ବଜାରରେ ନକଲି ପନିର ବିକ୍ରିକୁ ନେଇ ଆକ୍ସନ ମୋଡରେ ସ୍ୱାସ୍ଥ୍ୟ ବିଭାଗ, ଖାଉଟିଙ୍କୁ ସଚେତନ କଲେ ମନ୍ତ୍ରୀ
ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ରିପୋର୍ଟ ମନୋରଞ୍ଜନ ଶଙ୍ଖୁଆ

Published : August 25, 2026 at 7:45 AM IST
ଭୁବନେଶ୍ବର: ବଜାରରେ ନକଲି ପନିର ବିକ୍ରିକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିବା ପରେ ଏବେ ଆକ୍ସନ୍ ମୋଡ୍ରେ ସ୍ୱାସ୍ଥ୍ୟ ବିଭାଗ । ନକଲି ପନିର ସହ ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀର ଉତ୍ପାଦନ ଓ ବିକ୍ରି ଉପରେ ବିଭାଗ ପକ୍ଷରୁ କଡ଼ା ନଜର ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ସତର୍କ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା ଅନୁସାରେ ନକଲି ପନିର ସମ୍ପର୍କରେ ବିଭାଗ ପାଖରେ ପୂର୍ବରୁ ସୂଚନା ରହିଥିଲା । ଏହାକୁ ଆଧାର କରି ଗତ ୭ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ବିଶେଷକରି କେଉଁଠି ନକଲି ପନିର ପ୍ରସ୍ତୁତ ହେଉଛି, କେଉଁଠାରୁ ଏହା ବଜାରକୁ ଆସୁଛି ଏବଂ କେଉଁ ବ୍ୟବସାୟୀ ଏହାକୁ ବିକ୍ରି କରୁଛନ୍ତି, ତାହା ଉପରେ ନଜର ରଖାଯାଉଛି ।
ଗ୍ରାହକଙ୍କୁ ସଚେତନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ମଧ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଯାଞ୍ଚ ଓ ଚଢ଼ାଉ କରୁଛନ୍ତି । ସନ୍ଦେହ ଥିବା ଖାଦ୍ୟ ସାମଗ୍ରୀର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଉଛି । କେବଳ ପନିର ନୁହେଁ, ଅନ୍ୟ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ବିକ୍ରି ଉପରେ ମଧ୍ୟ ବିଭାଗର ନଜର ରହିଛି । ସାଧାରଣତଃ ଖାଦ୍ୟର ଗୁଣବତ୍ତା ଓ ନିରାପତ୍ତାକୁ ନେଇ ଏପରି ଅପମିଶ୍ରଣ ଚିନ୍ତାର କାରଣ ହୋଇଥାଏ । ତେଣୁ ବଜାରରୁ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଗ୍ରାହକମାନେ ମଧ୍ୟ ସଚେତନ ରହିବା ଆବଶ୍ୟକ । ନକଲି କିମ୍ବା ସନ୍ଦେହଜନକ ଖାଦ୍ୟ ସାମଗ୍ରୀ ସମ୍ପର୍କରେ ଅଭିଯୋଗ ମିଳିଲେ ଆଗାମୀ ଦିନରେ ମଧ୍ୟ ଯାଞ୍ଚ ଓ ଚଢ଼ାଉ ଜୋରଦାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, କଟକ ଭୁବନେଶ୍ୱର ସମେତ ରାଜ୍ୟରେ ଥିବା ଛୋଟ ବଡ ସହରରେ ନକଲି ପନିର କିଣାବିକା ଚାଲିଥିବା ନଜରକୁ ଆସିଥିଲା । ଆଗକୁ ପାର୍ବଣ ଋତୁ ଥିବାରୁ ବଜାରକୁ ବିଭିନ୍ନ ପ୍ରକାର ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ଆସିବାର ଆଶଙ୍କା ରହିଛି । ତେଣୁ ଖାଦ୍ୟ କିଣିବା ସମୟରେ ଗ୍ରାହକମାନେ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଖାଦ୍ୟ ସାମଗ୍ରୀର ମାନ, ଉତ୍ପାଦନ ତାରିଖ, ମିଆଦ ତାରିଖ ଏବଂ ପ୍ୟାକେଟ୍ରେ ଥିବା ଲେବଲ୍ ଯାଞ୍ଚ କରିବା ପରେ ହିଁ ଖାଦ୍ୟ କିଣିବାକୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ବଜାରରୁ ଛେନା ପନିର ଗାୟବ, ଚିନି ଦର ପାଇଁ ବଢିବ ମିଠା ଦର
ଏହା ମଧ୍ୟ ପଢନ୍ତୁକଟକରେ ମିଳୁଛି ସିନ୍ଥେଟିକ ପନିର, ଜବତ କଲା ସିଏମସି ସ୍ୱାସ୍ଥ୍ୟ ବିଭାଗ
ଇଟିଭି ଭାରତ, ଭୁବନେଶ୍ବର