ବୌଦ୍ଧ: ଚୈତ୍ରମାସରୁ ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । ସକାଳ ଓ ସନ୍ଧ୍ୟାରେ ଦଣ୍ଡ ନାଚରେ ଦୁଲୁକୁଛି ବୌଦ୍ଧ ଜିଲ୍ଲା । ଦଣ୍ଡ ନାଚର ଉନ୍ମେଷ ଭୂମିରେ ଷୋହଳ ଖାଡି ବାଦ୍ୟରେ କମ୍ପୁଛି ଗାଁ ଦାଣ୍ଡ । ଷୋହଳ ଖାଡି ପାରମ୍ପରିକ ବାଦ୍ୟ ମଧ୍ୟରେ ତେର ଭୋକ୍ତାଙ୍କ ଷୋହଳ ସୁଆଙ୍ଗ ନୃତ୍ୟ ବେଶ ଆକର୍ଷଣୀୟ ହୋଇଛି । ବିଶେଷ ଭାବରେ ଧୂଳି ଦଣ୍ଡରେ ପରିବେଷଣ ହେଉଥିବା କୃଷି ଓ କୃଷକଙ୍କ ନାଚ ଅଞ୍ଚଳର ସାମାଜିକ ଚିତ୍ରକୁ ବର୍ଣ୍ଣନା କରୁଛି ।
ଇତିହାସ ପୃଷ୍ଠା ଅବଲୋକନ କଲେ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ବେଳକୁ ମହାନଦୀର ଉଭୟ ଅଞ୍ଚଳ ଉତ୍ତର ଖିଞ୍ଜିଳି ଓ ଦକ୍ଷିଣ ଖିଞ୍ଜିଳି ମଣ୍ଡଳ ଭାବରେ ପରିଚିତ ଲାଭ କରିଥିଲା । ଏସବୁ ଅଞ୍ଚଳରେ ବୌଦ୍ଧଧର୍ମର ବେଶ ପ୍ରଭାବ ରହିଥିବା ହେତୁ ମହାନଦୀର ଦକ୍ଷିଣ ତଟବର୍ତ୍ତୀ ଅଞ୍ଚଳକୁ ବୌଦ୍ଧ ରାଜ୍ୟ ଭାବରେ ଅବିହିତ କରାଯାଇଥିଲା । ପ୍ରାୟ ଦଶମ ଶତାବ୍ଦୀରେ ବୌଦ୍ଧ ରାଜ୍ୟ ସୋମବଂଶୀ ଶାସକଙ୍କ କରାଗତ ହୋଇଥିଲା । ସୋମବଂଶୀ ଶାସକ ମାନେ ଶୈବ ଧର୍ମର ଉପାସକ ଥିବା ହେତୁ ବୌଦ୍ଧଧର୍ମକୁ ପ୍ରତିହତ ତଥା ଶୈବ ଧର୍ମର ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଦଣ୍ଡ ନାଚର ଆରମ୍ଭ କରିଥିଲେ । ପରିବର୍ତ୍ତିତ ସମୟରେ ଏହି ଦଣ୍ଡ ନାଚରେ ଅନେକ ପରିବର୍ତ୍ତନ ଆସିଥିଲା । ପ୍ରାଚୀନ କାଳରୁ ପ୍ରଚଳିତ ବୀଣାକାର,ପର୍ଭା, ଝାମୁ ନାଚ ସହିତ ଷୋହଳ ସୁଆଙ୍ଗ ନୃତ୍ୟ ଯୋଡି ହୋଇଥିଲା ।