ହାଇଦ୍ରାବାଦ: ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି ଇରାନର ସମସ୍ୟା । ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ଥମିନଥିବା ବେଳେ ନାରୀ ଶିକ୍ଷାକୁ ନେଇ ବିବାଦ ଘନେଇବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ୯୦୦ରୁ ଊର୍ଦ୍ଧ୍ବ ସ୍କୁଲ୍ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରୀଙ୍କୁ ସ୍କୁଲ ଯିବାରୁ ବଞ୍ଚିତ କରିବା ପାଇଁ ଏପରି କରାଯାଇଥିବା କୁହାଯାଉଛି । ତେବ ସ୍କୁଲ୍ଗୁଡ଼ିକରେ ଛାତ୍ରୀମାନଙ୍କୁ ବିଷ ଦିଆଯାଉଥିବା ଖବର ପ୍ରଘଟ ହେବା ପରେ ରୂଢ଼ିବାଦୀ ସରକାର ହରଡ଼ଘଣାରେ ପଡ଼ିଛନ୍ତି । ଏନେଇ ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ ଦାବି ଜୋର୍ ଧରିଥିବାବେଳେ ଘଟଣା ପାଇଁ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଦେଶର ଶତ୍ରୁମାନଙ୍କୁ ଦାୟୀ କରିଛନ୍ତି ।
ତେବେ ଦେଶର ୩୦ଟି ସ୍କୁଲରେ ପ୍ରାୟ ୯୦୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରୀ ବିଷ ଦ୍ବାରା ପିଡୀତ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩୦ରେ ଇରାନର କ୍ବମ୍ ସହରରେ ୫୦ରୁ ଊର୍ଦ୍ଧ୍ବ ସ୍କୁଲ ଛାତ୍ରୀ ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ ମିଡିଆ ରିପୋର୍ଟ ଅନୁଯାୟୀ, ଛାତ୍ରୀମାନଙ୍କର ଶରୀରରେ ବିଷର ପରିମାଣ ଦେଖିବାକୁ ମିଳିଥିଲା । ଯାହାଫଳରେ ତାଙ୍କର ଶରୀରରେ ମୁଣ୍ଡବିନ୍ଧା ଏବଂ ବାନ୍ତି ପରି ଲକ୍ଷଣ ଦେଖିବାକୁ ମିଶିଥିଲା । ତେବେ କିଛି ଦିନରେ ଝିଅମାନଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ସମାନ ଘଟଣା ଦେଶର ବିଭିନ୍ନ ସହରରେ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ୧୧ ବର୍ଷୀୟ ସ୍କୁଲଛାତ୍ରୀ ଫତେମ ରେଜାଇଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ମିଡିଆ ରିପୋର୍ଟରୁ ପ୍ରକାଶ ପାଇଛି ।