ଓଡିଶା

odisha

ମହାନଦୀ ଗର୍ଭରେ ଅବସ୍ଥିତ ଗାଁ, ସରକାରୀ ଯୋଜନା ଆଢ଼ୁଆଳରେ 65 ପରିବାର

By ETV Bharat Odisha Team

Published : Sep 19, 2023, 10:19 PM IST

Updated : Sep 19, 2023, 10:52 PM IST

ସରକାରୀ ଯୋଜନା ଆଢ଼ୁଆଳରେ ଗ୍ରାମବାସୀ । ନା ସେମାନଙ୍କ ପାଇଁ ଗମନାଗମନ ସୁବିଧା ଅଛି ନା ଅନ୍ୟ କୌଣସି ମୌଳିକ ସୁବିଧା ପାଇ ପାରୁଛନ୍ତି। ଏମିତି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡର କୁଦ ଗାଁ । ଅଧିକ ପଢ଼ନ୍ତୁ...

ସରକାରୀ ଯୋଜନା ଆଢ଼ୁଆଳରେ 65 ପରିବାର
ସରକାରୀ ଯୋଜନା ଆଢ଼ୁଆଳରେ 65 ପରିବାର

ସରକାରୀ ଯୋଜନା ଆଢ଼ୁଆଳରେ 65 ପରିବାର

ଅନୁଗୋଳ: ଚାରି ପଟେ ମହାନଦୀର ଅଥଳ ଜଳ ରାଶି। ମଝିରେ ଅବସ୍ଥିତ ଗାଁଟି। ବର୍ଷରେ 4 ମାସ ପାଣି ଘେରରେ ରୁହନ୍ତି ଲୋକେ। ଖରା ୪ ମାସ ନଦୀ ପାଣି ଶୁଖି ଯାଉଥିବାରୁ ବାଲିରେ ଚାଲି ଚାଲି ଗାଁ ବାହାରକୁ ଆସନ୍ତି। ବନ୍ୟା ଆସିଲେ କଥା ସରିଲା। ଅତ୍ୟନ୍ତ ଅସୁବିଧାରେ ରହିଛନ୍ତି ଗ୍ରାମବାସୀ। ନା ସେମାନଙ୍କ ପାଇଁ ଗମନାଗମନ ସୁବିଧା ଅଛି ନା ଅନ୍ୟ କୌଣସି ମୌଳିକ ସୁବିଧା ପାଇ ପାରୁଛନ୍ତି। ଏମିତି ଏକ ଗାଁ ହେଉଛି ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ର କୁଦ ଗାଁ।ଯେଉଁଠି ପହଁଚି ଥିଲା ଆମ ଇଟିଭି ଭାରତ ଟିମ ।

ମହାନଦୀ ଭିତରେ ଥିବା ଏକ କୁଦ ଉପରେ ଗାଁଟି ଥିବାରୁ ଗାଁର ନା କୁଦ ଗାଁ। ଗାଁରେ କାହିଁ କେଉଁ ଆବହମାନ କାଳରୁ ଲୋକେ ରହି ଆସୁଛନ୍ତି। ବର୍ତମାନ ୬୫ଟି ପରିବାରର ପ୍ରାୟ ୩ଶହରୁ ଅଧିକ ଲୋକ ବସବାସ କରୁଛନ୍ତି। ସେମାନଙ୍କର ମୁଖ୍ୟ ଜୀବିକା ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ । ଅଧିକାଂଶ ଲୋକ ମୂଳ ମଜୁରୀ କରି ଚଳନ୍ତି। କିନ୍ତୁ ବର୍ଷରେ 4 ମାସ ଗାଁ ବାହାରକୁ ଆସି ପାରନ୍ତି ନାହିଁ।

କାରଣ ସେମାନଙ୍କ ପାଖରେ ଡ଼ଙ୍ଗା ନାହିଁ। ପ୍ରଶାସନ ତରଫରୁ ସେମାନଙ୍କ ଯାତାୟାତ ପାଇଁ ମୋଟର ବୋଟ ଟିଏ ଦିଆ ଯାଇ ନାହି। ବିଦ୍ୟୁତ ସଂଯୋଗ ଆଦୌ ନାହିଁ। ସେମାନଙ୍କୁ ଆବଶ୍ୟକ କିରୋସିନୀ ମଧ୍ୟ ମିଳୁ ନାହିଁ। ସ୍କୁଲ ନଥିବାରୁ ପିଲାମାନେ ପାଠ ପଢିପାରୁ ନାହାନ୍ତି। ଗାଁ ବାହାରକୁ ସ୍କୁଲକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡେ। ତେଣୁ ଗମନାଗମନ ସୁବିଧା ନଥିବାରୁ ସେମାନଙ୍କର ଆର୍ଥିକ ଓ ସାମାଜିକ ଉନ୍ନତି ହୋଇ ପାରୁ ନାହିଁ। କେବଳ ବଡ଼ ବନ୍ୟା ଆସିଲେ ପ୍ରଶାସନ ତରଫରୁ ଦିନେ ଦୁଇ ଦିନ ପାଇଁ ରିଲିଫ ଦିଆ ଯାଉଛି। ତାପରେ ଆଉ କାହାର ପାଦ ପଡୁ ନାହିଁ। ନଦୀ ଭିତରେ ଥାଇ ମଧ୍ୟ ଜଳ ସେଚନ ସୁବିଧା ନାହିଁ। ଫଳରେ ଉର୍ବର ଜମି ପଡିଆ ପଡୁଛି। ଲୋକେ ଯେଉଁଭଳି କଷ୍ଟରେ ରହୁଛନ୍ତି ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ।


ଗ୍ରାମବାସୀ ପୋଲଟିଏ ପାଇଁ ବହୁବାର ସ୍ଥାନୀୟ ପ୍ରଶାସନକୁ ଗୁହାରି କରିଛନ୍ତି। ସରପଞ୍ଚଙ୍କ ଜରିଆରେ ବିକ୍ଷୋଭ ଓ ଆନ୍ଦୋଳନ କରିଛନ୍ତି। କିନ୍ତୁ ସବୁବେଳେ ସେମାନଙ୍କୁ କେବଳ ପ୍ରତିଶୃତି ମିଳିଛି। ଗତ ମାସରେ ମହାନଦୀରେ ବନ୍ୟା ଆସିଥିଲା। ଏବେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଭୋକ ଉପାସରେ ରହୁଛନ୍ତି। ବର୍ଷର ଅଧିକାଂଶ ସମୟ ଲୋକଙ୍କର ଜୀବନ ଦୁର୍ଦଶା ଭିତରେ ଗତି କରୁଛି। ସେଠାରେ ଏମିତି ଏକ ଗାଁ ଅଛି ବୋଲି ସମସ୍ତେ ଜାଣନ୍ତି। ହେଲେ ସମସ୍ୟାର ସମାଧାନ ପାଇଁ କେହି ଆଗେଇ ଆସୁ ନାହାନ୍ତି। ସ୍ଥାନୀୟ ସରପଞ୍ଚ ମଧ୍ୟ ଗାଁର ସମସ୍ୟା ଏବଂ ଲୋକଙ୍କ ଦୁର୍ଦଶା ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ନଦୀ ଭିତରେ ଏମିତି ଦୁଃଖ କଷ୍ଟରେ ଲୋକେ କେତେଦିନ ରହିଥିବେ। ତାହା ଏବେ ବଡ଼ ପ୍ରଶ୍ନ ବାଚୀ ହୋଇ ଠିଆ ହୋଇଛି। ଦିନକୁ ଦିନ ମହାନଦୀ କୁଳ ଖାଉଛି। ଗାଁର ପରିସୀମା ଛୋଟ ହେବାରେ ଲାଗିଛି। ଏବେ ଠାରୁ କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଗାଁଟି ନିଶ୍ଚିହ୍ନ ହୋଇ ଯିବାର ଆଶଙ୍କା ରହିଛି।


କୁଦ ଗାଁଟି ଏକ ରାଜସ୍ୱ ଗ୍ରାମର ମାନ୍ୟତା ପାଇଛି। ତେଣୁ ଲୋକଙ୍କ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବା ପ୍ରଶାସନର ଗୁରୁ ଦାୟିତ୍ୱ ହୋଇଥିଲେ ମଧ୍ୟ କେବେ କାହାର ପାଦ ପଡୁନାହିଁ ଗାଁରେ। ଗ୍ରାମବାସୀ କେବଳ ବିକାଶକୁ ଦେଖୁଛନ୍ତି ଓ ଶୁଣୁଛନ୍ତି। ହେଲେ ନିଜେ ବିକାଶ ଠାରୁ ବହୁତ ଦୂରରେ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ସରକାରୀ ସହାୟତା ସାତ ସପନ, ଭଙ୍ଗା ଦଦରା ଘରେ ବିତୁଛି ମାଆ ଝିଅଙ୍କ ଜୀବନ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Sep 19, 2023, 10:52 PM IST

ABOUT THE AUTHOR

...view details