ଓଡିଶା

odisha

Turkey Election: ତୁର୍କୀର ରାଷ୍ଟ୍ରପତି ହେଲେ ଏର୍ଡୋଗାନ, ଶୁଭେଚ୍ଛା ଜଣାଇଲେ ମୋଦି

By

Published : May 29, 2023, 9:00 AM IST

Updated : May 29, 2023, 2:04 PM IST

ଶେଷ ହୋଇଛି ତୁର୍କୀ ରାଷ୍ଟ୍ରପତି ନିର୍ବାଚନ । ତୃତୀୟ ଥର ପାଇଁ ତୁର୍କୀର ରାଷ୍ଟ୍ରପତି ହେଲେ ଏର୍ଡୋଗାନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ

erdogan won turkey presidential  election
erdogan won turkey presidential election

ଅଙ୍କରା:2023 ତୁର୍କୀ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ରିସେପ ତାଇପ ଏର୍ଡୋଗାନ । ତୃତୀୟ ଥର ପାଇଁ ତୁର୍କୀର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏର୍ଡୋଗାନ । ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ତୁର୍କୀର ରାଷ୍ଟ୍ରପତି ଭାବେ କାର୍ଯ୍ୟ ଭାର ସମ୍ଭାଳିବେ ସେ । ପ୍ରତିଦ୍ବନ୍ଦୀ ଦଳର ନେତା କେମାଲ କିଲେକଡିରେଗ୍ଲୁଙ୍କୁ ପରାସ୍ତ କରି ପୁଣି ତୁର୍କୀର ରାଷ୍ଟ୍ରପତି ପଦ ହାସଲ କରିଛନ୍ତି ଏର୍ଡୋଗାନ । ଅନ୍ୟପଟେ ତୁର୍କୀ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ କରି ମୋଦି ଲେଖିଛନ୍ତି, '' ଆଗାମୀ ଦିନରେ ବିଶ୍ବ ସମସ୍ୟାକୁ ନେଇ ଆମ ଭିତରେ ଥିବା ସମ୍ପର୍କ ସହଯୋଗ ଏହି ପରି ଜାରି ରହିବ ।''

ରାଷ୍ଟ୍ରପତି ନିର୍ବାଚନ ପରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ମୋଟ ଭୋଟ 99.43 ପ୍ରତିଶତ ରହିଥିବା ବେଳେ ରିସେପ ତାଇପ ଏର୍ଡୋଗାନଙ୍କୁ 52.14 ପ୍ରତିଶତ ଭୋଟ ମିଳିଥିଲା । ସେହିପରି ପ୍ରତିଦ୍ବନ୍ଦୀ ଦଳର ନେତା କିଲେକଡିରେଗ୍ଲୁ 47.86 ପ୍ରତିଶତ ଭୋଟ ପାଇଥିଲେ । ଶେଷରେ ଏର୍ଡୋଗାନଙ୍କୁ ତୁର୍କୀର ସୁପ୍ରିମ ଇଲେକ୍ସନ କାଉସିଲ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଘୋଷଣା କରିଥିଲା ।

ସିଏନଏନ ରିପୋର୍ଟ ଅନୁଯାୟୀ, ସରକାରୀ ଭାବେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ ଏର୍ଡୋଗାନ ଇସ୍ତାନବୁଲରେ ଥିବା ତାଙ୍କ ବାସଭବନ ବାହାରେ ଏକ ବସରେ ବସି ଗୀତ ଗାଇ ବିଜୟ ଉତ୍ସବ ମନାଇଥିଲେ । ଏହାପରେ ସେ ତୁର୍କୀର ପତାକାକୁ ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ଧନ୍ୟବାଦ ଜଣାଇଥିଲେ ।

ଏର୍ଡୋଗାନ କହିଛନ୍ତି,''ରାଷ୍ଟ୍ରପତି ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମୋତେ ବିଜୟୀ କରିଥିବାରୁ ଦେଶବାସୀଙ୍କୁ ମୁଁ କୃତଜ୍ଞ ଜଣାଉଛି । ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଦେଶବାସୀଙ୍କ ନିକଟରେ ମୁଁ ଚିର ଋଣି । ସେ ଆହୁରି ମଧ୍ୟ କହିଛନ୍ତି, ଉଭୟ ମେ’ 14 ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏବଂ ମେ 28 ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନର ବିଜେତା ହେଉଛନ୍ତି ଦେଶର 85 ମିଲିଅନ ନାଗରିକ ।''

ଅନ୍ୟପଟେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବାପରେ କିଲେକଡିରେଗ୍ଲୁ ରାଜଧାନୀ ଅଙ୍କାରରେ ଥିବା ତାଙ୍କ ପାର୍ଟି ମୁଖ୍ୟାଳୟରେ ଆଲୋଚନା ସମୟରେ କହିଛନ୍ତି ତୁର୍କୀରେ ପ୍ରକୃତ ଗଣତନ୍ତ୍ର ପାଇଁ ମୁଁ ଆଗକୁ ନିର୍ବାଚନ ଲଢିବି । 69 ବର୍ଷୀୟ ଏର୍ଡୋଗାନ ପୂର୍ବରୁ 2 ଥର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ବେଳେ ତୃତୟୀ ଥର ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛି । ରାଷ୍ଟ୍ରପତି ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମେ’ 14 ତାରିଖରେ ହୋଇଥିଲା । ଏଥିରେ ଏର୍ଡୋଗାନ ବିପକ୍ଷ ଦଳ ଠାରୁ ଅଧିକ ଭୋଟ ପାଇଥିଲେ । ଏହାପରେ ମେ’ 28 ରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହୋଇଥିଲେ । ଏଥିରେ ମଧ୍ୟ ଅଧିକ ଭୋଟ ପାଇ ଆଗରେ ଥିବାରୁ ତୁର୍କୀର ସୁପ୍ରିମ ଇଲେକ୍ସନ କାଉସିଲ ଏର୍ଡୋଗାନଙ୍କୁ ବିଜୟୀ ଘୋଷଣା କରିଥିଲେ ।

Last Updated :May 29, 2023, 2:04 PM IST

ABOUT THE AUTHOR

...view details