ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଛି । ୪ ଦିନିଆ ରିମାଣ୍ଡ ସରିବା ପରେ ଭୁବନେଶ୍ବର ସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହେଲେ ଅଭିଯୁକ୍ତ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଞ୍ଜିନିୟର ଆମୀର ଖାନ, ଟେକ୍ନସିଆନ ପପୁ କୁମାର । ପୂର୍ବରୁ ଏମାନଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଥିଲା । ୯ ଦିନିଆ ରିମାଣ୍ଡ ପରେ ତିନି ଅଭିଯୁକ୍ତଙ୍କୁ ଜେଲକୁ ପଠାଯାଇଛି । ରେଳ ବିଭାଗ ଦ୍ବାରା ନିଲମ୍ବିତ ହୋଇଥିବା ଅନ୍ୟ ୪କର୍ମଚାରିଙ୍କୁ ମଧ୍ୟ ସମନ କରି ପରେ ଜେରା କରିସାରିଛି ସିବିଆଇ । ସେମାନଙ୍କ ମଧ୍ୟରେ ରହିଛନ୍ତି ସିନିଅର୍ ସେକ୍ସନ ଇଞ୍ଜିନିୟର ଅରୁଣଙ୍କ ବସ୍ ବା ଉପରିସ୍ଥ ଅଧିକାରୀ ଆସିଷ୍ଟାଣ୍ଟ ସିଗନାଲ ଟେଲିକମ ଇଞ୍ଜିନିୟର । ସେପଟେ ବିଚାର ବିଭାଗୀୟ ହାଜତକୁ ଯିବା ପୂର୍ବରୁ କ୍ୟାମେରା ଆଗରେ ମୁହଁ ଖୋଲିଲେ ସେକ୍ସନ ଇଞ୍ଜିନିୟର ଆମୀର ଖାନ ।
ଏହା ମଧ୍ୟ ପଢ଼ନ୍ତୁ:Balasore Train Tragedy: ରେଳବାଇର ଆକ୍ସନ, 7 କର୍ମଚାରୀ ନିଲମ୍ବିତ
ସେକ୍ସନ ଇଞ୍ଜିନିୟର ଅମୀର ଖାନ କହିଛନ୍ତି,"ଯେଉଁ ପଏଣ୍ଟ ସେକ୍ସନର ତୃଟି ପାଇ ମେନ ଲାଇନରୁ ଲୁପ ଲାଇନକୁ ଟ୍ରେନଟି ଗଲା । ଆଉ ମାଲବାହୀ ଟ୍ରେନକୁ ପଛପଟୁ ପିଟିଲା, ଅର୍ଥାତ୍ ସେହି ପଏଣ୍ଟ ସେକ୍ସନ ତୃଟି ଆଗରୁ ଥିଲା ।ସାଧାରଣତଃ ଯେଭଳି କାମ ହେବା କଥା ସେପରି ହୋଇଥିଲା । ଯେପରି ଡ୍ରଇଂ ରହିଛି ସେହି ହିସାବରେ କାମ କରାଯାଇଛି । ଏହି ଅଘଟଣରେମୋର କୌଣସି ଭୁଲ ହୋଇନାହିଁ ।" CBI ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ଯାଉଥିବା ବେଳେ ଗଣମାଧ୍ୟମ ଆଗରେ ମୁହଁ ଖୋଲି କିଛି ଏପରି କହିଛନ୍ତି ସେକ୍ସନ ଇଞ୍ଜିନିୟର ଆମୀର ଖାନ । ୯ ଦିନିଆ ରିମାଣ୍ଡ ଶେଷ ହେବା ପରେ ଅମୀରଙ୍କ ସହ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହନ୍ତ ଓ ଟେକ୍ନିସିଆନ୍ ପପୁ ଯାଦବଙ୍କ ରିମାଣ୍ଡ ଶେଷ ପରେ ତିନିଜଣଙ୍କୁ ଝାରପଡ଼ା ଜେଲ ପଠାଯାଇଛି ।