ଓଡିଶା

odisha

ନାଳରେ ଛପିଥିଲା ମୃତ୍ୟୁ, ଚାଲିଗଲା ଅଟୋ ଚାଳକଙ୍କ ଜୀବନ

By ETV Bharat Odisha Team

Published : Nov 13, 2023, 9:44 PM IST

ନାଳକୁ ଖସିଲା ଅଟୋ । ଅକାଳରେ ଚାଲିଗଲା ଚାଳକଙ୍କ ଜୀବନ । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କିଛି ପୋଲିସ । ଅଧିକ ପଢ଼ନ୍ତୁ

ନାଳକୁ ଖସିଲା ଅଟୋ
ନାଳକୁ ଖସିଲା ଅଟୋ

ନାଳକୁ ଖସିଲା ଅଟୋ

ଫୁଲବାଣୀ: ବାଟରେ ଜଗିଥିଲା ଯମ । ନାଳକୁ ଖସିଲା ଅଟୋ । ଅକାଳରେ ଚାଲିଗଲା ଚାଳକଙ୍କ ଜୀବନ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ସେପଟେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କିଛି ପୋଲିସ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ।

ପୋଲିସର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଲଦା ଡେଲରପଡା ଗାଁର କାର୍ତ୍ତିକ ମାଝୀଙ୍କ ପୁଅ ସିଦ୍ଧାନ୍ତ ମାଝୀ ରବିବାର ନିଜର ଅଟୋରେ କିଛି ଯାତ୍ରୀଙ୍କୁ ନେଇ ଫିରିଙ୍ଗିଆ ବ୍ଲକ ନୂଆପଦର ଠାରେ ଚାଲିଥିବା ଶ୍ୟାମାକାଳୀ ଯାତ୍ରାକୁ ଯାଇଥିଲେ । ସେଠାରେ ଯାତ୍ରୀମାନଙ୍କୁ ଛାଡି ଫେରୁଥିବା ସମୟରେ ବିଳମ୍ବିତ ରାତିରେ ତେଲିମୁଣ୍ଡା ଛକ ନିକଟରେ ଥିବା ନାଳ ରାସ୍ତାରେ ଘନ କୁହୁଡି ଯୋଗୁ ଅଟୋଟି ଭାରସାମ୍ୟ ହରାଇ ନାଳ ଭିତରକୁ ଖସି ପଡିଥିଲା । ଫଳରେ ଅଟୋ ସହ ଚାଳକ ଜଣକ ନାଳ ଭିତରେ ଥିବା ଗଭୀର ପାଣିରେ ବୁଡି ଯିବା ସହ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ସେପଟେ ସୋମବାର ସକାଳୁ ଫିରିଙ୍ଗିଆ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀଙ୍କ ସହଯୋଗରେ ପାଣିରେ ବୁଡ଼ିଯାଇ ଥିବା ଅଟୋକୁ ବାହାର କରିବା ସହ ପାଣି ଭିତରୁ ମୃତଦେହକୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୦/୨୩ ରେ ଏକ ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ପଠାଯାଇଛି । ଏହାସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ......Watch: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର, ଡ୍ରାଇଭର ଉଦ୍ଧାର

ଅନ୍ୟପଟେ ଘଟଣାକୁ ନେଇ ମୃତ ଅଟୋ ଚାଳକଙ୍କ କାକା ରାମଚନ୍ଦ୍ର ମାଝୀ ଫିରିଙ୍ଗିଆ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ମୃତ ଅଟୋ ଚାଳକ ଜଣଙ୍କ ତାଙ୍କ ବାପା ମାଆଙ୍କ ସାନ ପୁଅ ହୋଇଥିବା ବେଳେ ସେ ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଗତବର୍ଷ ଯୁକ୍ତ ଦୁଇରେ ପାଠ ପଢା ସାରିଥିଲେ । ପରିବାରର ଆର୍ଥିକ ଅବସ୍ଥା ଠିକ ନଥିବାରୁ ପାଠପଢ଼ା ବନ୍ଦ ହୋଇଯାଇଥିଲା । କିଛିଦିନ ତଳେ ମୃତ ଅଟୋ ଚାଳକଙ୍କ ବଡ଼ ଭାଇ ଲୋନ କରି ସାନଭାଇଙ୍କୁ ରୋଜଗାରକ୍ଷମ କରିବା ଆଶାରେ ଏକ ଅଟୋ କିଣିଥିଲେ । ଦୁଇମାସ ଧରି ଅଟୋ ମଧ୍ୟ ଠିକଠାକ ଚାଲିଥିବା ବେଳେ ରୋଜଗାର ଭଲ ହେଉଥିଲା । କିନ୍ତୁ ହଠାତ ଘରର ରୋଜଗାରିଆ ପୁଅର ଏମିତି ଦୁର୍ଘଟଣାରେ ଜୀବନ ଚାଲିଯିବାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ।

ମୃତ ଅଟୋ ଚାଳକଙ୍କ ମୃତ୍ୟୁକୁ ନେଇ ସାରା ରତଙ୍ଗ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଦୁର୍ଘଟଣା ଘଟିଥିବା ସ୍ଥାନଟି ଏକ ବୁଲାଣି ଯାଗାରେ ଥିବା ବେଳେ ବାରମ୍ବାର ଏଠାରେ ଦୁର୍ଘଟଣା ଘଟି ଚାଲିଛି । ଗତ ଦୁଇମାସ ମଧ୍ୟରେ ଏହି ଗୋଟିଏ ସ୍ଥାନରେ ପ୍ରାୟ ସାତଟି ଦୁର୍ଘଟଣା ଘଟି ସାରିଥିବା ବେଳେ ଚାରିଜଣ ବ୍ୟକ୍ତି ପ୍ରାଣ ହରାଛନ୍ତି । ଯାହାକୁ ନେଇ ଏହି ସ୍ଥାନରେ ରାସ୍ତା କଡରେ ସୁରକ୍ଷା ପାଇଁ ବେରିକେଟର ବ୍ୟବସ୍ତା କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details