ଓଡିଶା

odisha

ଭୁବନେଶ୍ୱର ଇତିହାସ ଓ ବିକାଶର ଚିତ୍ର ବଖାଣୁଛି ସେବେ ଓ ଏବେର ଫଟୋ ପ୍ରଦର୍ଶନୀ

By

Published : Jan 20, 2023, 8:05 PM IST

ରାଜଧାନୀ ଛାତିରେ ଲେଖା ହେଉଥିବା ଏହି ସଫଳ କାହାଣୀ ସହ ପୂର୍ବର ଭୁବନେଶ୍ୱର ପାଖକୁ ଫେରାଇ ନେଇଛି ସେବେ ଓ ଏବେର ଫଟୋ ପ୍ରଦର୍ଶନୀ। ଅଧିକ ପଢନ୍ତୁ

sebbe au ebbe photo exhibition
sebbe au ebbe photo exhibition

sebbe au ebbe photo exhibition

ଭୁବନେଶ୍ବର:ହକି ବିଶ୍ୱକପ୍‌ ପାଇଁ ରାଜଧାନୀ ଏବେ ଚଳ ଚଞ୍ଚଳ। ନାଚ, ଗୀତ, ଖାଦ୍ୟ, ମନୋରଞ୍ଜନ ସହ ଆବାଳବୃଦ୍ଧ ଆଜି ଏକତ୍ରିତ । ରାଜଧାନୀ ଛାତିରେ ଲେଖା ହେଉଥିବା ଏହି ସଫଳ କାହାଣୀ ସହ ପୂର୍ବର ଭୁବନେଶ୍ୱର ପାଖକୁ ଫେରାଇ ନେଇଛି ସେବେ ଓ ଏବେର ଫଟୋ ପ୍ରଦର୍ଶନୀ । ୧୫୦ ବର୍ଷ ପୂର୍ବେ ଭୁବନେଶ୍ୱର କେମିତି ଥିଲା ତାହାର କାହାଣୀ କହୁଛି ଏହି ଛବି । ଭୁବନେଶ୍ୱରର ଡଟ ଫେଷ୍ଟର ସେବେ ଆଉ ଏବେର ଫଟୋ ପ୍ରଦର୍ଶନୀରେ ଏଭଳି ମନୋରମ ଦୃଶ୍ୟ ଦେଖିବାକୁ ମିଳିଛି । ରାଜଧାନୀର ଅଭୁଲା କାହାଣୀ କହୁଛି ଏହି ପ୍ରଦର୍ଶନୀ ।

୧୫୦ ବର୍ଷ ତଳେ ଭୁବନେଶ୍ବର କେମିତି ଦିଶୁଥିଲା ଆଉ ଏବେ କେମିତି ଦିଶୁଛି ତାହା ଏବେ ରାଜଧାନୀରେ ଦେଖିବାକୁ ମିଳୁଛି । ଏବେର ଭୁବନେଶ୍ୱର କେତେ ଉନ୍ନତ ଆଉ ବିକଶିତ ହୋଇଛି ତାହା ଏଠାରେ ପ୍ରତିପାଦିତ ହୋଇଛି । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ଜାବୁଡ଼ି ଧରିଥିବା ମନ୍ଦିର ମାଳିନୀ ସହର ଭୁବନେଶ୍ଵରର ପୁରୁଣା ଛବି ଦେଖି ଦର୍ଶକ ବିମୋହିତ ହେଉଛି । ସେତେବେଳର ଓଲ୍‌ଡ ଟାଉନର ବଜାର କଥା କୁହନ୍ତୁ ବା ଲିଙ୍ଗରାଜ ମନ୍ଦିର ସବୁକିଛି ନୂଆନୂଆ ଲାଗୁଛି । କେବଳ ପୁରୁଣା ଭୁବନେଶ୍ଵର କାହିଁକି ନୟାପଲ୍ଲୀ, ପଟିଆ, ବିମାନବନ୍ଦର, ଖଣ୍ଡଗିରି, ଶିଶୁପାଳଗଡ଼, ଧଉଳି, ବିନ୍ଦୁସାଗର, ରୁକୁଣା ରଥଯାତ୍ରା, ରେଳ ଷ୍ଟେସନ, ନନ୍ଦନକାନନ ସହ ଭୁବନେଶ୍ୱର ସହରର ନିର୍ମାଣ ସମୟର ଫଟୋକୁ ସ୍ଥାନିତ କରାଯାଇଛି ରାଜଧାନୀରେ ଚାଲିଥିବା ସେବେ ଆଉ ଏବେ ଫଟୋ ପ୍ରଦର୍ଶନୀରେ । ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି ।

ତେବେ ପ୍ରାୟ ୪୫୦ ଫଟୋରେ ହୋଇଛି ଏଭଳି ଏକ ପ୍ରଦର୍ଶନୀ । ଗବେଷକ, ଫଟୋଗ୍ରାଫର୍, ସ୍ଥାନୀୟ ଲୋକ, ପର୍ଯ୍ୟଟକ ଆଦିଙ୍କଠାରୁ ଫଟୋଗୁଡ଼ିକୁ ସଂଗ୍ରହ କରାଯାଇ ଏଠାରେ ପ୍ରଦର୍ଶିତ କରାଯାଇଛି । ଡଟ୍‌ଫେଷ୍ଟକୁ ପ୍ରବେଶ କରିବା ପଥରେ ଏହି ଅଭୁଲା ଅତୀତ ଫାଟୋ ସବୁକୁ ସ୍ଥାନିତ ହୋଇଛି । ଫଟୋଗୁଡ଼ିକ ୪ଟି ବିଭାଗରେ ପ୍ରଦର୍ଶିତ ହେଉଛି । ଯେମିତି କି "ୱି ଦ ପିପୁଲ," "ଫେଷ୍ଟିଭାଲ," "ମେକିଂ ଅଫ୍‌ ଦି ସିଟି" । ଭୁବନେଶ୍ୱରର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଜବାହରଲାଲ୍‌ ନେହରୁ ସିମେଣ୍ଟ ଦେବା ଫଟୋଠାରୁ ଆରମ୍ଭ କରି ମଦର୍ ଟେରେସା, ବିନୋବା ଭାବେ, ଅବଦୁଲ ଗଫର୍ ଖାନ ଓଡ଼ିଶା ଆସିବା ସମୟର ଫଟୋ ମଧ୍ୟ ‌ଦର୍ଶକ ଦେଖିବାକୁ ସୁଯୋଗ ପାଉଛନ୍ତି ।

ପ୍ରତ୍ୟେକ ଦିନ ଏହା ପୂର୍ବାହ୍ନ ୧୦ଟା ୩୦ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି । ୧୫୦ ବର୍ଷ ପୂର୍ବର ଭୁବନେଶ୍ୱରର କାହାଣୀ କହୁଥିଲା ଏହି ଛବି । ଯାହା ଅଭୁଲା ଅତୀତକୁ ମନେ ପକାଇବା ସହ ଅନେକଙ୍କ ସ୍ମୃତିକୁ ତାଜା କରିଛି ବୋଲି କହିଛନ୍ତି ରାଜଧାନୀବାସୀ । ରାଜଧାନୀବାସୀ କହିଛନ୍ତି, "ଏହି ଐତିହାସିକ ସହରର ବିକାଶକୁ ନେଇ ଆମେ ଗର୍ବ କରିବା ସହ ଆମେ ବି କାହାଠାରୁ କମ ନୁହେଁ ବୋଲି କହିପାରୁଛୁ ।" ତେବେ ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍‌ରେ ଆୟୋଜିତ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ (ଦେନ୍ ଆଣ୍ଡ୍ ନାଓ) ଏହି ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ପ୍ରଦର୍ଶନୀ ୨୯ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details