ଓଡିଶା

odisha

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା: ପହଞ୍ଚିଲେ ଶ୍ରୀଜଗନ୍ନାଥ, ଅଧା ବାଟରେ ରହିଲେ ସୁଭଦ୍ରା

By

Published : Jun 29, 2023, 10:05 PM IST

ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା



ରାଇରଙ୍ଗପୁର :ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରତିବର୍ଷ ପରି ବାରିପଦାରେ 2 ଦିନ ଧରି ଅନୁଷ୍ଠିତ ହେଉଛି ବାହୁଡା ଯାତ୍ରା। ମାଉସୀ ମା' ମନ୍ଦିରରୁ ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରାଯାଇଥିଲା। ଶ୍ରୀଶ୍ରୀ ହରିବଳଦେବଜୀଉଙ୍କ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ପାଖାପାଖି ଦିନ ୩ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ରଥକୁ ମାଉସୀ ମା' ମନ୍ଦିରରୁ ଟାଣି ନେଇ ମନ୍ଦିର ନିକଟରେ ପହଞ୍ଚାଇଥିଲେ। ପରେ ଭଉଣୀ ସୁଭଦ୍ରାଙ୍କ ରଥକୁ ପରମ୍ପରା ଅନୁଯାୟୀ କେବଳ ମହିଳାମାନେ ଟାଣି ନେଇ  ଅଧା ବାଟରେ ରଖିଥିଲେ। 

ଦେବୀ ସୁଭଦ୍ରାଙ୍କ ରଥ ମନ୍ଦିର ନିକଟରେ ପହଞ୍ଚିବା ପରେ ପ୍ରଭୁ ବଳଭଦ୍ରଙ୍କ ରଥ ମଧ୍ୟ ଟଣାଯାଇ ମନ୍ଦିର ନିକଟକୁ ପହଞ୍ଚିବ। ଏହି ଅବସରରେ  ବାରିପଦା ବଡ଼ଦାଣ୍ଡରେ  ପ୍ରବଳ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ସେପଟେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବା ପାଇଁ ମହିଳାଙ୍କ ମଧ୍ୟ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା।  ଏହି ବାହୁଡା ଯାତ୍ରା ଅବସରରେ ମୟୂରଭଞ୍ଜ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରବଳ ଭିଡ଼ କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ  କଡାକଡି କରା ଯାଇଥିଲା।

 ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଅସ୍ଥାୟୀ ଫାଣ୍ଡି ସହ ପୋଲିସ ଅଧିକାରୀ ସହିତ ଫୋର୍ସ ମୁତୟନ ହୋଇଥିଲେ। ସୁରକ୍ଷା ପାଇଁ ୨୭ ପ୍ଲାଟୁନ ଫୋର୍ସ, 2 ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୧୫ଜଣ ଇନ୍ସପେକ୍ଟର, ୯୦ଜଣ ଏସଆଇ ଓ ଏଏସଆଇ ମୁତୟନ କରାଯାଇଥିବା ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି। ଏହା ସହିତ ଭକ୍ତମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ ସହ ଜଳ ସିଞ୍ଚନର ବ୍ୟବସ୍ଥା କରାଯାଇଥିଲା।  ବାହୁଡ଼ା ଯାତ୍ରାରେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ମହାରାଣୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଉପଦେଷ୍ଟା ସରୋଜିନୀ ହେମ୍ବ୍ରମ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏସପି ବି ଗଙ୍ଗାଧର, ବାରିପଦା ପୌରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
 

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details