ETV Bharat / bharat

ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ: ବେଲ ପାଇଲେ ଆଜୀବନ କାରାଦଣ୍ଡ ପାଇଥିବା 4 ଦୋଷୀ

author img

By ETV Bharat Odisha Team

Published : Feb 12, 2024, 5:03 PM IST

Soumya Vishwanathan murder case: ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡରେ ଆଜୀବନ କାରାଦଣ୍ଡ ପାଇଥିବା 4 ଦୋଷୀଙ୍କୁ ବେଲ୍ ଦେଲେ ଦିଲ୍ଲୀ ହାଇକୋର୍ଟ । ଗତବର୍ଷ ନଭେମ୍ବର 26ରେ ହୋଇଥିଲେ ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ

ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ: ବେଲ ପାଇଲେ 4 ଦୋଷୀ
ସାମ୍ବାଦିକା ସୌମ୍ୟା ହତ୍ୟାକାଣ୍ଡ: ବେଲ ପାଇଲେ 4 ଦୋଷୀ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଦିଲ୍ଲୀ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା 4 ଜଣଙ୍କୁ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଜଷ୍ଟିସ ସୁରେଶ କୁମାର କୈତ ଓ ମନୋଜ ଜୈନଙ୍କ ନେତୃତ୍ବାଧୀନ ଦୁଇଜଣିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା । ତଳକୋର୍ଟରେ ପାଇଥିବା ଦଣ୍ଡାଦେଶକୁ 4 ଦୋଷୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅଭିଯୁକ୍ତମାନେ 14 ବର୍ଷରୁ ଅଧିକ ସମୟ ବିଚାର ବିଭାଗୀୟ ଜେଲରେ ସଜା କାଟିସାରିଥିବାରୁ ସେମାନଙ୍କୁ ବେଲ ପ୍ରଦାନ କରାଯାଉଥିବା କୋର୍ଟ କହିଛନ୍ତି । ଅଭିଯୁକ୍ତମାନେ କରିଥିବା ଆବେଦନର ଶୁଣାଣି ପ୍ରକ୍ରିୟା ଜାରି ରହିଥିବା ପର୍ଯ୍ୟନ୍ତ ସେମାନେ ବେଲରେ ରହିବା ନେଇ କୋର୍ଟ କହିଛନ୍ତି ।

ଗତବର୍ଷ (2023) ନଭେମ୍ବର 26 ତାରିଖରେ ଦିଲ୍ଲୀର ଏକ ସ୍ଥାନୀୟ କୋର୍ଟ ଅଭିଯୁକ୍ତ ରବି କାପୁର, ଅମିତ ଶୁକ୍ଳା,ବଲଜିତ ମଲ୍ଲିକ ଓ ଅଜୟ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ମାମଲାରେ ପଞ୍ଚମ ଅଭିଯୁକ୍ତ ଅଜୟ ସେଠୀକୁ ମାତ୍ର 3 ବର୍ଷ ଜେଲଦଣ୍ଡ ମିଳିଥିଲା । ଏହାକୁ ସୌମ୍ୟାଙ୍କ ପରିବାର ସଦସ୍ୟ ସ୍ବାଗତ କରିଥିଲେ । ଏହାର କିଛି ସପ୍ତାହ ମଧ୍ୟରେ ସୌମ୍ୟାଙ୍କ ପିତାଙ୍କ ଦେହାନ୍ତ ମଧ୍ୟ ହୋଇଥିଲା । ହେଲେ ଦଣ୍ଡାଦେଶକୁ ଅଭିଯୁକ୍ତମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: 4 ଦୋଷୀଙ୍କୁ ଆଜୀବନ, ଜଣଙ୍କୁ 3 ବର୍ଷ ଜେଲ

କେବେ ଘଟିଥିଲା ହତ୍ୟାକାଣ୍ଡ: 2008 ଡିସେମ୍ବର 30 ତାରିଖ ରାତିରେ ଦିଲ୍ଲୀର ଏକ ଘରୋଇ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ଥିବା ସୌମ୍ୟା ତାଙ୍କ ଅଫିସରୁ ଘରକୁ ଫେରିବା ବେଳେ ହତ୍ୟାର ଶିକାର ହୋଇଥିଲେ । ଏହି ଅପରାଧୀମାନେ ଏକ କାରରେ ତାଙ୍କ କାରକୁ ଫଲୋ କରିଥିଲେ । ସୌମ୍ୟା ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ କାରର ବେଗ ବଢାଇଥିଲେ । ଅପରାଧୀମାନେ ତାଙ୍କୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ କାର ଭିତରେ ସୌମ୍ୟାଙ୍କ ମୃତ୍ୟୁ ହୋଇଥିଲା ।

ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ 5 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2010 ମସିହାରେ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଦୀର୍ଘ 15 ବର୍ଷର ଶୁଣାଣି ପ୍ରକ୍ରିୟା ପରେ ଚଳିତ ଅକ୍ଟୋବର 18 ତାରିଖରେ ଦିଲ୍ଲୀର ସାକେତ କୋର୍ଟ ସମସ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ନଭେମ୍ବର 23 ତାରିଖରେ ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଆଜୀବନ ଓ ଜଣେ ଦୋଷୀକୁ 3 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଆଜି 4 ଦୋଷୀଙ୍କୁ ପୁଣି ବେଲ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.