ଓଡିଶା

odisha

Train Mishap: 21ରେ ବାଲେଶ୍ବର ଆସିବେ ଅଶ୍ବିନୀ, ସ୍ଥାନୀୟ ବାସିନ୍ଦାଙ୍କୁ ଜଣାଇବେ କୃତଜ୍ଞତା

By

Published : Jun 16, 2023, 8:13 PM IST

ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର 2 ସପ୍ତାହ ପରେ ଜିଲ୍ଲା ଗସ୍ତ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରହିଛି ଏହି ସବୁ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ:ଓଡ଼ିଶା ବାହାନଗା ରେଳ ଦୁର୍ଘଟଣାର 2 ସପ୍ତାହ ପରେ ବାଲେଶ୍ବର ଗସ୍ତ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆସନ୍ତା 21 ତାରିଖରେ ସେ ବାଲେଶ୍ବର ଗସ୍ତ କରିବାକୁ ଥିବା ବେଳେ ଟ୍ରେନ ଦୁର୍ଘଟଣାରେ ରେଳଯାତ୍ରୀଙ୍କୁ ସହାୟତା ଯୋଗାଇଥିବା ସ୍ଥାନୀୟ ବାସିନ୍ଦାଙ୍କୁ ଭେଟି କୃତଜ୍ଞତା ଜଣାଇବେ ବୋଲି ଜଣାପଡ଼ିଛି। ଏହାସହିତ ସେହି ଦିନ ଅନ୍ତର୍ଜାତୀୟ ଯୋଗ ଦିବସ ହୋଇଥିବାରୁ ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

ଯୋଗ ଦିବସ କାର୍ଯ୍ୟକ୍ରମ ସହିତ ବାଲେଶ୍ବର ରେଳ ଦୁର୍ଘଟଣାରେ ପୀଡ଼ିତଙ୍କୁ ସାହାଯ୍ୟ କରିଥିବା ଅଧିକାରୀଙ୍କୁ ସେ ଭେଟିବେ। ସେମାନଙ୍କ ସହିତ ଥିବା ଅନେକ ଗୁରୁତ୍ବପୂର୍ଣ୍ଣ ବୈଠକରେ କେନ୍ଦ୍ର ରେଳ ମନ୍ତ୍ରୀ ସାମିଲ ହେବେ। ଏହି ବୈଠକ ମାଧ୍ୟମରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବେ। ଅନ୍ୟପଟେ ବାଲେଶ୍ବରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଅନ୍ୟ ବିଜେପି ନେତାମାନେ ମଧ୍ୟ ସାମିଲ ହେବେ ବୋଲି ଜଣାପଡ଼ିଛି। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ହେଡକ୍ବାର୍ଟରରେ ଆୟୋଜିତ ଯୋଗ ସମ୍ମିଳନୀରେ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି। ଏଥିଲାଗି ଭାରତରେ ଯୋଗ ଦିବସ କାର୍ଯ୍ୟକ୍ରମରେ ବିଜେପି ନେତାମାନେ ଅଂଶଗ୍ରହଣ କରିବେ ।

ଏହା ବି ପଢନ୍ତୁ- Renaming Nehru Memorial Museum: ଶସ୍ତା ମାନସିକତା କହି କେନ୍ଦ୍ର ଉପରେ ବର୍ଷିଲେ ଖଡ଼ଗେ

କେନ୍ଦ୍ର ରେଳମନ୍ତ୍ରୀ ବାଲେଶ୍ବର ଗସ୍ତ କରି ସ୍ଥାନୀୟ ପ୍ରଶାସନ ଓ ବାହାନଗା ବାସୀଙ୍କ ସହିତ ଆଲୋଚନା କରିବେ। ପ୍ରତିଟି ବ୍ୟକ୍ତିଙ୍କୁ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ଭାବେ ଧନ୍ୟବାଦ ଓ କୃତଜ୍ଞତା ଜଣାଇବେ ବୋଲି କହିଛନ୍ତି । ଗତ 2 ତାରିଖରେ ବାଲେଶ୍ବର ବାହାନଗା ରେଳ ଷ୍ଟେସନ ନିକଟରେ ସନ୍ଧ୍ୟା ସମୟରେ ଘଟିଥିଲା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଓ ଯଶବନ୍ତପୁର-ହାୱଡା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ମୋଟ 290ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଦୁର୍ଘଟଣାରେ ମୋଟ 1000ରୁ ଅଧିକ ଆହତ ହୋଇଥିଲେ।

ଦୁର୍ଘଟଣା ଘଟିବାର କିଛି ଘଣ୍ଟା ପରେ କେନ୍ଦ୍ର ରେଳମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ। ଦୁର୍ଘଟଣାର 51 ଘଣ୍ଟା ପରେ ରେଳ ଲାଇନ ମରାମତି କରାଯାଇ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ସେପଟେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ଲାଗି 2 ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କ ଲାଗି 50 ହଜାର ଟଙ୍କା ଘୋଷଣା କରାଯାଇଥିଲା । ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ପାଣି ଦେବାଠୁ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ହସ୍ପିଟାଲ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟରେ ଦେବଦୂତ ସାଜି ଲାଗିପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଯାହାକୁ ଦେଶ ସମେତ ବିଶ୍ବସ୍ତରରେ ମଧ୍ୟ ପ୍ରଶଂସା କରାଯାଇଥିଲା ।

ABOUT THE AUTHOR

...view details