ETV Bharat / bharat

ପ୍ରଜ୍ଜଳ ରେବନ୍ନା ଯୌନ କେଳେଙ୍କାରୀ ମାମଲା, ବିଜେପି ନେତା ଦେବରାଜ ଗୌଡା ଗିରଫ - Prajwal Revanna Case

author img

By ETV Bharat Odisha Team

Published : May 11, 2024, 2:23 PM IST

Devaraje Gowda Taken Into Custody: ପ୍ରଜ୍ଜଳ ରେବନ୍ନା ଭିଡିଓ କେଲେଙ୍କାରୀ ମାମଲାରେ ବିଜେପି ନେତା ଦେବରାଜ ଗୌଡାଙ୍କୁ ବାନ୍ଧିଲା ପୋଲିସ । ଗତକାଲି ରାତିରେ ହୋଇଛନ୍ତି ଗିରଫ । ଏବେବି ବିଦେଶରେ ଲୁଚିଛନ୍ତି ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜଳ ରେବନ୍ନା । ଅଧିକ ପଢନ୍ତୁ

ପ୍ରଜ୍ଜଳ ରେବନ୍ନା ଯୌନ କେଳେଙ୍କାରୀ ମାମଲା, ବିଜେପି ନେତା ଦେବରାଜ ଗୌଡା ଗିରଫ
ପ୍ରଜ୍ଜଳ ରେବନ୍ନା ଯୌନ କେଳେଙ୍କାରୀ ମାମଲା, ବିଜେପି ନେତା ଦେବରାଜ ଗୌଡା ଗିରଫ (PIC- ETV Bharat Odisha)

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ‘ଜେଡିଏସ’ ସାଂସଦ ପ୍ରଜ୍ଜଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ମାମଲାରେ ବିଜେପି ନେତାଙ୍କୁ ଗିରଫ କଲା କର୍ଣ୍ଣାଟକ ପୋଲିସ । ବିଜେପି ନେତା ଦେବରାଜ ଗୌଡାଙ୍କୁ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ କର୍ଣ୍ଣାଟକ ଏସଆଇଟି ଗିରଫ କରିଥିବା ସୂଚନା ମିଳିଛି । ବେଙ୍ଗାଲୁରରୁ ଚିତ୍ରଦୂର୍ଗା ଅଭିମୁଖେ ଯାତ୍ରା କରିବା ବେଳେ ପୋଲିସ ଟିମ୍‌ ଦେବରାଜଙ୍କୁ ଗିରଫ କରି ହେପାଜତକୁ ନେଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇପାରେ । ରେବନ୍ନାଙ୍କ ଭିଡିଓ ଭାଇରାଲ ମାମଲାରେ ସେ ସମ୍ପୃକ୍ତି ଥିବା ସହ ଅନ୍ୟ ଜଣେ ମହିଳା ମଧ୍ୟ ଗୌଡାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ ।

ଦେବରାଜ କି’ଏ:-

ବିଜେପି ନେତା ଦେବରାଜ ଗୌଡା 2023 ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଜ୍ଜଳଙ୍କ ପିତା ଏଚ.ଡି ରେବନ୍ନାଙ୍କ ବିରୋଧରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ସେତେବେଳେ ବିଜେପି ଓ ଜେଡିଏସ ପୃଥକ ନିର୍ବାଚନ ଲଢୁଥିଲେ । ପରେ ଭିଡିଓ ଭାଇରାଲ ହେବା ପରେ ଦେବରାଜଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ‘ଜେଡିଏସ’ ନେତାଙ୍କ ଭିଡିଓ ଭାଇରାଲ କରିବା ପଛରେ ଦେବରାଜଙ୍କ ଭୂମିକା ଥିବା ପୋଲିସ ସନ୍ଦେହ କରୁଥିଲା । ଏହାକୁ ଦେବରାଜ ଖଣ୍ଡନ କରିବା ସହ କଂଗ୍ରେସ ନେତାଙ୍କ ହାତ ଥିବା ପାଲଟା ଅଭିଯୋଗ କରିଥିଲେ । ଅନ୍ୟପଟ ଜଣେ 36 ବର୍ଷୀୟା ମହିଳା ମଧ୍ୟ ଦେବରାଜଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଏକ ଜମି ବିକ୍ରି ମାମଲାରେ ତାଙ୍କୁ ସହଯୋଗ କରିବା ଆଳରେ ଦେବରାଜ ତାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ କରିଥିଲେ ସମ୍ପୃକ୍ତ ମହିଳା ।

ଏହା ମଧ୍ୟ ପଢନ୍ତୁ :- ରଣପୁରରେ ରାଜନାଥଙ୍କ ଋଣହୁଙ୍କାର: ବିଜେଡି ଓ କଂଗ୍ରେସକୁ କଲେ ଟାର୍ଗେଟ, ସମ୍ବିତ-ସୁରମାଙ୍କ ପାଇଁ ମାଗିଲେ ଭୋଟ - RAJNATH SINGH IN ODISHA

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ବିଧାୟକ ପୁଅ ଏଚ.ଡି ରେବନ୍ନା ଓ ସାଂସଦ ନାତି ପ୍ରଜ୍ଜଳ ରେବନ୍ନା ଏହି ମାମଲାରେ ଛନ୍ଦି ହୋଇଛନ୍ତି । ରେବନ୍ନା ଏସଆଇଟି ଦ୍ବାରା ଗିରଫ ହୋଇ ଏବେ ହେପାଜତରେ ରହିଛନ୍ତି । ପୁଅ ପ୍ରଜ୍ଜଳ ଭିଡିଓ ଭାଇରାଲ ହେବା ପୂର୍ବରୁ ଦେଶ ଛାଡି ପଳାୟନ କରିଛନ୍ତି । ସେ ଏବେ ଜର୍ମାନୀରେ ଥିବା ବିଭିନ୍ନ ସୂତ୍ରରୁ ସୂଚନା ମିଳିଛି । ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ସହ ବିଭିନ୍ନ ନୋଟିସ ଜାରି କରିଛି । ଅନ୍ୟପଟେ ଦଳ ଜେଡିଏସ ମଧ୍ୟ ତାଙ୍କୁ ତଦନ୍ତ ଶେଷ ନହେବା ଯାଏ, ଅସ୍ଥାୟୀ ଭାବେ ନିଲମ୍ବନ କରିଛି । ଏବେ ଏହି ମାମଲାରେ ଜଣେ ବିଜେପି ନେତା ଗିରଫ ହେବା ପରେ ପୁଣି ରାଜନୀତି ତେଜିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.