ଚଣ୍ଡିଗଡ: ପଞ୍ଜାବ ଅମୃତସରରେ ଥିବା ଏକ ମେଡିସିନ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅତିକମରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ବି ଫ୍ୟାକ୍ଟ୍ରି ଭିତରେ ଆଉ କିଛି ଲୋକ ନିଖୋଜ ଥିବା କୁହାଯାଉଛି । ଫଳରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅମୃତସରର ମାଜିଥା ରୋଡରେ ଥିବା ଉକ୍ତ ଫ୍ୟାକ୍ଟ୍ରିରେ ଗତକାଲି(ଗୁରୁବାର) ରାତିରେ ନିଆଁ ଲାଗିଥିଲା । ତେବେ କିପରି ଅଗ୍ନିକାଣ୍ଡ ଘଟିଲା ତାହା ଏ ଯାଏଁ ସ୍ପଷ୍ଟ ହୋଇପାରିନି ।
ସୂଚନା ଅନୁଯାୟୀ, ଗତ ରାତିରେ ସେହି ମେଡିସିନ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଥିଲା । ସେଠାରେ କାମ କରୁଥିବା କର୍ମଚାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ସେମାନଙ୍କ ପରିବାର ଲୋକେ ଚିନ୍ତିତ ହୋଇପଡିଥିଲେ । ସେମାନେ ଖୋଜାଖୋଜି କରିବାକୁ ଫ୍ୟାକ୍ଟ୍ରିରେ ପହଞ୍ଚିବା ବେଳେ ସେଠି ନିଆଁ ଲାଗି ଥିବାର ଦେଖିବାକୁ ପାଇଥିଲେ । ଏନେଇ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ନିଆଁ ଆୟତ କରାଯାଇଥିଲା ।