ଭୁବନେଶ୍ବର:ପଦ୍ମପୁର ଉପନିର୍ବାଚନ ପାଇଁ ଜାରି ରହିଛି ଭୋଟିଂ ପ୍ରକ୍ରିୟା । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ୩୧୯ଟି ବୁଥରେ ମତଦାନ ଜାରି ରହିଥିବା ବେଳେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ସେହିପରି ଦିନ ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ଓ ଦିନ ୧ଟା ସୁଦ୍ଧା 46.96 ପ୍ରତିଶତ ମତଦାନ ହୋଇଛି । ବର୍ତ୍ତମାନ ସମସ୍ତ ବୁଥରେ କଡା ସୁରକ୍ଷାବଳ ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।
ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ''ସବୁଠୁ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି । କୌଣସି ସ୍ଥାନରେ ଆଇନ୍ ଶୃଙ୍ଖଳା ସ୍ଥିତି ଆସିନାହିଁ । ଭୋଟର ମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି । ୧୨ ଜଣ ଜୋନାଲ ମାଜିଷ୍ଟ୍ରେଟ, ୩୬ ସେକ୍ଟର ଅଫିସର, ୪୫ ମୋବାଇଲ ପୋଲିସ ପାର୍ଟି ନିୟୋଜିତ ଅଛନ୍ତି । ମକ ପୋଲ ସମୟରେ ୪ଟି ବୁଥରେ ମତଦାନ ସମୟରେ ୪ଟି ବୁଥରେ ଇଭିଏମ ତ୍ରୁଟି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୪ଟା ବ୍ୟାଲଟ ୟୁନିଟ, ୩ଟା କଣ୍ଟ୍ରୋଲ ୟୁନିଟ ,୮ଟା ଭିଭିପାଟ ରିପ୍ଲେସ କରାଯାଇଛି । ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ''।