ETV Bharat / bharat

ଗର୍ଭରେ ବଢୁଥିବା ଶିଶୁର ରହିଛି ବଞ୍ଚିବାର ଅଧିକାର: ସୁପ୍ରିମକୋର୍ଟ - SC On Termination Of Pregnancy

author img

By ETV Bharat Odisha Team

Published : May 15, 2024, 10:19 PM IST

SC Rejects Plea For Termination of Pregnancy: ଜଣେ ଅବିବାହିତା ମହିଳା ନିଜର ୨୭ ସପ୍ତାହର ଗର୍ଭକୁ ନଷ୍ଟ କରିବା ମାମଲାକୁ ନେଇ ସୁପ୍ରିମକୋର୍ଟ ଦେଇଛନ୍ତି ବଡ ରାୟ । ଗର୍ଭରେ ବଢୁଥିବା ଭୃଣର ବଞ୍ଚି ରହିବାର ଅଧିକାରକୁ ଆଧାର କରି ଆବେଦନକୁ କରିଛନ୍ତି ଖାରଜ । ଅଧିକ ପଢନ୍ତୁ

SC Rejects Plea (Representative Image)
SC Rejects Plea (Representative Image) (ETV Bharat)

ନୂଆଦିଲ୍ଲୀ: ଗର୍ଭ ନଷ୍ଟ କରିବାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ଗର୍ଭରେ ବଢୁଥିବା ଭୃଣର ବଞ୍ଚି ରହିବାର ଅଧିକାରକୁ ନେଇ ସୁପ୍ରିମ କୋର୍ଟ ଉଠାଇଛନ୍ତି ପ୍ରଶ୍ନ । ସୂଚନା ଅନୁଯାୟୀ ଜଣେ ୨୦ ବର୍ଷୀୟ ଅବିବାହିତା ମହିଳା ନିଜର ୨୭ ସପ୍ତାହର ଗର୍ଭକୁ ନଷ୍ଟ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ।

ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ଏସ ଭି ଏନ ଭଟ୍ଟି ଓ ଜଷ୍ଟିସ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରିଥିଲେ । ଖଣ୍ଡପୀଠ କହିଥିଲେ, "ଆମେ ଆଇନର ବିରୋଧାଭାସୀ କୌଣସି ପ୍ରକାର ଆଦେଶକୁ ପାରିତ କରିପାରିବୁ ନାହିଁ । ଗର୍ଭରେ ବଢୁଥିବା ଶିଶୁର ବଞ୍ଚି ରହିବାର ଅଧିକାର ରହିଛି ।" ଏହା ବାବଦକୁ ଆପଣଙ୍କୁ କଣ କହିବା ଅଛି ବୋଲି ଆବେଦନକାରୀଙ୍କ ଓକିଲକୁ ପ୍ରଶ୍ନ କରିଥିଲେ ଖଣ୍ଡପୀଠ । ଓକିଲ ଜଣକ କହିଥିଲେ ଯେ ମେଡିକାଲ ଟର୍ମିନେସନ ପ୍ରେଗନାନ୍ସି ଆଇନ କେବଳ ମାତାଙ୍କ ବିଷୟରେ ଉଲ୍ଲେଖ ରହିଛି । ଏହି ଆଇନ ମା’ ମାନଙ୍କ ସୁରକ୍ଷା ପାଇଁ ଗଠନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .... ନ୍ୟୁଜ କ୍ଲିକ୍ ସମ୍ପାଦକଙ୍କ ଗିରଫଦାରୀ ବେଆଇନ: ତୁରନ୍ତ ମୁକ୍ତ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - News Click Founder Get Bail

ଖଣ୍ଡପୀଠ କହିଛନ୍ତି, "ଗର୍ଭାବସ୍ଥାକୁ ୭ ମାସରୁ ଅଧିକ ସମୟ ହୋଇ ଗଲାଣି । ତେବେ ଗର୍ଭରେ ବଢୁଥିବା ଶିଶୁର ଜୀବିତ ରହିବାର ଅଧିକାରକୁ ଆପଣ କିଭଳି ବ୍ୟାଖ୍ୟାନ କରିବେ।" ପ୍ରତ୍ୟୁତ୍ତରରେ ଓକିଲ ମହିଳାଙ୍କର ମାନସିକ ଓ ଶାରୀରିକ ସ୍ଥିତିକୁ ଧ୍ୟାନ ଦେବାକୁ କହିଥିଲେ । ମହିଳା ଜଣକ ବର୍ତ୍ତମାନ ଅତ୍ୟଧିକ ପୀଡାକଷ୍ଟରେ ରହୁଛନ୍ତି । ସେ ବାହାରକୁ ମଧ୍ୟ ଯିବା ଆସିବା କରିପାରୁନାହାଁନ୍ତି । ସେ ବର୍ତ୍ତମାନ ସମାଜକୁ ସାମନା କରିବା ଭଳି ସ୍ଥିତିରେ ନାହାଁନ୍ତି । ତେବେ ଏହି ଆବେଦନକୁ ଖାରଜ କରିଥିଲେ ଖଣ୍ଡପୀଠ ।

ତେବେ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ମହିଳା ଜଣଙ୍କର ଦିଲ୍ଲୀ ହାଇକୋର୍ଟ ଦ୍ବାରା ୩ ମେ ରେ ଦିଆଯାଇଥିବା ରାୟ ଉପରେ ବିଚାର କରିବାକୁ ଦ୍ବାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇ ନ ଥିଲେ । ଦିଲ୍ଲୀ ହାଇକୋର୍ଟ ୨୫ ଏପ୍ରିଲରେ ଏମସକୁ ମା’ ଓ ଗର୍ଭରେ ଥିବା ଶିଶୁ ସମ୍ପର୍କରେ ମେଡିକାଲ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟ କହିଛନ୍ତି ଯେ ମେଡିକାଲ ବୋର୍ଡର ରିପୋର୍ଟରେ ଦର୍ଶାଯାଇଛି ଯେ ଗର୍ଭସ୍ଥ ଶିଶୁର ଜନ୍ମଗତ ଅସ୍ୱାଭାବିକତା ନାହିଁ କିମ୍ବା ଗର୍ଭଧାରଣ ସହିତ ମା’ଙ୍କ ପାଇଁ କୌଣସି ବିପଦ ନାହିଁ ଯାହା ପାଇଁ ଗର୍ଭସ୍ଥ ଶିଶୁକୁ ନଷ୍ଟ କରିବାକୁ ବାଧ୍ୟତାମୂଳକ ଭାବେ ଦର୍ଶାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.