ଓଡିଶା

odisha

‘ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସମ୍ମନ୍ବିତ ଭାବେ କାର୍ଯ୍ୟ କରିବା ଜରୁରୀ ’

By

Published : Sep 25, 2021, 1:19 PM IST

Updated : Sep 25, 2021, 8:32 PM IST

କଟକ ହାଇକୋର୍ଟ ପରିସରରେ ଆଇନ ସେବା ଭବନକୁ ଲୋକାର୍ପିତ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଅଧିକ ପଢନ୍ତୁ...

କଟକରେ  ଆଇନ ସେବା ଭବନକୁ ଲୋକାର୍ପିତ କେଲ ଜଷ୍ଟିସ ଏନ ଭି ରମଣା
କଟକରେ ଆଇନ ସେବା ଭବନକୁ ଲୋକାର୍ପିତ କେଲ ଜଷ୍ଟିସ ଏନ ଭି ରମଣା

କଟକ: କଟକରେ ଲୋକାର୍ପିତ ହେଲା ଆଇନସେବା ଭବନ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଏହି ଭବନକୁ ଲୋକାର୍ପିତ କରିଛନ୍ତି । ଆଇନ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଏହି ଭବନ ଆଇନ ସେବା ଯୋଗାଇବ । ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ମାଗଣାରେ ଓକିଲ ଯୋଗାଇବ ଏହି ଭବନ । ଆଇନ ସେବା ପ୍ରାଧିକରଣର ନିଜସ୍ୱ ବିଲ୍ଡିଂ ହେଉଛି ଆଇନ ସେବା ଭବନ।

ଆଇନ ସେବା ଭବନକୁ ଲୋକାର୍ପିତ କଲେ CJI

ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନ ବିଚାରପତି କହିଛନ୍ତି, ସାମ୍ବିଧାନିକ ଆକାଂକ୍ଷାକୁ କାର୍ଯ୍ୟକାରୀ କରିବାରେ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ସମ୍ମନ୍ବିତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ତେବେ ସମ୍ବିଧାନର ଉଭୟ ଅଙ୍ଗ ଯଦି ଏହି ପରେ ଭାବେ ଦାୟିତ୍ବ ତୁଲାନ୍ତି ତେବେ ନ୍ୟାୟିକ ବ୍ୟବସ୍ଥାକୁ ଆଇନ ପ୍ରଣୟନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାକୁ ପଡିବ ନାହିଁ ।

କଟକରେ ଆଇନ ସେବା ଭବନକୁ ଲୋକାର୍ପିତ କେଲ ଜଷ୍ଟିସ ଏନ ଭି ରମଣା

ବର୍ତ୍ତମାନ ସମୟ ତଥା ଲୋକଙ୍କ ଆବଶ୍ୟକତା ଅନୁସାରେ ଆଇନକୁ ପୁନଃସମୀକ୍ଷା କରିବା ସହ ସେଥିରେ ଆବଶ୍ୟକୀୟ ସଂସ୍କାର ଆଣିବା ପାଇଁ ପ୍ରୟାସ କରିବା ଉଚିତ । ଆଇନଗୁଡିକ ଆମର ବ୍ୟବହାରିକ ବାସ୍ତବତା ସହିତ ମେଳ ଖାଇବା ବର୍ତ୍ତମାନ ସ୍ଥିତିର ସବୁଠୁ ବଡ ଆବଶ୍ୟକତା। ଏବଂ ସଂପୃକ୍ତ ନିୟମକୁ ସରଳୀକରଣ କରିବା ସହ କାର୍ଯ୍ୟପାଳିକାକୁ ଉକ୍ତ ପ୍ରୟାସଗୁଡ଼ିକ ସହିତ ମଧ୍ୟ ଅଭ୍ଯସ୍ତ କରିବାକୁ ପଡିବ ବୋଲି ପ୍ରଧାନ ବିଚାରପତି କହିଥିଲେ ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ଆମ ନ୍ୟାୟିକ ପ୍ରକ୍ରିୟାର ଭାଷା, ପ୍ରକ୍ରିୟା, ପ୍ରଣାଳୀରେ ଜଣେ ସାଧାରଣ ନାଗରିକ ନ୍ୟାୟ ପାଇବା ଏତେଟା ସରଳ କିମ୍ବା ସହଜସାଧ୍ୟ ମଧ୍ୟ ନୁହେଁ । ଜଟିଳ ତଥା ଦୀର୍ଘକାଳୀନ ପ୍ରକ୍ରିୟା ନ୍ୟାୟ ପ୍ରଦାନରେ ବିଳମ୍ବ ଆଣେ ଓ ବ୍ୟବସ୍ଥା ଉପରେ ସାଧାରଣ ନାଗରିକର ଥିବା ଆଶାକୁ ମଧ୍ୟ ପ୍ରଭାବିତ କରେ ।

କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ସମ୍ମନ୍ବିତ ଭାବେ କାର୍ଯ୍ୟ ନୀତି ନିର୍ଦ୍ଧାରଣର ଦାୟିତ୍ବ ତୁଲାଇଲେ ନ୍ୟାୟିକ ବ୍ୟବସ୍ଥା ତାର ତର୍ଜମା ଓ ବ୍ୟାକ୍ଷାର ଦାୟିତ୍ବ ନେବ । ଏପରି ଭାବେ ଭାରତୀୟ ସମ୍ବିଧାନର ୩ ମୌଳିକ ଅଙ୍ଗ ନିଜର କାର୍ଯ୍ୟ ସମ୍ପାଦାନା କରିବା ଉଚିତ । ଯାହା ଫଳରେ ସାଧାରଣ ନାଗରିକ ଟିଏ ପ୍ରକ୍ରିୟାଗତ ପ୍ରତିବନ୍ଧକକୁ ହଟାଇ ବ୍ୟବସ୍ଥା ଠାରୁ ଆଶା ରଖିଥିବା ନ୍ୟାୟ ପାଇବାରେ ସକ୍ଷମ ହୋଇ ପାରିବ । ଯଦି ଆମେ ନ୍ୟାୟିକ ବ୍ୟବସ୍ଥା ଉପରେ ଜନ ସାଧାରଣଙ୍କ ବିଶ୍ବାସ ଅତୁଟ ରଖିବାକୁ ଚାହାନ୍ତି, ତେବେ ଆମକୁ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁସାରେ କିଛି ସଂସ୍କାରମୂଳକ ପନ୍ଥା ମଧ୍ୟ ଗ୍ରହଣ କରିବାକୁ ପଡିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ।

ତେବେ ଏହି ଭବନର ଉଦଘାଟନ କରିବାକୁ ଗତକାଲି ଠାରୁ ୨ଦିନିଆ ଓଡିଶା ଗସ୍ତରେ ଅଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଆସି ରାତି ୮ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ CJI । ଆଜି ସକାଳ ସମୟରେ ପୁରୀ ଗସ୍ତ କରି ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ କଟକ ଅଭିମୁଖେ ବାହାରିଥିଲେ । ଏହା ପରେ ହାଇକୋର୍ଟରେ ପହଞ୍ଚି ଆଜି ଆଇନସେବା ଭବନକୁ ଲୋକାର୍ପିତ କରିଛନ୍ତି ଜଷ୍ଟିସ ଏନଭି ରମଣା ।

ପ୍ରଧାନ ବିଚାରପତିଙ୍କ ସହ ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଓ ଜଷ୍ଟିସ ଭିନିତ ଶରଣ ମଧ୍ୟ ଯୋଗ ଦେଇଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଓ ହାଇକୋର୍ଟର ଅନ୍ୟ ବିଚାରପତିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ ବିଚାରପତି ଓଡିଶା ହାଇକୋର୍ଟର ଡିଜିଟାଲାଇଯେସନ ସେଣ୍ଟର ଓ ରେକର୍ଡ ରୁମ ପରିଦର୍ଶନ କରିଥିଲେ । ଏହା ପରେ ଓଡିଶା ଜୁଡିସିଆଲ ଏକାଡେମୀ ପରିଦର୍ଶନ କରି ସେଠାରେ ଏକ ସେମିନାରରେ ଯୋଗ ଦେଇଥିଲେ ପ୍ରଧାନ ବିଚାରପତି।

ଜୁଡିସିଆଲ ଏକାଡେମୀ ପକ୍ଷରୁ ପ୍ରଧାନ ବିଚାରପତି ଓ ସୁପ୍ରିମକୋର୍ଟର ଅନ୍ୟ ଦୁଇ ବିଚାରପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ପ୍ରଧାନ ବିଚାରପତି ହାଇକୋର୍ଟ ନୂଆ ବିଲ୍ଡିଂରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ହାଇକୋର୍ଟର ବିଭିନ୍ନ ବ୍ୟବସ୍ଥା ବୁଲି ଦେଖିଥିଲେ ।

କଟକରୁ ପ୍ରଭୁ କଲ୍ୟାଣ ପାଲ ଓ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 25, 2021, 8:32 PM IST

ABOUT THE AUTHOR

...view details