ଭୁବନେଶ୍ବର:ଓଡ଼ିଆ ଭାଷାକୁ ନେଇ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର । ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ବୟାନ ଦେଇଛନ୍ତି, "ସଙ୍କଟରେ ଓଡ଼ିଆ ଭାଷା ଓ ଅସ୍ମିତା । ଓଡ଼ିଶାର ପୁରା ଅସ୍ମିତା ଶେଷ ହେବାକୁ ଯାଉଛି । ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ମୁଁ ଭାବୁନାହିଁ ।" ଓଡ଼ିଶା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମରେ ଏଭଳି ବଡ଼ ବୟାନ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ନାପସନ୍ଦ କରି ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି,"ସାମ୍ବିଧାନିକ ପଦରେ ଅଧିଷ୍ଠିତ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏଭଳି ବକ୍ତବ୍ୟ ଆଶା କରାଯାଇନପାରେ । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାର ଦୁଇଟି ସ୍ଥାନ ଆସିଥିଲେ । ଗୋଟିଏ ହେଉଛି ସମ୍ବଲପୁର ଓ ଅନ୍ୟଟି ଚଣ୍ଡିଖୋଲ । ଉଭୟ ସ୍ଥାନରେ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସାମିଲ ହୋଇଥିଲେ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଗୋଟିଏ ସ୍ଥାନରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରମ ମିତ୍ର ଓ ଅତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧିତ କରିଥିଲେ । ଏହାର କିଛି ଦିନ ଅର୍ଥାତ ଏବେ ପ୍ରଧାନମନ୍ତ୍ରୀ କହୁଛନ୍ତି ଓଡ଼ିଶାର ଅସ୍ମିତା ବିପଦରେ ଅଛି । ପ୍ରଧାନମନ୍ତ୍ରୀଙ୍କ କେଉଁ ବକ୍ତବ୍ୟ ଠିକ ବୋଲି ଆମେ ବିଚାର କରିବା ? ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟକୁ ନେଇ ରାଜ୍ୟବାସୀଙ୍କ ପାଖରେ ଦ୍ଵନ୍ଦ୍ବ ସୃଷ୍ଟି ହୋଇଛି । ପ୍ରଧାନମନ୍ତ୍ରୀ ଏକ ସାମ୍ବିଧାନିକ ପଦ। ସେ ନିର୍ବାଚନ ପ୍ରଚାର ଅଭିଯାନରେ ସାମିଲ ହୋଇଥାଇପାରନ୍ତି । କିମ୍ବା ଗୋଟେ ଦଳର ଶୀର୍ଷ ସ୍ଥାନରେ ସେ ଥାଇପାରନ୍ତି । ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଭଳି ସାମ୍ବିଧାନିକ ପଦବୀର ଅଧିକାରୀ ହୋଇଥିବେ ସେ ସାମଗ୍ରିକ ଭାବେ ଦେଶ ତଥା ରାଜ୍ୟର ସ୍ୱାର୍ଥ ଦୃଷ୍ଟି କୋଣରୁ ମନ୍ତବ୍ୟ ଦେବା କଥା । ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟକୁ ମୁଁ ଗ୍ରହଣ କରିପାରୁନାହିଁ । କାରଣ ପ୍ରଧାନମନ୍ତ୍ରୀ ଦୁଇଟି ବିପରୀତ ଧର୍ମୀ ମନ୍ତବ୍ୟ ପ୍ରଦାନ କରିଛନ୍ତି ।"