ଓଡିଶା

odisha

ଖୋଲିଲା ଗୁଣପୁର ଡବଲ ମର୍ଡର ମିଷ୍ଟ୍ରି, ଜମି ବିବାଦରୁ ପ୍ରଥମ ପରେ ସୁପାରି ଟଙ୍କାକୁ ନେଇ ଦ୍ବିତୀୟ ହତ୍ୟା

By

Published : Jul 1, 2023, 8:53 PM IST

ଗୁଣପୁର ଡବଲ ମର୍ଡର ଘଟଣା । ଜମି ବିବାଦରୁ ପ୍ରଥମ ହତ୍ୟା, ସୁପାରି ଟଙ୍କାକୁ ନେଇ ଦ୍ବିତୀୟ ହତ୍ୟା । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କଲା ଗୁଣପୁର ପୋଲିସ । ଅଧିକ ପଢ଼ନ୍ତୁ

gunpur double murder case
ଗୁଣପୁର ଡବଲ ମର୍ଡର ଘଟଣା

ଗୁଣପୁର ଡବଲ ମର୍ଡର ଘଟଣା

ରାୟଗଡ଼ା:ଖୋଲିଲା ଗୁଣପୁର ଡବଲ ମର୍ଡର ମିଷ୍ଟ୍ରି । ଜମି ବିବାଦରୁ ପ୍ରଥମ ହତ୍ୟା, ସୁପାରି ଟଙ୍କାକୁ ନେଇ ଦ୍ବିତୀୟ ହତ୍ୟା । ସ୍ଵେଚ୍ଛାସେବୀ ଗୌରୀ ପ୍ରସାଦ ମିଶ୍ରଙ୍କ ହତ୍ୟା ଘଟଣାର ଅଡୁଆ ସୂତା ଖିଅ ଖୋଜୁ ଖୋଜୁ ପୋଲିସ ପହଞ୍ଚିଛି ଏହି ଘଟଣାରେ ଜଡିତ ରହି ଅପହୃତ ଥିବା ଭି. ରାଜେଶ ମୃତଦେହ ପାଖରେ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ଗୁଡିଙ୍କୁଣ୍ଟା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରେ ମାଟିତଳୁ ଆନନ୍ଦପୁର ପୋଲିସ ସହାୟତାରେ ରାଜେଶର ମୃତଦେହ ଉଦ୍ଧାର କରିଥିଲା ଗୁଣପୁର ପୋଲିସ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରିଛି କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇଟି ମାଉଜର ଓ ଗୋଟିଏ ବାଇକକୁ ମଧ୍ୟ ପୋଲିସ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଜମିଜମାକୁ କେନ୍ଦ୍ର କରି ସ୍ଵେଚ୍ଛାସେବୀ ଗୌରୀ ପ୍ରସାଦ ମିଶ୍ରଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପାଇଁ ଭି. ରାଜେଶଙ୍କ ସହ ୩୦ ଲକ୍ଷ ଟଙ୍କା ସୁପାରି ହୋଇଥିଲା । ସମସ୍ତ ପ୍ରମାଣ ନଷ୍ଟ କରିବାକୁ ଯାଇ ହତ୍ୟା ଯୋଜନା କରିଥିବା ଦୁର୍ବୃତ୍ତ ମାନେ ସୁପାରିକିଲର ଭି. ରାଜେଶଙ୍କୁ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଆନନ୍ଦପୁର ନିକଟ ଗୁଡିଙ୍ଗୁଣ୍ଟାରେ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିଲେ । ନିଖୋଜ ରାଜେଶଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଆର କ୍ରିଷ୍ଣା, ଆକୁଲା ଗୋବିନ୍ଦା ଓରଫ ସିକେଙ୍କ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ଗୌରୀ ମିଶ୍ର ମୃତ୍ୟୁ ଘଟଣାରେ ନୂଆ ମୋଡ଼, ମୃତ୍ୟୁ ସମ୍ପର୍କରେ ଜାଣିଥିବା ଯୁବକଙ୍କୁ ଅପହରଣ !

ଏନେଇ ରାୟଗଡ଼ା ଏସପି କହିଛନ୍ତି ଯେ, "ଏକ ଜମିକୁ ନେଇ ମୃତ ଗୈାରୀ ମିଶ୍ର ଓ ଅଭିଯୁକ୍ତ ଆର କ୍ରିଷ୍ଣା ମଧ୍ୟରେ ବିବାଦ ରହିଥିଲା । ଏହାର ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ କ୍ରିଷ୍ଣା ତାଙ୍କ ଶଳା ଆକୁଲୁ ଗୋବିନ୍ଦା ଓରଫ ସିକେଙ୍କ ସହ ମିଶି ହତ୍ୟା ଯୋଜନା କରିଥିଲା । ସେମାନେ ଗୁଣପୁରର ସୁପାରିକିଲ ଭି. ରାଜେଶଙ୍କୁ ଯୋଗାଯୋଗ କରି ହତ୍ୟା ପାଇଁ ୩୦ ଲକ୍ଷ ଟଙ୍କା ଡିଲ କରିଥିଲେ । ଅଗ୍ରିମ ଆକାରରେ ମେ' ୩ ତାରିଖରେ ଏକ ଲକ୍ଷ ଟଙ୍କା ପରେ ଆଉ ଦୁଇ ଥର ୧ ଲକ୍ଷ ୯୦ ହଜାର ଟଙ୍କା ରାଜେଶକୁ ଦେଇଥିଲେ । ମୋଟ ୨ ଲକ୍ଷ ୯୦ ହଜାର ଟଙ୍କା ଅଗ୍ରିମ ଆକାରରେ ଦେଇ ଅବଶିଷ୍ଟ ଟଙ୍କା କାମ ହେବା ପରେ ଦେବାକୁ ଡିଲ ହୋଇଥିଲା । ଯୋଜନା ମୁତାବକ ମେ' ୧୩ ତାରିଖ ରାତି ସାଢେ ୯ଟାରେ ବଂଶଧାରା ସେତୁ ଉପରେ ଗୌରୀ ମିଶ୍ର ବନ୍ଧୁ ମାନଙ୍କ ଉପସ୍ଥିତିରେ ଭି. ରାଜେଶ, ମୁନା ଲିମା ଓ କାହ୍ନା ପ୍ରଧାନ ଏକ ବାଇକରେ ଯାଇ ତାଙ୍କ ଉପରକୁ ଏକ ରାଉଣ୍ଡ ଗୁଳି ମାରିଥିଲେ ।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ଦୁର୍ବୃତ୍ତ ମାନେ ସହରରୁ ଫେରାର ହୋଇଯାଇଥିଲେ । "

ତେବେ ଡିଲ ଅନୁଯାୟୀ ରାଜେଶଙ୍କୁ ଟଙ୍କା ନମିଳିବାରୁ ହତ୍ୟା ଘଟଣା ପ୍ରଘଟ କରିଦେବାକୁ କ୍ରିଷ୍ଣାକୁ ଧମକ ଦେଇଥିଲେ । ଏହାପରେ ଟଙ୍କା ସମ୍ପର୍କରେ କଥା ହେବା ପାଇଁ ମେ' ୧୯ ତାରିଖ ସନ୍ଧ୍ୟା ୭ ଟାରେ ବିଶାଖାପାଟଣା ସମୁଦ୍ର କୂଳକୁ ରାଜେଶକୁ ଆସିବା ପାଇଁ ଅଭିଯୁକ୍ତ କ୍ରିଷ୍ଣା ଓ ଗୋବିନ୍ଦା ଓରଫ ସିକେ ଜଣାଇଥିଲେ । ତେବେ ଗୌରୀ ମିଶ୍ର ହତ୍ୟା ସମ୍ପର୍କରେ ଜାଣିଥିବାରୁ ତା' ଜୀବନ ପ୍ରତି ବିପଦ ଥିବା ନେଇ ୧୬ ତାରିଖରେ ରାଜେଶ ନିଜ ମାଆଙ୍କୁ ଜଣାଇଥିଲା । ଏହାପରେ ପୁଅ ସହ ତାଙ୍କର କୌଣସି ଯୋଗାଯୋଗ ହୋଇନଥିଲା । ରାଜେଶର କୌଣସି ଖୋଜଖବର ନପାଇବାକୁ ଗୁଣପୁର ଥାନାକୁ ଯାଇ ଅଭିଯୁକ୍ତ କ୍ରିଷ୍ଣା ଓ ଗୋବିନ୍ଦାଙ୍କ ବିରୋଧରେ ଏତଲା ଦେଇଥିଲେ । ପୋଲିସ ଦୁଇ ଜଣଙ୍କୁ ଥାନାକୁ ଆଣି ଦୁଇ ଦିନ ଅଟକ ରଖି ପଚରାଉଚରା କରିବା ପରେ ରାଜେଶକୁ ହତ୍ୟା କରିବା ସହ ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇଁ ସୁପାରି ଦେଇଥିବା ନେଇ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି ବୋଲି ରାୟଗଡ଼ା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତଙ୍କୁ ଗୁଣପୁର କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଆହୁରି ଦୁଇଜଣ ଫେରାର ଥିବା କହିଛନ୍ତି ରାୟଗଡ଼ା ଏସପି ।



ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details