ଓଡିଶା

odisha

ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା: ମୋତେ ଟିକେଟ ମିଳିବ, ମୁଁ ଜିତିବି କହିଲେ ଚିଲିକା ବିଧାୟକ

By

Published : Jan 14, 2023, 4:53 PM IST

ଆଗାମୀ ବିଧାନସଭା ନିର୍ବାଚନ ଲଢିବା ନେଇ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା । କହିଲେ ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା । ଆଗମୀ ନିର୍ବାଚନରେ ମତେ ଟିକେଟ ମିଳିବ ଓ ମୁଁ ଜିତିବି । ଅଧିକ ପଢନ୍ତୁ

ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା
ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା

ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରଶାନ୍ତ ଜଗଦ୍ଦେବଙ୍କ ପ୍ରତିକ୍ରିୟା

ଖୋର୍ଦ୍ଧା: ''ମୋ ଉପରୁ ଦଳ ନିଲମ୍ବନ ଉଠାଇବ । ମୋତେ ବିଜେଡିରୁ ଟିକେଟ ମିଳିବ ଓ ମୁଁ ଜିତିବି ।'' ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡି ମଡାଇବା ଘଟଣାରେ ଅଭିଯୁକ୍ତ ଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏମିତି କିଛି କହି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ବାହୁବଳୀ ବିଧାୟକ ।

ଏହାସହିତ ଜଗଦ୍ଦେବ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପୂର୍ବତନ ବିଧାୟକଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ''ମୋ ବିରୁଦ୍ଧରେ ଷଡଯନ୍ତ୍ର ହୋଇଥିଲା । ପୂର୍ବତନ ବିଧାୟକଙ୍କ ଷଡଯନ୍ତ୍ରର ଶିକାର ହୋଇ ମୁଁ ଦଳରୁ ନିଲମ୍ବନ ହୋଇଛି । ମୋର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସେ ଅତିଷ୍ଠ ହୋଇପଡିଥିଲେ ଏବଂ ନିଜେ ବିଧାୟକ ହେବା ପାଇଁ ଜାଣିଶୁଣି ମୋ ବିରୁଦ୍ଧରେ ଷଡଯନ୍ତ୍ର ରଚିଥିଲେ ।'' ତେବେ ଜଗଦ୍ଦେବ ଖାଲି ଟାର୍ଗେଟ କରିନାହାନ୍ତି ବରଂ ରଘୁନାଥଙ୍କ ବ୍ୟକ୍ତିଗତସ୍ତରକୁ ଯାଇ ସମାଲୋଚନା କରିଛନ୍ତି ।

ସେ ଅଭିଯୋଗ କରିଛନ୍ତି, ''ରଘୁନାଥ ସାହୁ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଷ୍ଟୋରେଜ ଏଜେଣ୍ଟ ଥିଲେ ଏବଂ ଚାଉଳ ଚୋରି କରି ବିକ୍ରି କରୁଥିଲେ । ଏହାସହିତ ପାମ୍ ଅଏଲ ଯୋଗାଣ କରୁଥିବା ବେଳେ ସେ ତେଲ ଚୋରି କରୁଥିଲେ । ଆହୁରି ମଧ୍ୟ କାଠ ଚୋରି ଓ ଚୋରା ମଦ କାରବାରରେ ତାଙ୍କ ସମ୍ପୃକ୍ତି ଥିଲେ ।'' ରଘୁ ସୈତାନ ହୋଇ ବେଦପାଠ କରୁଥିବା ସେ କହିଛନ୍ତି ।

ମୁଁ ଦଳ ପାଇଁ ଲଢ଼ି ନିଲମ୍ବନ ହୋଇଛି ଏହା ସୁପ୍ରିମୋ ଜାଣିଛନ୍ତି ଏବଂ ମୋ ଉପରେ ପୁଣି ଆସ୍ଥା ପ୍ରକଟ କରି ଆଗାମୀ ସାଧାରଣ ନିର୍ବାଚନରେ ଟିକେଟ ଦେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଚିଲିକା ବିଧାୟକ । ସେପଟେ ଘଟଣା ସମ୍ପର୍କରେ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଦୁଇ ନେତାଙ୍କ କାଦୁଅ ଫୋପଡା ରାଜନୀତି ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାଣପୁର ବ୍ଲକ ଅଫିସ୍ ସମ୍ମୁଖରେ ସାଧାରଣ ଜନତାଙ୍କ ଉପରେ ଗାଡି ମଡାଇ ଦେଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ଏଥିରେ କିଛି ସାଧାରଣ ଲୋକଙ୍କ ସମେତ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ ବିଧାୟକଙ୍କୁ ଗାଡିରୁ ଟାଣି ଆଣି ପ୍ରବଳ ମାଡ ମାରି ଲହୁଲୁହାଣ କରିଦେଇଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details