ଓଡିଶା

odisha

ଯାଜପୁରରେ ନୂଆଁଖାଇ ଭେଟଘାଟ

By

Published : Sep 16, 2019, 6:57 PM IST

ଉପକୂଳ ଓଡିଶାର ଯାଜପୁର ଜିଲ୍ଲାରେ ପଶ୍ଚିମ ଓଡିଶାର ଗଣପର୍ବ ଭାବେ ପାଳିତ ହୋଇଛି ନୂଆଁଖାଇ । ଜିଲ୍ଲାରେ ବସବାସ କରୁଥିବା ପଶ୍ଚିମ ଓଡିଶାର ଅଧିବାସୀ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ନେଇ ଆୟୋଜିତ କରିଛନ୍ତି ଏଭଳି ଏକ ମନୋଜ୍ଞ କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ପଶ୍ଚିମ ଓଡିଶାର ଗଣପର୍ବ ଭାବେ ପାଳିତ ହୋଇଛି ନୂଆଁଖାଇ । ତାହା ପୁଣି ଉପକୂଳ ଓଡିଶାର ଯାଜପୁର ଜିଲ୍ଲାରେ । ଶିଳ୍ପ ଜିଲ୍ଲା ଯାଜପୁରର ବ୍ୟାସନଗର ସହରରେ ବଡ ଧୂମଧାମରେ ପାଳିତ ହୋଇଛି ପଶ୍ଚିମ ଓଡିଶାର ଏହି ଗଣପର୍ବ । ଏଠାରେ ବସବାସ କରୁଥିବା ପଶ୍ଚିମ ଓଡିଶାର ଅଧିବାସୀ ମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି ନୂଆଁଖାଇ ପର୍ବ । ପାରମ୍ପରିକ ରୀତିନୀତିକୁ ବଜାୟ ରଖି ବିଭିନ୍ନ ପ୍ରତିଯୋଗୀତା, ନାଚଗୀତ, ଲୋକକଳା ଆଦି ପ୍ରଦର୍ଶନ କରିବା ସହ ନୂତନ ଖାଦ୍ୟ ପରଷି ପରସ୍ପରକୁ ନୂଆଁଖାଇ ଜୁହାର୍ କରିଛନ୍ତି । ଉତ୍ସବ ମୁଖର ପରିବେଶରେ ସମାହିତ ହୋଇଥିଲା ଶତାଧିକ ପରିବାରଙ୍କ ଭେଟଘାଟ୍ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଚାଲିଛି ପଶ୍ଚିମ ଓଡିଶାର ନାଚଗୀତ ଓ ଲୋକକଳା । ଆୟୋଜିତ ହୋଇଛି ବିଭିନ୍ନ ପ୍ରକାର କଳା ସଂସ୍କୃତିର ପ୍ରତିଯୋଗୀତା । କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚ ଉପରେ ପୁରଷ୍କୃତ କରାଯାଉଛି । ସୁସଜ୍ଜିତ ମଞ୍ଚ ଓ ତୋରଣ ସହିତ ହଲ ଭିତରେ ମଧ୍ୟ ଖଚାଖଚ୍ ଭିଡ । ଯାଜପୁର ଜିଲ୍ଲାରେ ବସବାସ କରୁଥିବା ପଶ୍ଚିମ ଓଡିଶାର ଅଧିବାସୀ ମାନେ ନିଜ ନିଜ ପରିବାର ଓ ବନ୍ଧୁବର୍ଗଙ୍କୁ ନେଇ ଆୟୋଜିତ କରିଛନ୍ତି ଏଭଳି ଏକ ମନୋଜ୍ଞ କାର୍ଯ୍ୟକ୍ରମ । ପରମ୍ପରା ଅନୁଯାୟୀ ନୂତନ ବସ୍ତ୍ର ପରିଧାନ କରି ନୂଆ ଚାଉଳରେ ପ୍ରସ୍ତୁତ ଖାଦ୍ୟରେ ପରଷିଛନ୍ତି ଅତିଥିଙ୍କୁ । ପରସ୍ପରକୁ ଆଲିଙ୍ଗନ କରି ନୂଆଁଖାଇ ଜୁହାର କରିବା ସହିତ ସାନ ମାନେ ବଡ ମାନଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ପର୍ବର ମଜା ଉଠାଇବା ପାଇଁ ମଞ୍ଚରେ ଆୟୋଜିତ ହୋଇଥିଲା ପଶ୍ଚିମ ଓଡିଶାର ବିଭିନ୍ନ ଲୋକନୃତ୍ୟ, ନାଚଗୀତ ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

କିଛି ଦିନ ପୂର୍ବରୁ ହିଁ ଆରମ୍ଭ ହୋଇଯାଇଥିଲା ପ୍ରସ୍ତୁତି । ପରମ୍ପରା ଅନୁଯାୟୀ ମହିଳା ମାନେ ସକାଳୁ ଉଠି ଘର ସଫା କରିବା ପରେ ପୂଜାର୍ଚ୍ଚନା କରିଥିଲେ । ଏହାପରେ ନୂତନ ଅନ୍ନରେ ରୋଷେଇ କରି ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ । ଏହାପରେ ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ନବାନ୍ନ ପରଷିଥିଲେ । ତେବେ ବୈଜ୍ୟୋଷ୍ଠଙ୍କୁ ସମ୍ମାନ ଜଣାଇ ଏହି ପରମ୍ପରା ପ୍ରଚଳିତ ହୋଇଆସିଛି । ନିଜ ନିଜର ଗାଁ ଭିଟାମାଟି ଓ ଘର ଛାଡି ଚାକିରି ଓ ବ୍ୟବସାୟ ଆଦିରେ ସଂଶ୍ଳିଷ୍ଟ ଥିବା ପଶ୍ଚିମ ଓଡିଶାର ବାସିନ୍ଦା ମାନେ ବ୍ୟାସନଗର ସହରରେ ଆୟୋଜିତ କରିଥିଲେ ଏହି ପାରମ୍ପରିକ ଉତ୍ସବ । ଏହା ପାଳନ କରିବାକୁ ଏଠାରେ ଏକତ୍ର ହୋଇଥିଲେ ପଶ୍ଚିମ ଓଡିଶାର 4ଶହରୁ ଊର୍ଦ୍ଧ୍ବ ପରିବାର ।

ଗତବର୍ଷ ଯାଜପୁରର ବ୍ୟାସନଗର ସହରରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲା ନୂଆଁଖାଇ ପର୍ବ । ଏବର୍ଷ 2ୟ ଥର ପାଇଁ ପାଳନ କରାଯାଇଛି ଏହି ଗଣପର୍ବ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details