CRUTର ଘୋଷଣା; ରକ୍ଷା ବନ୍ଧନରେ ମହିଳାଙ୍କ ପାଇଁ ଆମ ବସ୍ ଯାତ୍ରା ମାଗଣା
ମୁଖ୍ୟମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ମହିଳା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଯାତ୍ରା ଘୋଷଣା କରିଛି CRUT । ଉପକୃତ ହେବେ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ । ରିପୋର୍ଟ:ସତ୍ୟଜିତ ରାଉତ

Published : August 26, 2026 at 11:14 PM IST
AMA BUS FREE FOR WOMAN, ଭୁବନେଶ୍ୱର: ଆସନ୍ତାକାଲି (ଗୁରୁବାର) ରକ୍ଷା ବନ୍ଧନ ପାଇଁ ମହିଳାମାନେ ଆମ ବସରେ ମାଗଣାରେ ଯାତ୍ରା କରିବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନରେ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ସୁବିଧା ଘୋଷଣା କରିଛି କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) । ମହିଳା ମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ସରକାରଙ୍କ ପ୍ରତିବଦ୍ଧତା ଦିଆଯାଇ ଏହି ନିଷ୍ପତ୍ତି ନିଆଯାଇଛି ବୋଲି CRUT ପକ୍ଷରୁ କୁହାଯାଇଛି ।
CRUT ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ରେ ଏହି ସୁବିଧା ଉପଲବ୍ଧ ହେବ । ଏହାଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ ।

GPS ଆଧାରିତ ବସ୍ ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି । CRUTର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ CRUTର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ ।
ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ‘ଜିରୋ ଟିକେଟ୍’ (Zero Ticket) ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ CRUT ପକ୍ଷରୁ ଅନୁରୋଧ କରାଯାଇଛି ।
ପବିତ୍ର ରକ୍ଷା ବନ୍ଧନ ଦିନଟିକୁ ସ୍ମରଣୀୟ କରିବା ପାଇଁ ମହିଳାମାନଙ୍କୁ ଆମ ବସ୍ ଯାତ୍ରାର ସାଥୀ କରି ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ CRUT ପକ୍ଷରୁ ଆହ୍ୱାନ କରାଯାଇଛି । ଅନ୍ୟପକ୍ଷରେ CRUT ପକ୍ଷରୁ ଏଭଳି ଘୋଷଣା ପରେ ମହିଳାମାନେ ଏହାକୁ ସ୍ଵାଗତ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ- ରାକ୍ଷୀ ପୂର୍ଣ୍ଣିମାରେ ମିଠା ମହଙ୍ଗା: ଚିନି, ଛେନା ଓ ଗ୍ୟାସ ଦର ବୃଦ୍ଧିରେ ଦୋକାନୀଙ୍କ ଚିନ୍ତା, ଗ୍ରାହକଙ୍କ ପକେଟକୁ ମାଡ
ଏହା ମଧ୍ୟ ପଢ଼ନ୍ତୁ- Rakhi Special: ଭାଇ ହାତରେ ଝଲସିବ ‘ସିଡ୍ ରାକ୍ଷୀ’; ମାଟିରେ ପଡ଼ିଲେ ଉଠିବ ଗଛ, ଦେବ ପରିବେଶ ସୁରକ୍ଷାର ବାର୍ତ୍ତା
ଇଟିଭି ଭାରତ, ଭୁବନେଶ୍ବର

