ଓଡିଶା

odisha

ଚାଷୀଙ୍କ କାଳ ସାଜିଛି ବିଦ୍ୟୁତ ସମସ୍ୟା, ଜିଲ୍ଲାପାଳ ଅଫିସ ଘେରିଲେ ବରଗଡ଼ ଚାଷୀ

By

Published : Mar 21, 2023, 7:08 AM IST

ଜୟ କିଶାନ ଆନ୍ଦୋଳନ ପକ୍ଷରୁ ବିଦ୍ୟୁତ ସମସ୍ୟା ସହିତ ବିଭିନ୍ନ ଦାବି ନେଇ ହଜାର ହଜାର ଚାଷୀ ସୋମବାର ବରଗଡ଼ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

ଜିଲ୍ଲାପାଳ ଅଫିସ ଘେରିଲେ ବରଗଡ଼ ଚାଷୀ
ଜିଲ୍ଲାପାଳ ଅଫିସ ଘେରିଲେ ବରଗଡ଼ ଚାଷୀ

ଜିଲ୍ଲାପାଳ ଅଫିସ ଘେରିଲେ ବରଗଡ଼ ଚାଷୀ

ବରଗଡ଼: ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଚାଷୀ ସୋମବାର ବରଗଡ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଚାଷୀଙ୍କ ବକେୟା ବିଦ୍ୟୁତ ବିଲ ସଂପୂର୍ଣ୍ଣ ଛାଡ କରିବା ସହିତ ପ୍ରତି ଚାଷୀ ପରିବାରକୁ ମାସିକ ୨୦୦ ୟୁନିଟ ବିଦ୍ୟୁତ ବିଲ ଛାଡ କରାଯିବା ଦାବିରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ଘେରିଥିଲେ ବରଗଡ଼ ଜିଲ୍ଲାର ଅନେକ ଚାଷୀ । ଜୟ କିଶାନ ଆନ୍ଦୋଳନ ପକ୍ଷରୁ ହଜାର ହଜାର ଚାଷୀ ସ୍ଥାନୀୟ ଗୋଶାଳା ଛକଠାରେ ଏକତ୍ରିତ ହୋଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଅଫିସ ଆଗରେ ବ୍ୟାପକ ପୋଲିସ ମୁତୟନ ରହିଥିଲେ ମଧ୍ୟ ଚାଷୀଙ୍କ ଜନ ସମୁଦ୍ର ଆଗରେ ପୋଲିସ ଛାଉଣି ଫେଲ ମାରିଥିଲା । ଆନ୍ଦୋଳନକାରୀ ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିଥିଲେ ଏବଂ ଜିଲ୍ଲାପାଳ ଅଫିସ ଭିତରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଦୀର୍ଘ ସମୟ ଧରି ଜିଲ୍ଲାପାଳ ଅଫିସ ଅଚଳ କରିବା ସହ ଅନ୍ୟ ରାଜ୍ୟ ପରି ଓଡିଶାରେ ମଧ୍ୟ ଚାଷୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ସରକାର ପ୍ରଦାନ କରନ୍ତୁ ବୋଲି ନାରାବାଜି କରିଥିଲେ । ଚାଷୀ ନେତା ଲିଙ୍ଗରାଜ, ହର ବଣିଆ ଓ ସୁଶୀଲ କୁମାର ସାହୁ ଏହି ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଚାଷୀଙ୍କୁ ସମ୍ବୋଧନ ମଧ୍ୟ କରିଥିଲେ ।

ତେବେ ଏନେଇ ଜୟ କିଶାନ ଆନ୍ଦୋଳନର ସଦସ୍ୟ ସୁଶୀଲ ସାହୁ କହିଛନ୍ତି, "ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହରିୟାଣା, ପଞ୍ଜାବ, ତାମିଲନାଡୁ, କର୍ଣ୍ଣାଟକ ଆଦି ରାଜ୍ୟରେ ରାଜ୍ୟ ସରକାରମାନେ କୃଷି ପରିବାରକୁ ବିଜୁଳି ସଂପୂର୍ଣ୍ଣ ମାଗଣା ଦେଉଛନ୍ତି । ପଞ୍ଜାବ ଓ ଦିଲ୍ଲୀ ସରକାର ପ୍ରତି ପରିବାରକୁ ମାସିକ ୨୦୦ ୟୁନିଟ ବିଜୁଳି ମାଗଣା ଯୋଗାଇ ଆସୁଛନ୍ତି । ମାତ୍ର ଓଡିଶାରେ ବିଜୁଳି ଉତ୍ପାଦନ ସତ୍ତ୍ବେ ରାଜ୍ୟ ସରକାର କୃଷକ ମାନଙ୍କୁ ଅନ୍ୟ ରାଜ୍ୟ ପରି ବିଜୁଳି ଯୋଗାଇ ନଦେବା ଦୁଃଖର ବିଷୟ । ତେଣୁ ରାଜ୍ୟ ସରକାର ମଧ୍ୟ ଅନ୍ୟ ରାଜ୍ୟ ପରି ଚାଷୀ ମାନଙ୍କୁ ବିଜୁଳି ମାଗଣାରେ ପ୍ରଦାନ କରନ୍ତୁ ଏବଂ ବିଜୁଳିର ଘରୋଇକରଣ ବନ୍ଦ କରି ପୂର୍ବପରି ସରକାର ବିଜୁଳି ବିଭାଗର ଦାୟିତ୍ଵ ବହନ କରନ୍ତୁ ।"

ତେବେ ବକେୟା ଥିବା ବିଦ୍ୟୁତ ବିଲ ସଂପୂର୍ଣ୍ଣ ଛାଡ କରିବା, ପ୍ରତି ଚାଷୀ ପରିବାରକୁ ମାସିକ ୨୦୦ ୟୁନିଟ ବିଦ୍ୟୁତ ମାଗଣାରେ ପ୍ରଦାନ କରିବା, କୌଣସି ପରିସ୍ଥିତିରେ ଫସଲ ସମୟରେ ବିଦ୍ୟୁତକାଟ କରାନଯିବା, ଲୋ-ଭୋଲଟେଜ ସମସ୍ୟା ଦୂର କରିବା, ଟ୍ରାନ୍ସଫର୍ମର ବନ୍ଦ ହେଲେ ୨୪ ଘଣ୍ଟା ମଧ୍ୟରେ ସଜାଡିବା ଏବଂ ଅର୍ଥ ପୈଠ ହୋଇଥିବା ୯୮୨୩ ଗୋଟି ନଳକୂପ ଶୀଘ୍ର ଖନନ କରାଯିବା ଆଦି ଦାବି କରିଛି ଜୟ କିଶାନ ଆନ୍ଦୋଳନ । ଏହି କୃଷକ ସଂଗଠନ ପକ୍ଷରୁ ବ୍ୟାପକ ଆନ୍ଦୋଳନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details