ଦେବଗଡ଼:ରାବଣ ପୋଡିରେ ଘଟିଲା ଲଙ୍କାକାଣ୍ଡ । ପୁଣି ବିବାଦରେ ଛନ୍ଦି ହେଲେ ସାଂସଦ ନିତେଶ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ । ପୂଜା କମିଟି କର୍ମକର୍ତ୍ତାଙ୍କ ଦ୍ଵାରା ହଟହଟା ହେଲେ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେଵଙ୍କ ଧର୍ମପତ୍ନୀ ଅରୁନ୍ଧତୀ ଦେବୀ । ଏନେଇ ଉଭୟ ପକ୍ଷରୁ ଦେବଗଡ଼ ଆଦର୍ଶ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି । ସେପଟେ ଘଟଣାଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଦେବଗଡ଼ ରାଜ ପରିବାର ସଦସ୍ୟ ତଥା ସମ୍ବଲପୁର ଲୋକସଭା ସାଂସଦଙ୍କ ପତ୍ନୀ ଅରୁନ୍ଧତୀ ଦେବୀ । ଗତ କିଛିଦିନ ପୂର୍ବରୁ ରାଜନୈତିକ ବୟନବାଜିକୁ ନେଇ ସେ ଚର୍ଚ୍ଚାରେ ଥିଲେ । ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହାକି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ , ଏବେ ପୁଣି ରାବଣ ପୋଡି ଉତ୍ସବରେ ମୁଖ୍ୟ ଅତିଥି କରାଯିବାକୁ କେନ୍ଦ୍ର କରି ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କ ସହ ବିବାଦ ଉପୁଜିଛି ।
ସୂଚନା ଅନୁଯାୟୀ , ଗତକାଲି ଦେବଗଡ଼ ଖପର ସାହି ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ରାବଣ ପୋଡି ଉତ୍ସବ କାର୍ଯ୍ୟକ୍ରମ ଚାଲିଥିଲା । ଏହି କାର୍ଯ୍ୟକ୍ରମରେ ଅରୁନ୍ଧତୀ ଦେବୀ ନିମନ୍ତ୍ରିତ ହୋଇନଥିଲେ ସୁଦ୍ଧା ସେ ତାଙ୍କ ସମର୍ଥକଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପୂଜା କମିଟି ସଦସ୍ୟ । ଅରନ୍ଧତୀ ନିଜକୁ ଅତିଥି କରିବାକୁ କମିଟି କର୍ମକର୍ତ୍ତାଙ୍କୁ କହିଥିବା ଅଭିଯୋଗ ହୋଇଛି । ମାତ୍ର କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଥିବାରୁ ତାଙ୍କୁ ଅତିଥି କରିବା ସମ୍ଭବ ନୁହଁ , ବୋଲି କମିଟି କର୍ମକର୍ତ୍ତା ସ୍ପଷ୍ଟ ଭାବେ ମନା କରିଦେଇଥିଲେ । ଏହାକୁ ନେଇ କମିଟି ସଭାପତି ଉମାଶଙ୍କର ସାହୁ ଓ ଅନ୍ୟ କର୍ମକର୍ତ୍ତାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ।