ଗଜପତି:ରାଜ୍ୟ ସରକାର ଶିକ୍ଷାର ବିକାଶ କରୁଥିବା କହୁଛନ୍ତି । ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ ମାଧ୍ୟମରେ କୋମଳମତି ପିଲାମାନେ ଏକ ସୁସ୍ଥ ବାତାବରଣ ଓ ନିରାପଦ ଶ୍ରେଣୀ ଗୃହରେ ବସି ପାଠ ପଢି ବିଦ୍ୟା ଅର୍ଜନ କରନ୍ତୁ । ସେମାନେ ସ୍ମାର୍ଟ ଶ୍ରେଣୀରେ ବସି ପାଠ ପଢି ସ୍ମାର୍ଟ ହୁଅନ୍ତୁ । ଏଭଳି ପରିକଳ୍ପନା ନେଇ ୫-ଟି ଜରିଆରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅନେକ ଶିକ୍ଷାନୁଷ୍ଠାନର ଚିତ୍ର ବଦଳାଇଥିବା କହୁଥିବା ବେଳେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ । ଯେଉଁଠି ଆଜି ମଧ୍ୟ ଏଭଳି କିଛି ବିଦ୍ୟାଳୟ ରହିଛି ଯେଉଁଠାରେ ଭଙ୍ଗା କୁଡିଆରେ ବସି ପାଠ ପଢିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ ।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଲୋବା ପଞ୍ଚାୟତର ତାଲାସାହି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ବିକଳ ଚିତ୍ର । ୧୯୫୯ ମସିହାରେ ତାଲାସାହି ଗ୍ରାମରେ ଏହି ପ୍ରାଥମିକ ବିଦ୍ୟାଳୟଟି ସ୍ଥାପିତ ହୋଇଛି । ଭ୍ରମରସିଂ, ତମରେଙ୍ଗ, ମାଧେପୁର ଏବଂ ତାଲାସାହି ଆଦି ଗ୍ରାମର ପିଲାମାନେ ଏହି ବିଦ୍ୟାଳୟ ଉପରେ ନିର୍ଭରଶୀଳ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ମୋଟ ୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିୟୋଜିତ ହୋଇଛନ୍ତି । ପାଞ୍ଚଟି ଶ୍ରେଣୀ ପାଇଁ ବିଦ୍ୟାଳୟରେ ରହିଛି ମାତ୍ର ଗୋଟିଏ କୋଠା ଘର ।
ସେଠାରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲୁଥିବା ବେଳେ ଗୋଟିଏ ଶ୍ରେଣୀର ପିଲା ସେଠାରେ ବସି ପଢୁଛନ୍ତି। ସେହିଭଳି ଦୁଇଟି ଶ୍ରେଣୀର ପିଲା ସ୍କୁଲ ବାରଣ୍ଡାରେ ବସୁଥିବା ବେଳେ ଆଉ ଦୁଇଟି ଶ୍ରେଣୀର ପିଲା ଭଙ୍ଗା କୁଡିଆରେ ବସି ପାଠ ପଢ଼ୁଛନ୍ତି । ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ବସିବାକୁ ଜାଗା ହେଉନଥିବାରୁ ସେହି କୁଡିଆ ଖଣ୍ଡକ ବି ଗାଁ ଲୋକେ ତିଆରି କରିଛନ୍ତି । ସେପଟେ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ନଥିବା ବେଳେ ଶୌଚାଳୟ ଗୁଡିକ ମଧ୍ୟ ଭାଙ୍ଗିରୁଜି ଯାଇଛି । ଏଭଳି ଅବ୍ୟବସ୍ଥା ମଧ୍ୟରେ କୁନି କୁନି ଶିଶୁଙ୍କ ଭବିଷ୍ୟତ ଗଢ଼ା ଚାଲିଛି ।