ଓଡିଶା

odisha

ETV Bharat / state

ମଠ-ମନ୍ଦିରର ସୁପରିଚାଳନା ପାଇଁ ହିନ୍ଦୁ ଦେବୋତ୍ତର ଆଇନରେ ହେବ ସଂଶୋଧନ: ଆସନ୍ତା ଅଧିବେଶନରେ ଆସିବ ବିଲ୍

ଆଇନ କମିଶନଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ, ହାଇକୋର୍ଟର ପୂର୍ବତନ ବିଚରପତି ମାନେ ଏହାର ଚିଠା ରୂପରେଖ ତିଆରି କରିଛନ୍ତି । ରିପୋର୍ଟ-ଭବାନୀ ଶଙ୍କର ଦାସ

Amendments to be made in Hindu Religious Endowments Act for better management of temples and monasteries
ମଠ-ମନ୍ଦିରର ସୁପରିଚାଳନା ପାଇଁ ହିନ୍ଦୁ ଦେବୋତ୍ତର ଆଇନରେ ହେବ ସଂଶୋଧନ: ଆସନ୍ତା ଅଧିବେଶନରେ ଆସିବ ବିଲ୍ (ETV Bharat Odisha)

By ETV Bharat Odisha Team

Published : August 24, 2026 at 8:12 PM IST

Amendments to be made in Hindu Religious Endowments Act,ଭୁବନେଶ୍ୱର: ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନରେ ହେବ ସଂଶୋଧନ । ମଠ ମନ୍ଦିରର ସୁପରିଚାଳନା ପାଇଁ ଆଇନ ସଂଶୋଧନର ଆବଶ୍ୟକତା ଅନୁଭବ କରୁଛନ୍ତି ସରକାର । ତେଣୁ ଏନେଇ ପ୍ରକ୍ରିୟା ଜୋରଦାର କରିଛି ଆଇନ ବିଭାଗ । ଆଜି ଏ ବାବଦରେ ଅନୁଷ୍ଠିତ ହୋଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରସ୍ତାବିତ ସଂଶୋଧନକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ବିଧାନସଭାର ଆସନ୍ତା ମୌସୁମୀ ଅଧିବେଶନରେ ଏହି ସଂଶୋଧନ ପ୍ରସ୍ତାବ ଆସିବ । ଆଇନ କମିଶନଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ, ହାଇକୋର୍ଟର ପୂର୍ବତନ ବିଚରପତି ମାନେ ଏହାର ଚିଠା ରୂପରେଖ ତିଆରି କରିଛନ୍ତି । ଏହାଦ୍ୱାରା ମଠ ମନ୍ଦିରର ସୁରକ୍ଷା ଓ ପରିଚାଳନା ସୁରୁଖୁରୁରେ ହୋଇପାରିବ ବୋଲି ସରକାର ଆଶାବାଦୀ ଅଛନ୍ତି ।

ମଠ-ମନ୍ଦିରର ସୁପରିଚାଳନା ପାଇଁ ହିନ୍ଦୁ ଦେବୋତ୍ତର ଆଇନରେ ହେବ ସଂଶୋଧନ: ଆସନ୍ତା ଅଧିବେଶନରେ ଆସିବ ବିଲ୍ (ETV Bharat Odisha)

ରାଜ୍ୟରେ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନମାନ ରହିଛି । ଏଥି ମଧ୍ୟରୁ ଅନେକ ମନ୍ଦିର ଓ ମଠଗୁଡ଼ିକ ବହୁ ପୁରାତନ ହୋଇଥିବାବେଳେ ଏହାର ପରିଚାଳନା ନେଇ ସ୍ପଷ୍ଟ ନିୟମାବଳୀ ନାହିଁ । ଏହି କ୍ରମରେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନର ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକ । ବୈଠକରେ ପ୍ରଚଳିତ ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ଅନୁଯାୟୀ ସଂଶୋଧନ ନେଇ ଆଲୋଚନା ହୋଇଛି । ଏଥି ସହିତ କମିଶନର, ଅତିରିକ୍ତ କମିଶନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ, ଦେବୋତ୍ତର ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଆଲୋଚନା ହୋଇଛି ।

ଆଇନ କମିଶନଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ, ହାଇକୋର୍ଟର ପୂର୍ବତନ ବିଚରପତି ମାନେ ଏହାର ଚିଠା ରୂପରେଖ ତିଆରି କରିଛନ୍ତି । (ETV Bharat Odisha)



ବୈଠକରେ ଆଇନ ସଂଶୋଧନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ପରେ ଚିଠାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଏହି ଚିଠା ପ୍ରସ୍ତୁତିରେ ଆଇନ କମିଶନଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ଏବଂ ହାଇକୋର୍ଟର ପୂର୍ବତନ ବିଚାରପତିମାନେ ସାମିଲ ହୋଇଛନ୍ତି । ସେମାନଙ୍କ ଆଇନଗତ ଅଭିଜ୍ଞତା ଓ ପରାମର୍ଶକୁ ଆଧାର କରି ସଂଶୋଧନର ରୂପରେଖ ପ୍ରସ୍ତୁତ ହୋଇଛି । ଆଇନରେ ଆବଶ୍ୟକ ସଂଶୋଧନ ଆଣି ମଠ-ମନ୍ଦିରର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁସଂଗଠିତ କରିବା ସରକାରଙ୍କ ଲକ୍ଷ୍ୟ । ଏଥିସହିତ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଓ ଏହାର ଉପଯୁକ୍ତ ପରିଚାଳନା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥାକୁ ବର୍ତ୍ତମାନର ପରିସ୍ଥିତି ଓ ଆବଶ୍ୟକତା ସହ ଖାପ ଖୁଆଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

ଆଜି ଏ ବାବଦରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତାବିତ ସଂଶୋଧନକୁ ଚୂଡାନ୍ତ ରୂପ ଦିଆଯାଇଛି । (ETV Bharat Odisha)



ଆଇନ ମନ୍ତ୍ରୀ କହିଛନ୍ତି, "ରାଜ୍ୟର ମଠ, ମନ୍ଦିର ଓ ଦେବୋତ୍ତର ସମ୍ପତ୍ତିର ସୁରକ୍ଷା ଏବଂ ସୁପରିଚାଳନାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନରେ ସଂଶୋଧନ କରାଯିବ । ବର୍ତ୍ତମାନ ସମୟର ଆବଶ୍ୟକତା ଅନୁଯାୟୀ ଆଇନକୁ ଅଧିକ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଉଛି । ଏନେଇ ଆଇନରେ ଆବଶ୍ୟକ ପରିବର୍ତ୍ତନର ଚିଠା ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ଆସନ୍ତା ବିଧାନସଭା ଅଧିବେଶନରେ ଏ ସଂକ୍ରାନ୍ତ ସଂଶୋଧନ ପ୍ରସ୍ତାବ ଆସିବ । ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ସୁପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ ।"

ମଠ-ମନ୍ଦିରର ସୁପରିଚାଳନା ପାଇଁ ହିନ୍ଦୁ ଦେବୋତ୍ତର ଆଇନରେ ହେବ ସଂଶୋଧନ: ଆସନ୍ତା ଅଧିବେଶନରେ ଆସିବ ବିଲ୍ (ETV Bharat Odisha)



ସଂଶୋଧିତ ଆଇନ ଲାଗୁ ହେବା ପରେ ମଠ ଓ ମନ୍ଦିରର ପରିଚାଳନାରେ ଅଧିକ ସ୍ୱଚ୍ଛତା, ଦାୟିତ୍ୱବୋଧ ଓ ଆଇନଗତ ସ୍ପଷ୍ଟତା ଆସିବ । ଦେବୋତ୍ତର ସମ୍ପତ୍ତିକୁ ସୁରକ୍ଷିତ ରଖିବା ସହ ଧାର୍ମିକ ଅନୁଷ୍ଠାନ ଓ ମଠ-ମନ୍ଦିରର ଦୈନନ୍ଦିନ ପରିଚାଳନାକୁ ସୁରୁଖୁରୁରେ ଚଳାଇବାରେ ନୂଆ ଆଇନଗତ ବ୍ୟବସ୍ଥା ସହାୟକ ହେବ । ବୈଠକରେ ଲ’କମିଶନର ଜଷ୍ଟିସ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିଶନର ସତ୍ୟ ନାରାୟଣ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ମନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।


ଏହା ମଧ୍ୟ ପଢ଼ନ୍ତୁ-SIR ୨୦୨୬; ଶେଷ ହୋଇଛି ଆପତ୍ତି ସମୟ, ୨୧ ସେପ୍ଟେମ୍ବରରେ ପ୍ରକାଶ ପାଇବ ଚୂଡ଼ାନ୍ତ ତାଲିକା

ଏହା ମଧ୍ୟ ପଢ଼ନ୍ତୁ-SIR 2026ରେ ପାରଦର୍ଶିତାକୁ ଗୁରୁତ୍ୱ, ପ୍ରତିଦିନ ଅପଡେଟ ହେବ ଦାବି ଆପତ୍ତି ତାଲିକା

ଇଟିଭି ଭାରତ, ଭୁବନେଶ୍ୱର