କଲମ୍ବୋ:ଜାରି ରହିଥିବା ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଉତ୍କଟ ହେବାରେ ଲାଗିଛି ଖାଦ୍ୟାଭାବ । ଯାହାକୁ ନେଇ ଉଦବେଗଜନକ ତଥ୍ୟ ପ୍ରକାଶ କରିଛି ଜାତିସଂଘ । ଶ୍ରୀଲଙ୍କାରେ ବର୍ତ୍ତମାନ ପ୍ରାୟ 6.26 ମିଲିୟନ (6.26 million) ନାଗରିକ ଖାଦ୍ୟାଭାବ ବା ଖାଦ୍ୟ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି । ପ୍ରତି 10 ରୁ 3 ପରିବାର ପାଖରେ ଖାଦ୍ୟ ନିରାପତ୍ତା ନେଇ କୌଣସି ବ୍ୟବସ୍ଥା ନାହିଁ । ଜାତିସଂଘର ବିଶ୍ବ ଫୁଡ ପ୍ରୋଗ୍ରାମ (WFP) ଦ୍ବାରା ହୋଇଥିବା ଅନୁଧ୍ୟାନରେ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ଅନୁଧ୍ୟାନର ଫଳାଫଳ ଗତକାଲି (ବୁଧବାର) ପ୍ରକାଶ କରିଛି ସଂସ୍ଥା ।
ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି, ଦେଶରେ ଖାଦ୍ୟ ସାମଗ୍ରୀର ଦରଦାମରେ ଅଣାୟତ୍ତ ଦାମ ବୃଦ୍ଧି, ଇନ୍ଧନର ଉପଲବ୍ଧତା ହ୍ରାସ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଉପଲବ୍ଧତା ହ୍ରାସ ସାଙ୍ଗକୁ ଦାମ ଆକାଶ ଛୁଆଁ ହୋଇଛି । ଫଳରେ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି । ଖାଦ୍ୟ ସଙ୍କଟ ମଧ୍ୟରେ ଦେଶର ପ୍ରାୟ 61 ପ୍ରତିଶତ ପରିବାର ସେମାନଙ୍କ ସ୍ବାଭାବିକ ଜୀବନ ଶୈଳୀରେ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି । ସମାନେ ପରିବାରର ଅନ୍ୟ ଖର୍ଚ୍ଚ ମେଣ୍ଟାଇବା ପାଇଁ ସେମାନଙ୍କ ଖାଦ୍ୟର ପରିମାଣ ମଧ୍ୟ କମ କରିବା ଆରମ୍ଭ କରିଛନ୍ତି । ଫଳରେ ଆବଶ୍ୟକତା ଠାରୁ ସେମାନେ କମ ଓ ଅପୁଷ୍ଟିକର ଖାଦ୍ୟ ଖାଉଥିବା ମଧ୍ୟ ପ୍ରାକଶ କରିଛି ସଂସ୍ଥା । ଏପରିକି ପ୍ରତି 10 ରୁ 3 ପରିବାର ମାତ୍ର ଗୋଟିଏ ଓଳି ଖାଦ୍ୟ ହିଁ ଯୋଗାଡ କରିପାରୁଛନ୍ତି । ପରବର୍ତ୍ତୀ ଭୋଜନ ନେଇ ସେମାନଙ୍କ ନିକଟରେ କୌଣସି ପୂର୍ବ ପ୍ରସ୍ତୁତି ମଧ୍ୟ ନାହିଁ ।