ETV Bharat / bharat

ୟୁପି ଓ ଦିଲ୍ଲୀ ପରେ ଖୁବଶିଘ୍ର 4 ରାଜ୍ୟରେ ମେଣ୍ଟରେ ଆସନ ଘୋଷଣା କରିବ କଂଗ୍ରେସ

author img

By ETV Bharat Odisha Team

Published : Feb 24, 2024, 9:39 PM IST

ୟୁପି ଓ ଦିଲ୍ଲୀ ପରେ 4 ରାଜ୍ୟରେ ମେଣ୍ଟରେ ଆସନ ଘୋଷଣା କରିବ କଂଗ୍ରେସ
ୟୁପି ଓ ଦିଲ୍ଲୀ ପରେ 4 ରାଜ୍ୟରେ ମେଣ୍ଟରେ ଆସନ ଘୋଷଣା କରିବ କଂଗ୍ରେସ

Congress to Announce Alliances in Bihar, Jharkhand, TN, Maha Soon: 4 ରାଜ୍ୟରେ ମେଣ୍ଟରେ ଆସନ ଘୋଷଣା କରିବ କଂଗ୍ରେସ । ବିହାର, ଝାଡଖଣ୍ଡ, ତାମିଲନାଡୁ ଓ ମହାରାଷ୍ଟ୍ରରେ ଛିଡିବ ମେଣ୍ଟ ଅଙ୍କ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଖଉଥିବା ବେଳେ ବିଭିନ୍ନ ରାଜ୍ୟରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା କରି ଆସନ ଚୂଡାନ୍ତ କରିବାରେ ଲାଗିଛି କଂଗ୍ରେସ । ନିକଟରେ ଦଳ ଉତ୍ତର ପ୍ରଦେଶ ଓ ଦିଲ୍ଲୀରେ ଆସନ ବୁଝାମଣା ଅଙ୍କ ଛିଡାଇଛି । ଦୀର୍ଘ ବିବାଦ ପରେ ଦଳ ଉତ୍ତର ପ୍ରଦେଶରେ ଅଖିଳେଶଙ୍କ ସମାଜବାଦୀ ପାର୍ଟି ଓ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ ଆସନ ବୁଝାମଣା ଶେଷ କରିଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଦଳ ବିହାର, ଝାଡଖଣ୍ଡ, ତାମିଲନାଡୁ ଓ ମହାରାଷ୍ଟ୍ରରେ ମଧ୍ୟ ଆସନ ଚୂଡାନ୍ତ କରିବାକୁ ଯାଉଛି ।

21 ତାରିଖରେ ଦଳ ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ସହ ଆସନ ବୁଝାମଣା ଶେଷ କରିଛି । ସିଂହଭାଗ ଅଖିଳେଶଙ୍କ କ୍ୟାମ୍ପକୁ ଯାଇଛି । ମୋଟ 80 ଆସନ ମଧ୍ୟରୁ କଂଗ୍ରେସ 17ଟିରେ ନିର୍ବାଚନ ଲଢିବାକୁ ଘୋଷଣା କରିଥିବା ବେଳେ ଅବଶିଷ୍ଟ 63 ଆସନରେ ସମାଜବାଦୀ ପାର୍ଟି ଲଢିବ । ସେହିପରି ଆଜି (24 ତାରିଖ) କଂଗ୍ରେସ ଦିଲ୍ଲୀ, ଗୁଜୁରାଟ ଓ ହରିୟାଣାରେ ମଧ୍ୟ ଆସନ ବୁଝାମଣା ଶେଷ କରିଛି । ଏହି 3 ରାଜ୍ୟରେ ଦଳ ଆମ ଆଦମୀ ପାର୍ଟି ସହ ମେଣ୍ଟ କରିଛି ।

ଗୁଜୁରାଟରେ ମୋଟ 26 ଆସନ ମଧ୍ଯରୁ କଂଗ୍ରେସ 24 ଆସନରେ ଲଢିବାକୁ ଥିବା ବେଳେ ଆମ ଆଦମୀ ପାର୍ଟି ଅବଶିଷ୍ଟ 2ଟି ଆସନରେ ଲଢିବ । ସେହିପରି ହରିୟାଣାରେ ମୋଟ 10 ସଂସଦୀୟ ଆସନରୁ କଂଗ୍ରେସ 9 ଆସନ ଓ ଆପ ଗୋଟିଏ ଆସନରେ ନିର୍ବାଚନ ଲଢିବ । ଦିଲ୍ଲୀରେ ମୋଟ 7 ଆସନ ମଧ୍ୟରୁ ଶାସନରେ ଥିବା ଆପ 4ଟି ଆସନରେ ଲଢିବାକୁ ଥିବା ବେଳେ କଂଗ୍ରେସ ଖାତାରେ ଅବଶିଷ୍ଟ 3 ଆସନ ପଡିଛି । ଉଭୟ ପଞ୍ଜାବ ଓ ହରିୟାଣାର ଦୈତ ରାଜଧାନୀ ତଥା କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡର ଏକମାତ୍ର ସଂସଦୀୟ ଆସନ ଆମ ଆଦମୀ ପାର୍ଟି କଂଗ୍ରେସକୁ ଛାଡିଛି ।

ଏହା ମଧ୍ୟ ପଢନ୍ତୁ :- ଲୋକସଭା ନିର୍ବାଚନ: ଆସନ୍ତା ସପ୍ତାହରେ 100 ପ୍ରାର୍ଥୀ ଘୋଷଣା କରିବ ବିଜେପି ! ଆସିପାରେ ପ୍ରଧାନମନ୍ତ୍ରୀଙ୍କ ନାମ

ପାର୍ଟି ସୂତ୍ରରୁ ମିଳିଥିବ ସୂଚନା ଅନୁସାରେ, ମହାରାଷ୍ଟ୍ରରେ 48 ଲୋକସଭା ଆସନ ମଧ୍ୟରୁ କଂଗ୍ରେସ 18 ଆସନରେ ଲଢିପାରେ । ଦଳ ସେଠାରେ ଶରଦ ପାଓ୍ବାର-ଏନସିପି ଓ ଉଦ୍ଧବ ଠାକରେ ଗୋଷ୍ଠୀ ସହ ଆସନ ବୁଝାମଣା କରିବ । ସେହିପରି 40 ଆସନ ବିଶିଷ୍ଟ ବିହାରରେ କଂଗ୍ରେସ 11 ଆସନ, ଝାଡଖଣ୍ଡରେ 14 ଆସନ ମଧ୍ୟରୁ 9 ଟିରେ ଓ ଦକ୍ଷିଣ ରାଜ୍ୟ ତାମିଲନାଡୁରେ 39 ଆସନ ମଧ୍ୟରୁ 9 ଟିରେ ନିର୍ବାଚନ ଲଢିବ । ତାମିଲନାଡୁରେ ଆସନର ସିଂହ ଭାଗ ଷ୍ଟାଲିନଙ୍କ ଦଳକୁ ଯିବ । ଏହି 4 ରାଜ୍ୟରେ ଦଳ ଶରଦ ଗୋଷ୍ଠୀ, ଉଦ୍ଧବ ଗୋଷ୍ଠୀ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), ଡିଏମକେ ସହ ଆସନ ଭାଗବଣ୍ଟା କରିବାକୁ ଯାଉଛି । ଏହି ସମସ୍ତ ଦଳଙ୍କ ସହ କଥାବାର୍ତ୍ତା ଜାରି ରହିଛି । ଖୁବଶିଘ୍ର ଆସନ ସଂଖ୍ୟା ଘୋଷଣା କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.