ରାକ୍ଷୀ ପୂର୍ଣ୍ଣିମାରେ ମାଗଣା 'ଆମ ବସ' ଯାତ୍ରା; ଭୁବନେଶ୍ୱର ସମେତ 6 ସହରରେ ଦେୟ ମୁକ୍ତ ସେବା, ଖୁସି ବ୍ୟକ୍ତ କଲେ ମହିଳା
ମାଗଣାରେ 'ଆମ ବସ' ଯାତ୍ରା କରି ଖୁସ୍ ସହରୀ ମହିଳା । ସରକାରଙ୍କୁ ଦେଲେ ଧନ୍ୟବାଦ । ଦେୟମୁକ୍ତ ସେବାରେ ଉପକୃତ ହେଲେ ହଜାର ହଜାର ମହିଳା । ରିପୋର୍ଟ- ଦେବସ୍ମିତା ରାଉତ

Published : August 27, 2026 at 10:04 PM IST
ଭୁବନେଶ୍ୱର: ଆଜି ପବିତ୍ର ରକ୍ଷା ବନ୍ଧନ । ଭାଇ ଓ ଭଉଣୀର ପବିତ୍ର ସ୍ନେହ, ବିଶ୍ୱାସ ଓ ଅତୁଟ ସମ୍ପର୍କର ପର୍ବ ରକ୍ଷା ବନ୍ଧନ । ଏପଟେ ଆଜିର ଦିନରେ ମହିଳାଙ୍କୁ ଭେଟି ବା ଉପହାର ଦେଇଛନ୍ତି ରାଜ୍ୟ ସରକାର । ଆଜି ମହିଳାମାନେ 'ଆମ ବସ'ରେ ମାଗଣାରେ ଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନରେ ଆମ ବସ୍ରେ ଦେୟମୁକ୍ତ ଯାତ୍ରାର ସୁବିଧା ନେଇଛନ୍ତି ମହିଳା ।
କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ମହିଳାମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ଏଭଳି ବ୍ୟବସ୍ଥା କରିଥିବା ବେଳେ ଖୁସି ବ୍ୟକ୍ତ କରିଛନ୍ତି ଆମ ବାସରେ ଯାତ୍ରା କରୁଥିବା ମହିଳା ବା ଭଉଣୀମାନେ । ଏହା ସରକାରଙ୍କର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଗୋଟେ ଦିନର ଯାତ୍ରାର ଟଙ୍କା ବଞ୍ଚିଗଲା ବୋଲି କହିଛନ୍ତି ।
ଏପରିକି କେହି କେହି ଖୁସିରେ ଭାଇ ମାନକ ପାଇଁ ବି ଥରେ ମଗଣା ବସ ସେବା ଦେବାକୁ ଦାବି ରଖିଛନ୍ତି । ତେବେ CRUT ପକ୍ଷରୁ ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ଆଜି ଏହି ସୁବିଧା ଉପଲବ୍ଧ ରହିଛି ।
ଏହା ବି ପଢନ୍ତୁ- CRUTର ଘୋଷଣା; ରକ୍ଷା ବନ୍ଧନରେ ମହିଳାଙ୍କ ପାଇଁ ଆମ ବସ୍ ଯାତ୍ରା ମାଗଣା
ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ ।
GPS ଆଧାରିତ ବସ୍ ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି । CRUTର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ CRUTର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ ।
ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ‘ଜିରୋ ଟିକେଟ୍’ (Zero Ticket) ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ CRUT ପକ୍ଷରୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର