ETV Bharat / bharat

ଆସନ୍ତାକାଲିଠୁ ବଜେଟ ଅଧିବେଶନ; ଆଜି ବସିବ ସର୍ବଦଳୀୟ ବୈଠକ

author img

By ETV Bharat Odisha Team

Published : Jan 30, 2024, 9:06 AM IST

Parliament Budget Session: ବୁଧବାରଠାରୁ ସଂସଦରେ ଆରମ୍ଭ ହେବ ବଜେଟ ଅଧିବେଶନ । ଏନେଇ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ

ବଜେଟ ଅଧିବେଶନ
Budget 2024

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ (ବୁଧବାର) ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ଅଧିବେଶନ ସମୟରେ ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି । ସଂସଦର ଉଭୟ ଗୃହର ସମସ୍ତ ରାଜନୈତିକ ଦଳର ନେତା ବୈଠକରେ ସାମିଲ ହେବେ । ଆଜି ସନ୍ଧ୍ୟାରେ ସଂସଦର ଲାଇବ୍ରେରୀ ବିଲ୍ଡିଂରେ ବୈଠକ ବସିବ ।

ବୁଧବାରଠୁ ସଂସଦ ବଜେଟ ଅଧିବେଶନ ଆରମ୍ଭ ହେବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦକୁ ସମ୍ବୋଧିତ କରିବେ । ଆସନ୍ତା ଫେବୃଆରୀ 1 ତାରିଖରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । 9 ତାରିଖରେ ଅଧିବେଶନ ଶେଷ ହେବ । ଅର୍ଥମନ୍ତ୍ରୀ ବଜେଟ ଉପସ୍ଥାପନ କରିବା ପରେ ମୋବାଇଲରେ ବଜେଟ ଆପ୍ଲିକେସନରେ ବଜେଟ ଉପଲବ୍ଧ ହେବ । ଦେଶବାସୀଙ୍କ ଉଦ୍ଦେଶ୍ୟରେ ବଜେଟର ସମସ୍ତ ବିସ୍ତୃତ ତଥ୍ୟ ଏଥିରେ ରହିବ । ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ବଜେଟ ସମ୍ପର୍କିତ ତଥ୍ୟ ଉପଲବ୍ଧ କରାଯିବ । ସ୍ମାର୍ଟଫୋନରେ ଆପ୍ଲିକେସନକୁ ଡାଉନଲୋଡ ଓ ବ୍ୟବହାର କରାଯାଇପାରିବ । ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଏହା ଶେଷ ବଜେଟ । ତେଣୁ ବିଶ୍ବବାସୀଙ୍କ ନଜର ରହିଛି ଏହା ଉପରେ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସମସ୍ତ ବର୍ଗକୁ ଖୁସି କରିବା ପରି ବଜେଟ ଆଗତ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ-ଜାନୁଆରୀ ୩୧ରୁ ସଂସଦର ବଜେଟ୍ ଅଧିବେଶନ, ଫେବ୍ରୁଆରୀ ୧ରେ କାମଚଳା ବଜେଟ୍

ବଜେଟ ଅଧିବେଶନ ପୂର୍ବରୁ ଜାନୁଆରୀ 24 ତାରିଖରେ ଗଣତାନ୍ତ୍ରିକ ପରମ୍ପରା ଅନୁସାରେ ହାଲଓ୍ବା ସେରିମନି ଆୟୋଜନ କରାଯାଇଥିଲା । କେନ୍ଦ୍ରୀୟ ସଚିବାଳୟର ନର୍ଥ-ବ୍ଲକରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ, ଅର୍ଥ ସଚିବ ଓ ମନ୍ତ୍ରଣାଳୟର ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ । ଆଗତ ହେବାକୁ ଥିବା ବଜେଟରେ ଭିତ୍ତିଭୂମି ବିକାଶ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରାଧାନ୍ୟ ଦିଆଯାଇପାରେ ବୋଲି ଆଶା କରାଯାଉଛି ।

ଭାରତ ସରକାର 2047 ସୁଦ୍ଧା $30 ଟ୍ରିଲିୟନ ଅର୍ଥନୀତିରେ ପରିଣତ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ, ଦେଶରେ ଭିତ୍ତିଭୂମି ଏବଂ ନିଯୁକ୍ତି ସୁଯୋଗକୁ ପ୍ରାଥମିକତା ଦେବାର ସମ୍ଭାବନା ରହିଛି । କାମଚଳା ବଜେଟରେ ଆୟକର ନିୟମରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇନପାରେ । ଆଗକୁ ରହିଛି ଲୋକସଭା ନିର୍ବାଚନ । ଏହାପରେ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.