ଓଡିଶା

odisha

Wrestlers Meet Minister: 15 ସୁଦ୍ଧା ତଦନ୍ତ ଶେଷ, 6 ଘଣ୍ଟାର ଆଲୋଚନା ପରେ ମିଳିଲା ପ୍ରତିଶ୍ରୁତି

By

Published : Jun 7, 2023, 8:07 PM IST

15 ତାରିଖ ମଧ୍ୟରେ ଶେଷ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଜାରି ରହିଥିବା ତଦନ୍ତ । 6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଅଧିକ ପଢନ୍ତୁ

6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଅନୁରାଗ ଠାକୁର, 15 ସୁଦ୍ଧା ଶେଷ ହେବ ତଦନ୍ତ
6 ଘଣ୍ଟାର ଆଲୋଚନା ପରେ ପ୍ରତିଶ୍ରୁତି ଦେଲେ ଅନୁରାଗ ଠାକୁର, 15 ସୁଦ୍ଧା ଶେଷ ହେବ ତଦନ୍ତ

ନୂଆଦିଲ୍ଲୀ:ଆସନ୍ତା 15 ତାରିଖ ମଧ୍ୟରେ ଶେଷ ହେବ କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣ ସିଂଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ ପ୍ରକ୍ରିୟା । ଆଜି ଦୀର୍ଘ 6 ଘଣ୍ଟାର ଆଲୋଚନା ପରେ କୁସ୍ତିଯୋଦ୍ଧାଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର । ମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରତିଶ୍ରୁତି ଅନୁସାରେ, ସେପର୍ଯ୍ୟନ୍ତ କୁସ୍ତିଯୋଦ୍ଧାଙ୍କ ଏହି ଧାରଣା ବନ୍ଦ ରହିବା ନେଇ ବଜରଙ୍ଗ ପୁନିଆ ସୂଚନା ଦେଇଛନ୍ତି । ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଦୀର୍ଘ 6 ଘଣ୍ଟାର ଆଲୋଚନା କରିଥିଲେ ।

ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଅନୁରାଗ 15 ତାରିଖ ସୁଦ୍ଧା କେବଳ ତଦନ୍ତ ଶେଷ ହେବା କଥା କହିଥିବା ବେଳେ କୁସ୍ତିଯୋଦ୍ଧାଙ୍କ ଦାବି ଅନୁସାରେ ବ୍ରିଜଭୂଷଣଙ୍କ ଗିରଫଦାରୀ ସମ୍ପର୍କରେ ଗୋଟିଏ ଶବ୍ଦ କହିନାହାନ୍ତି । ବ୍ରିଜଭୂଷଣଙ୍କ ଗିରଫଦାରି ଓ ପରେ ତଦନ୍ତ ଜାରି ରଖିବାକୁ କୁସ୍ତିଯୋଦ୍ଧା ପ୍ରଥମକୁ ଦାବି କରି ଆସୁଛନ୍ତି । ହେଲେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇନାହିଁ ।

ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, "ମୋ ସହ ସେମାନଙ୍କର ପ୍ରାୟ 6 ଘଣ୍ଟା ଧରି ଆଲୋଚନା ହେଲା । ଚଳିତ ମାସ 15 ତାରିଖ ସୁଦ୍ଧା ଏହି ମାମଲାର ତଦନ୍ତ ଶେଷ କରିବା ପାଇଁ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି । ଏହି ଅବଧି ମଧ୍ୟରେ ତଦନ୍ତ ଶେଷ ହୋଇ ଚାର୍ଜସିଟ ମଧ୍ୟ ଦାଖଲ ହେବ । ଜୁନ୍‌ 30 ତାରିଖରେ କୁସ୍ତି ମହାସଂଘର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ । ଏହି ମାମଲାରେ କୁସ୍ତି ମହାସଂଘରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଗଠନ ହେବ । ଯାହାର ନେତୃତ୍ବ ଜଣେ ମହିଳାଙ୍କ ଉପରେ ନ୍ୟସ୍ତ କରାଯିବ । ସେହିପରି କୁସ୍ତିଯୋଦ୍ଧାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ଏତଲା ମଧ୍ୟ ପ୍ରତ୍ୟାହାର କରାଯିବ ।"

ସେହିପରି ବ୍ରିଜଭୂଷଣ କୁସ୍ତି ମହାସଂଘର ସଭାପତି ଭାବେ 3ଟି ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି । ଏହିମାସ ଶେଷରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ସହଯୋଗୀଙ୍କୁ ନିର୍ବାଚିତ ନକରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି । ସେମାନେ ସରକାରଙ୍କ ଏହି ପ୍ରତିଶ୍ରୁତି ଗ୍ରହଣ କରିଛନ୍ତି । ଜୁନ 15 ତାରିଖ ପର୍ଯ୍ୟନ୍ତ ସେମାନେ ଧାରଣା ବନ୍ଦ ରଖିବେ ବୋଲି ସହମତି ପ୍ରକାଶ କରିଥିବା ଅନୁରାଗ ଠାକୁର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details