ନୂଆଦିଲ୍ଲୀ:ହୁହୁ ହୋଇ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଦର ଦେଶରେ ୧୦୦ ପାର ହୋଇଥିବାବେଳେ ଡିଜେଲ ଦର ୯୦ ପାର ହୋଇଛି । ବର୍ଦ୍ଧିତ ଇନ୍ଧନ ତୈଳ ଦରକୁ ନେଇ ଅତିଷ୍ଠ ହୋଇଛନ୍ତି । ଏଥିପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେହୁରା ହେଉଛନ୍ତି ଲୋକେ । ଏଭଳି କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗଛି ।
ବର୍ଦ୍ଧିତ ତୈଳ ଦରକୁ ନେଇ ବିଭିନ୍ନ ରାଜ୍ୟରେ ପ୍ରତିବାଦର ସ୍ବର ଉଠିଥିଲେ ସୁଦ୍ଧା ଏହାର କୌଣସି ପ୍ରଭାବ ପ୍ରତିଫଳନ ହେଉଥିବା ନଜର ଆସିନାହିଁ । ସେପଟେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ହେଉଥିବାରୁ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଛି । ତେବେ କେତେକ ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମତରେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ୫୦ ପ୍ରତିଶତରୁ ଅଧିକ ଟିକସ ଆଦାୟ କରୁଥିବାରୁ ପେଟ୍ରୋଲ ଦର ୧୦୦ ପାର ହୋଇଛି ।
ତେବେ ସେ ଯାହା ବି ହେଉ । ବର୍ଦ୍ଧିତ ପେଟ୍ରୋଲ ଦର ସିଧା ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇଛି । ଏଥିପାଇଁ ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟର ଆଗରେ ମୁଣ୍ଡିଆ ମାରୁଛନ୍ତି କିଛି ୟୁଜର । ଏହାର ଫଟୋ ଏବେ ଅନେକ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ୟୁଜର ଖୁବ ପସନ୍ଦ କରିବା ସହ ମଜାଦାର କମେଣ୍ଟ ଦେଉଛନ୍ତି । କିଏ କାର ଉପରେ ଶୋଇ ମୁଣ୍ଡିଆ ମାରୁଛି ତ କିଏ ତଳ ଦଣ୍ଡବତ ହୋଇ ମୋଦିଙ୍କୁ ଦର କମ କରିବାକୁ ନେହୁରା ହେଉଛନ୍ତି । କିଏ ବାଇକ ଉପରେ କିଏ ଜେସିବି ଉପରେ ଜେସିବିରେ ଛିଡ଼ା ହୋଇ ହାତ ଯୋଡ଼ି ତୈଳ ଦର କମ କରିବାକୁ ନେହୁରା ହୋଇଛନ୍ତି ।