ଓଡିଶା

odisha

ବାରିପଦାରେ ବାହୁଡା ଯାତ୍ରା ସମ୍ପନ୍ନ, କାଲି ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ

By

Published : Jun 30, 2023, 10:26 PM IST

ବାରିପଦାରେ ବାହୁଡା ଯାତ୍ରା ସମ୍ପନ୍ନ


ରାଇରଙ୍ଗପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ବାହୁଡା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା 3ଟି ରଥ ଯୋଗେ ମାଉସୀ ମା' ମନ୍ଦିରରୁ ବାହୁଡ଼ି ମନ୍ଦିର ନିକଟକୁ ପହଞ୍ଚି ଯାଇଛନ୍ତି। ଆଜି ମଧ୍ୟ ବାରିପଦା ସ୍ଥିତ ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ଭୋରରୁ ପୂଜାର୍ଚ୍ଚନା ହେବା ପରେ ଦିନ ପାଖାପାଖି ୩ଟା ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। 

ଗତକାଲି ପ୍ରଭୁ ଜଗନ୍ନାଥଙ୍କ ରଥ ମନ୍ଦିର ନିକଟକୁ ପହଞ୍ଚି ସାରିଥିବାବେଳେ ଅଧା ବାଟରେ ଅଟକି ରହିଥିଲା ଦେବୀ ସୁଭଦ୍ରାଙ୍କ ରଥ। ତେବେ ଆଜି ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତମାନେ ଟାଣି ଟାଣି ନେଇ ମନ୍ଦିର ନିକଟକୁ ପହଞ୍ଚାଇଥିଲେ। ଏଥିସହ ଶେଷରେ ପ୍ରଭୁ ବଳଭଦ୍ରଙ୍କ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପ୍ରଭୁ ବଳଭଦ୍ରଙ୍କ ରଥକୁ ଟାଣି ଟାଣି ନେଇ ମନ୍ଦିର ନିକଟକୁ ପହଞ୍ଚାଇଥିଲେ। 3ଟି ରଥ ଜଗନ୍ନାଥ ମନ୍ଦିର ନିକଟକୁ ପହଞ୍ଚି ଯାଇଥିବାବେଳେ ଆଜି ବାହୁଡାଯାତ୍ରାର ଦ୍ୱିତୀୟ ଦିନରେ ବାରିପଦା ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।


ବାହୁଡା ଯାତ୍ରା ଦେଖିବା ପାଇଁ ମୟୁରଭଞ୍ଜ ଜିଲ୍ଲା ସମେତ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ମଧ୍ୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ରଥ ଉପରୁ ବାରିପଦାର ସ୍ବତନ୍ତ୍ର ଗୁଡ଼ ଲଡୁ ଭକ୍ତଙ୍କ ପାଇଁ ଫିଙ୍ଗା ଯାଇଥିଲା । ଆଉ ସେହି ଭୋଗ ଲଡୁକୁ ଧରିବା ପାଇଁ ଭକ୍ତଙ୍କ ମଧ୍ୟରେ ନିଆରା ଆଗ୍ରହ ଥିବା ଦେଖିବାକୁ ମିଳିଥିଲା । ଆଜି ରାତି ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରୁ ମନ୍ଦିର ବେଦୀକୁ ବିଜେ କରିବା ସହ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହୋଇଛି । ସେପଟେ ପ୍ରବଳରୁ ଅତି ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details