ବୌଦ୍ଧ:କମୁଛି ଶୀତ ବଢୁଛି ରାତ୍ରି ତାପମାତ୍ରା । ଗତ କିଛି ଦିନ ଧରି ରାଜ୍ୟରେ ଲାଗି ରହିଥିବା ଶୀତର ପ୍ରକୋପ କମୁଛି । ଲଗାତର ଏକ ସପ୍ତାହ ଧରି ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ପବନ ଧିରେ ଧିରେ ଦୁର୍ବଳ ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ପ୍ରକୋପ କମିବା ସହ ଘନ କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଦିନ ୧୦ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଆଚ୍ଛାଦିତ କରି ରଖିଥିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି ।
ଆଜି ରବିବାର ଥିବା ସତ୍ତ୍ବେ ଘନ କୁହୁଡି ଯୋଗୁଁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ଖାଲି ରହିଥିଲା । ବିଭିନ୍ନ ସ୍ଥାନରେ ଶୀତରୁ ରକ୍ଷା ପାଇବାକୁ ସାଧାରଣ ଲୋକେ ନିଆଁ ପୋଇଁ ବସିଥିଲେ । ଆଜି ଚଳିତ ବର୍ଷର ସର୍ବାଧିକ କୁହୁଡି ଆଚ୍ଛାଦିତ ହୋଇଥିବା ବେଳେ ସକାଳୁ କାକର ବୁନ୍ଦା ଯୋଗୁଁ ବର୍ଷା ଋତୁର ଭ୍ରମ ସୃଷ୍ଟି ହୋଇଥିଲା । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଗୁନ୍ଦୁଳିଆ, ଶଗଡ଼ା, ଲମ୍ବସରୀ, ବରଗାଁ, ନାରାୟଣ ପ୍ରସାଦ, ଆମ୍ବଝରୀ, ଟିକରପଡା, କୁଶଙ୍ଗ, ମହାଲିକପଡା, ତଳଗାଁ, ଆଢେଣୀଗଡ ଭଳି ପଞ୍ଚାୟତର ଉପାନ୍ତ ଅଞ୍ଚଳରେ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।
ଏହା ମଧ୍ୟ ପଢନ୍ତୁ- ପାଣିପାଗ ଖବର: ରାଜ୍ୟରେ କମିବ ଶୀତ, ବଢ଼ିବ କୁହୁଡ଼ି