କଟକ:ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପର ମେଗା ଉଦଘାଟନୀ ଉତ୍ସବ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ଉଦଘାଟନୀ କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ସ୍ମରଣୀୟ କରିବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛି ଓସିଏ । ଏହି ଉଦଘାଟନୀ ଉତ୍ସବରେ କଟକ ମହାନଗର ପୂଜା କମିଟି, କଟକ ମହାନଗର ଶାନ୍ତି କମିଟି, କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ସାମିଲ ରହିବେ । ହକି ମହାକୁମ୍ଭର ଉଦଘାଟନୀ ସମାରୋହକୁ କିଭଳି ସଫଳ ଭାବରେ ଆୟୋଜନ କରାଯାଇପାରିବ ସେନେଇ ଓସିଏ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଜି (ମଙ୍ଗଳବାର) ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ହକି ବିଶ୍ବକପର ଉଦଘାଟନୀ ଉତ୍ସବକୁ କିଭଳି ସଫଳ ଭାବରେ ଆୟୋଜନ କରାଯିବ ସେ ବାବଦରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସବୁ ପୂଜା କମିଟି ଓ ଶାନ୍ତି କମିଟି କର୍ମକର୍ତ୍ତା, ଓସିଏ ସମ୍ପାଦକ ସଞ୍ଜୟ ବେହେରା, କଟକ ମହାନଗର ପୂଜା କମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ ହକି ବିଶ୍ବ କପର ଉଦଘାଟନୀ ଉତ୍ସବ ଯେପରି ବିଶ୍ଵସ୍ତରୀୟ ହେବ ସେଥି ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ ରହିଛି । ସେପଟେ କଟକ ମେୟର ସୁବାସ ସିଂହ କହିଛନ୍ତି ହକି ବିଶ୍ବକପ କଟକର ମର୍ଯ୍ୟାଦା ଓ ଗାରିମାକୁ ଆହୁରି ଆଗକୁ ନେବାର ସହାୟକ ହେବ ।