ବରଗଡ଼: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥିପାଇଁ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମହିଳା ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ଘୋଷଣା କରିଛନ୍ତି । ରାଜ୍ୟରେ SHG ଗ୍ରୁପ୍ର ମହିଳାଙ୍କୁ ସକ୍ରିୟ କରିବା ସହିତ ଆତ୍ମନିର୍ଭରଶୀଳ କରିବାକୁ ବିନା ସୁଧରେ ଋଣର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ମହିଳାମାନଙ୍କୁ ଋଣ ଯୋଗାଇ ଦେବା ନେଇ ଏକ ଯୋଜନା ରାଜ୍ୟ ସରକାର ପୂର୍ବରୁ କରିଥିବାବେଳେ ସାଧାରଣ ନିର୍ବାଚନ ପୂର୍ବରୁ ବିଧାୟକମାନେ ଏହି ଯୋଜନାର ପ୍ରଚାରପ୍ରସାର କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆଗେଇ ଆସିଛନ୍ତି ।
ତେବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ଏହି ଯୋଜନାକୁ ନେଇ ଆଜି ୧୫୦ରୁ ଅଧିକ SHG ଗ୍ରୁପ୍ ସହିତ ଏକ ବଡ଼ ବୈଠକ ରଖି ସାଧାରଣ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରିଦେଇଛନ୍ତି । ଆଜି ସ୍ଥାନୀୟ ବ୍ଲକ ଅଫିସ ପରିସରରେ ବରଗଡ ବ୍ଲକର ୧୫୦ରୁ ଅଧିକ SHG ଗ୍ରୁପ୍ର ମହିଳାଙ୍କୁ ନେଇ ଆୟୋଜିତ 'ବ୍ୟାଙ୍କ ଋଣ ଏବଂ ସୁଧ ଫେରସ୍ତ ବ୍ୟବସ୍ଥା' କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଧାୟକ ଦେବେଶ ଆଚାର୍ଯ୍ୟ । ବରଗଡ ବ୍ଲକରେ ରହିଥିବା ସମୁଦାୟ ୧୫୦୦ରୁ ଅଧିକ SHG ଗ୍ରୁପ୍ ରାଜ୍ୟ ସରକାରଙ୍କ ଏହି ଯୋଜନାର ଲାଭ ଉଠାଇ ପାରିବେ ବୋଲି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଜଣାଇଥିଲେ । ତେବେ ଋଣ ପରିଶୋଧ କରିବା ପରେ ଯାଇ ସୁଧ ଫେରିପାଇବେ ଏବଂ ୦% ସୁଧର ଲାଭ ଉଠାଇପାରିବେ SHG ମହିଳା ।