ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ହସ୍ପିଟାଲରୁ ତାଙ୍କର ପାର୍ଥିବ ଶରୀର ପ୍ରଥମେ ସରକାରୀ ବାସଭବନରେ ପହଞ୍ଚିବା ପରେ ଶେଷ ଦର୍ଶନ କରିଛନ୍ତି ଦଳୀୟ ନେତା ଓ ବିଶିଷ୍ଟ ବ୍ୟକ୍ତି । ଏହାପରେ ଦାମୋଦରଙ୍କ ପ୍ରାର୍ଥିବ ଶରୀରରକୁ ଶେଷ ଦର୍ଶନ ପାଇଁ ବିଧାନସଭା ଓ ଶଙ୍ଖ ଭବନ ନିଆଯାଇଛି । ବିଧାନସଭା ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ସେଠାରେ ବିଭିନ୍ନ ଦଳର ବିଧାୟକ ଓ ନେତା ଶେଷ ଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେଠାରୁ ତାଙ୍କ ମୃତଦେହକୁ ଶଙ୍ଖ ଭବନ ଅଣାଯାଇଥିଲା । ଶଙ୍ଖ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଦାମଙ୍କ ମୃତଦେହରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।
ଶଙ୍ଖ ଭବନରୁ ଦାମଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମ ତଥା କର୍ମଭୂମି ଜଗତସିଂହପୁର ଜିଲ୍ଲାକୁ ନିଆଯାଉଛି । ପାରାଦ୍ବୀପ-ଏରସମା ଅଭିମୁଖେ ଯାଉଛି ପାର୍ଥିବ ଶରୀର । ପାରାଦ୍ବୀପ ଯିବା ରାସ୍ତାରେ ପ୍ରଥମେ ରଘୁନାଥପୁରରେ କିଛି ସମୟ ରହିବେ । ସେଠାରୁ ତିର୍ତ୍ତୋଲରେ କିଛି ସମୟ ରହିବା ପରେ କୁଜଙ୍ଗ ବଜାରରେ ଶେଷ ଦର୍ଶନ ଲାଗି କିଛି ସମୟ ଲାଗି ଅଟକିବ । ପାରାଦ୍ଵୀପରେ ପରିକ୍ରମା ସହିତ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟରେ ଶେଷ ଦର୍ଶନ ଲାଗି ରହିବ ପାର୍ଥିବ ଶରୀର ।