥିଲେ ।

Last Updated : May 3, 2024, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.