ଓଡିଶା

odisha

ବାଙ୍ଗିରିପୋଷି ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଅନୁକମ୍ପା ରାଶି ଘୋଷଣା

By ETV Bharat Odisha Team

Published : Jan 24, 2024, 5:01 PM IST

Updated : Jan 24, 2024, 5:30 PM IST

Mayurbhanj Road Accident: ବାଙ୍ଗିରିପୋଷିରେ ଯାତ୍ରାପାର୍ଟି ଟ୍ରକ ଦୁର୍ଘଟଣା । 6 ଜଣ ପ୍ରାଣ ହରାଇଥିବା ବେଳେ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

Mayurbhanj Road Accident
Mayurbhanj Road Accident

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ । ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କରିବା ସହିତ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସୂଚନା ଅନୁସାରେ, ମୟୂରଭଞ୍ଜର ଦ୍ବାରଶୁଣି ଘାଟିରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଯାଇଥିବା ଦୁଆରଶୁଣି ଘାଟିର ଗଡ଼ାଣିଆ ରାସ୍ତାରେ ଟ୍ରକ ଓହ୍ଲାଉଥିବା ସମୟରେ ଭାରସାମ୍ୟ ହରାଇ ଟ୍ରକଟି ଘାଟି ତଳକୁ ଖସି ପଡ଼ିଥିଲା । ଯାତ୍ରାପାର୍ଟି ଧଉଳି ଗଣନାଟ୍ୟର ଲାଇଟ ଓ ସାଉଣ୍ଡ ବୋଝେଇ ହୋଇଥିବା ଏହି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ରାଇରଙ୍ଗପୁର ଉପଖଣ୍ଡ ବହଳଦା ବ୍ଲକ ବାସିଙ୍ଗି ଗ୍ରାମରେ ମକର ସଂକ୍ରାନ୍ତି ଓ ଟୁସୁ ପର୍ବ ଉପଲକ୍ଷେ ୨୦ ରୁ ୨୩ ଜାନୁଆରୀ ପର୍ଯ୍ୟନ୍ତ ଧଉଳି ଗଣନାଟ୍ୟ ଯାତ୍ରା ଚାଲିଥିଲା । ଆଜି ଯାତ୍ରାପାର୍ଟିର ସମସ୍ତ କର୍ମଚାରୀ ଗାଡ଼ି ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଫେରୁଥିବା ବେଳେ ଘାଟିରେ ଲାଇଟ ଓ ସାଉଣ୍ଡ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଦୁର୍ଘଟଣା ପରେ ଟ୍ରକ ତଳେ ଚାପି ହୋଇଯାଇଥିଲେ ଟ୍ରକରେ ରହିଥିବା ବ୍ୟକ୍ତି । ତେବେ ସୂଚନା ଅନୁସାରେ ଦୁର୍ଘଟଣା ସମୟରେ ପ୍ରାୟ 15ଜଣରୁ ଅଧିକ ବ୍ୟକ୍ତି ରହିଥିବା ବେଳେ 6ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ 11 ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ବାଙ୍ଗିରିପୋଷିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ: 6 ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହିତ ଟ୍ବିଟ କରି କହିଛନ୍ତି, "ମୟୂରଭଞ୍ଜ ବାଙ୍ଗିରିପୋଷି ନିକଟରେ ଘଟିଥିବା ମର୍ମନ୍ତୁତ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ । ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି । ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 24, 2024, 5:30 PM IST

ABOUT THE AUTHOR

...view details