ଓଡିଶା

odisha

ନୂଆଖାଇ: ନୂଆପତ୍ରରେ ନବାର୍ଣ୍ଣ ଖାଇବ ପଶ୍ଚିମ ଓଡିଶା

By

Published : Aug 25, 2019, 10:59 PM IST

ନୂଆଖାଇରେ ବିଭିନ୍ନ ଗଛର ପତ୍ରର ବହୁଳ ବ୍ୟବହାର କରାଯାଏ । ଯାହା ମନୁଷ୍ୟ ଓ ପ୍ରକୃତି ମଧ୍ୟରେ ଏକ ବିଶେଷ ସଂପର୍କକୁ ଦର୍ଶାଇଥାଏ ।

ଡିଜାଇନ ଫଟୋ

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇରେ ପ୍ରକୃତି ଓ ମଣିଷର ସଂପର୍କ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ବିଶେଷକରି ଏହି ପର୍ବରେ ବ୍ୟବହାର ହେଉଥିବା ପତ୍ରରେ ଚାଷୀ ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ଇଷ୍ଟ ଦେବଦେବୀଙ୍କ ପାଖରେ ସମର୍ପଣ କରିଥାଏ । ଜୀବନ ଯାପନ ଠାରୁ ଆରମ୍ଭ କରି ପୂଜାବିଧି ପର୍ବପର୍ବାଣୀରେ ମଣିଷ ପ୍ରକୃତିକୁ କେତେ ଆପଣାର କରିଛି ତାହା ଏଇ ନୂଆଖାଇରୁ ହିଁ ଜଣାପଡେ। ବିଭିନ୍ନ ସଂପ୍ରଦାୟର ଲୋକେ ଏହି ପର୍ବରେ ଭିନ୍ନ ଭିନ୍ନ ପତ୍ର ବ୍ୟବହାର କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ବହୁ ବର୍ଷ ପୂର୍ବରୁ ସୋନପୁର ଗଡଜାତର ଲୋକେ ଆନନ୍ଦ ଉତ୍ସାହର ସହିତ ନୂଆଖାଇ ପର୍ବକୁ ପାଳନ କରିଆସୁଛନ୍ତି । ଆଉ ଏହି ପର୍ବର ବିଶେଷତ୍ବ ହେଲା ନୂଆଁଖାଇରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ପତ୍ର । ଚାଷୀ ଉତ୍ପାଦିତ ଶସ୍ୟକୁ ପୂଜା ବିଧି କରି ଆଣିବା ପରେ ଗୃହିଣୀମାନେ ନବାର୍ଣ୍ଣ ପ୍ରସ୍ତୁତ କରି ନିଜ ଇଷ୍ଟଦେବୀଙ୍କ ପାଖରେ ସମର୍ପଣ କରିବା ପାଇଁ ପତ୍ର ସଂଗ୍ରହ କରିଥାନ୍ତି । ବୃକ୍ଷ ଉପାସନା କରି ସଂଗୃହୀତ ପତ୍ରରେ ବର୍ଷର ପହିଲି ଶସ୍ୟକୁ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରି ସାରା ପରିବାର ସହିତ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି ।

ନବାର୍ଣ୍ଣ ପାଳନ ପାଇଁ କିଛି ଦିନ ପୂର୍ବରୁ ହିଁ ପତ୍ର ସଂଗ୍ରହ କରାଯାଏ । ସଂଗୃହୀତ ନିର୍ଦ୍ଦିଷ୍ଟ ପ୍ରକାରର ପତ୍ରରେ ଗୃହିଣୀମାନେ ଦନା ତିଆରି କରି ଇଷ୍ଟଦେବୀଙ୍କ ପାଖରେ ନବାର୍ଣ୍ଣ ସାଙ୍ଗକୁ ଭୋଗ ଅର୍ପଣ କରିଥାନ୍ତି । ବିଭିନ୍ନ ସଂପ୍ରଦାୟର ଲୋକେ ଭିନ୍ନ ଭିନ୍ନ ପତ୍ରର ବ୍ୟବହାର କରୁଥିଲେ ହେଁ ଇଷ୍ଟଦେବୀଙ୍କୁ ପତ୍ରରେ ନବାର୍ଣ୍ଣ ସମର୍ପଣ କରିବା ପରମ୍ପରା ଆଜି ବି ଅତୁଟ ରହିଛି । ନୂଆଖାଇରେ ସରଗୀ, ପଲସା, ମହୁଲ, କୁରେଇ, ଭଲିଆ ଆଦି ଗଛର ପତ୍ର ବ୍ୟବହାର କରାଯାଇଥାଏ ।

ଭାଦ୍ରବ ମାସରେ ଚାଷୀର ନିଅଣ୍ଟିଆ ଅର୍ଥନୈତିକ ଅବସ୍ଥା ଭିତରେ ନୂଆଖାଇ ସମସ୍ତଙ୍କ ପାଇଁ ବେଶ ଉତ୍ସାହ ଆଣେ। ଆଉ ଏହି ପର୍ବରେ ପ୍ରକୃତିରୁ ସଂଗୃହୀତ ବିଭିନ୍ନ ପ୍ରକାରର ପତ୍ରର ବ୍ୟବହାର ମଣିଷ ସହିତ ପ୍ରକୃତିର ଭାବଗତ ସଂପର୍କକୁ ପ୍ରତିଫଳିତ କରିପାରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details