ETV Bharat / bharat

ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଖସାଇଲା BSF

author img

By ETV Bharat Odisha Team

Published : Feb 10, 2024, 5:29 PM IST

BSF shoots down another China-made drone: ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଗୁଳି କରି ଖସାଇଲା ବିଏସଏଫ । ଅଧିକ ପଢନ୍ତୁ

ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଖସାଇଲା BSF
ପଞ୍ଜାବରେ ଭାରତ-ପାକ ସୀମା ନିକଟରେ ଡ୍ରୋନକୁ ଖସାଇଲା BSF

ନୂଆଦିଲ୍ଲୀ: କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ମଧ୍ୟ ସୀମାନ୍ତ ରାଜ୍ୟରେ ପାକିସ୍ତାନୀ ଡ୍ରୋନ ଠାବ ହେବା ଘଟଣାରେ କୌଣସି ରୋକ ଲାଗୁନି । ପଞ୍ଜାବର ଗୁରୁଦାସପୁର ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇଛି ଭାରତୀୟ ସୀମା ସୁରକ୍ଷା ବଳ । ଗତକାଲି ରାତିରେ ଏହି ଅପରେସନରେ ସଫଳତା ମିଳିଛି । ଉଦ୍ଧାର ହୋଇଥିବା ଡ୍ରୋନ ଚୀନ ନିର୍ମିତ ଓ ଏହା ସର୍ଭିଲାନ୍ସ ବା ଗୁପ୍ତଚରଗିରି କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାକୁ ପ୍ରେରଣ କରାଯାଇଥିବା ସନ୍ଦେହ କରାଯାଉଛି । ଏହାକୁ ପାକିସ୍ତାନୀ ସେନା କିମ୍ବା ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରାଯାଇଥିବା ପ୍ରାୟତଃ ସ୍ପଷ୍ଟ ହୋଇଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗୁରୁଦାସପୁରର ଏକ ସୀମାନ୍ତ ଗ୍ରାମରେ ଏହି ଡ୍ରୋନ ଦେଖିବାକୁ ମିଳିଥିଲା । ଗ୍ରାମବାସୀମାନେ ଏହି ଡ୍ରୋନ ଦେଖିବା ପରେ ସ୍ଥାନୀୟ ପୋଲିସ ଓ ବିଏସଏଫ ପୋଷ୍ଟକୁ ସୂଚନା ଦେଇଥିଲେ । ବିଏସଏଫ ଯବାନମାନେ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲେ । ଏହାକୁ ଜବତ କରାଯିବା ପରେ ଏହା ଏକ ଚୀନ ନିର୍ମିତ (DJI Mavic 3 Classic) ବର୍ଗର ଡ୍ରୋନ ବୋଲି ଜଣାପଡିଛି । ତେବେ ଏହି ଡ୍ରୋନରୁ କୌଣସି ପ୍ରକାର ନିଶାଦ୍ରବ୍ୟ ସାମଗ୍ରୀ ଜବତ କରାଯାଇନି । ତେଣୁ ଏହା କୌଣସି ନିଶା ମାଫିଆଙ୍କ କାମ ନୁହେଁ ବରଂ ଏହା ପଛରେ ପାକିସ୍ତାନୀ ଆତଙ୍କବାଦୀ କିମ୍ବା ସେନାର ଭୂମିକା ଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ସ୍ପଷ୍ଟ କଲେ କେଜ୍ରିଓ୍ବାଲ, ପଞ୍ଜାବର ସମସ୍ତ ଆସନରେ ଏକାକୀ ଲଢିବ AAP

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଭାରତ-ପାକିସ୍ତାନ ମଧ୍ୟରେ ସୀମାବର୍ତ୍ତୀ ରାଜ୍ୟ ରାଜସ୍ଥାନ, ଗୁଜୁରାଟ ଓ ପଞ୍ଜାବ ଓ ଜମ୍ମୁ କାଶ୍ମୀରରେ ଏହିପରି ଡ୍ରୋନ ଘଟଣା ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି । କେତେବେଳେ ନିଶା କାରବାର ଓ କେବେ ପାକିସ୍ତାନୀ ସେନା ଦ୍ବାରା ଡ୍ରୋନ ବ୍ୟବହାର କରି ଭାରତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁପ୍ତଚରଗିରି କରାଯାଉଛି । ନିକଟରେ ଠାବ ହୋଇଥିବା ଏକାଧିକ ଡ୍ରୋନରୁ ନିଶାଦ୍ରବ୍ୟ ପ୍ୟାକେଟ ମଧ୍ୟ ଜବତ ହୋଇଛି । ଏହିପରି ସର୍ବାଧିକ ଘଟଣା ପଞ୍ଜାବର ଅମୃତସରର, ତାରଣ ତାରଣ, ପଠାନକୋଟ ଓ ଗୁରୁଦାସପୁର ଅଞ୍ଚଳରେ ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ କୌଣସି ସନ୍ଦେହଜନକ ଗତିବିଧି କିମ୍ବା ଉଡନ୍ତା ବସ୍ତୁ ଦେଖାଗଲେ ତୁରନ୍ତ ପୋଲିସ କିମ୍ବା ସୁରକ୍ଷାବଳକୁ ସୂଚନା ଦେବା ପାଇଁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.