ଭବାନୀପାଟଣା:କଳାହାଣ୍ଡି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏଠାକାର ଅଧିକାଂଶ ଲୋକ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ । ଜିଲ୍ଲାରେ ଚାଷୀମାନେ ମୁଖ୍ୟତଃ ଧାନ ଚାଷ ଉପରେ ପ୍ରାଧାନ୍ୟ ଦେଇଥାନ୍ତି । କେନାଲ ଜଳସେଚନର ସୁବିଧା ଥିବାରୁ ଉଭୟ ଖରିଫ ଏବଂ ରବି ଫସଲ ଭାବରେ ବର୍ଷରେ ଦୁଇଥର ଧାନ ଚାଷ କରିଥାନ୍ତି ଚାଷୀ । ତେବେ ଜିଲ୍ଲାରେ ଖରିଫ ଫସଲ ଅମଳ ସରିଥିବା ବେଳେ ରବି ଫସଲ ପାଇଁ କେନାଲରେ ପାଣି ଛାଡ଼ି ଜଳସେଚନର ସୁବିଧା ଦେବାକୁ ଦାବି କରିଛନ୍ତି ଚାଷୀ ।
ରବି ଧାନ ଚାଷ ପାଇଁ ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଜଳସେଚନ ହେବା ନେଇ ଇନ୍ଦ୍ରାବତୀ ଜଳସେଚନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମେଗାଲିଫ୍ଟ କେନାଲରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଡହଗାଁ, ମୂଷାପାଲି, ଡାଲଗୁମା ପଞ୍ଚାୟତକୁ ଚଳିତ ରବି ଋତୁରେ ଚାଷ କାମ ପାଇଁ ଜଳ ସେଚନ ଯୋଗାଇ ଦେବାକୁ ଆଜି ଶତାଧିକ ଚାଷୀ କୁସୁମଖୁଣ୍ଟି ମେଗାଲିଫ୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଜଳସେଚନ କରିବା ପାଇଁ ଦାବି କରି ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ଯଦି ଆସନ୍ତା 27 ତାରିଖ ସୁଦ୍ଧା କୌଣସି ସମାଧାନ ନହୁଏ ତେବେ 28 ତାରିଖରୁ ଆନ୍ଦୋଳନ ତୀବ୍ରତର କରିବାକୁ ଚେତାବନୀ ଦେଇଛନ୍ତି ଚାଷୀ । ସେପଟେ ଲିଫ୍ଟ ଇରିଗେସନ ଏସ୍ଡିଓ ପ୍ରଣୟ ପ୍ରଧାନ କହିଛନ୍ତି ଯେ, ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଜଳସେଚନର ସୁବିଧା କରାଯିବ ।