ଓଡିଶା

odisha

ରୋହିତଙ୍କ ନେତୃତ୍ବରେ ଟି୨୦ ବିଶ୍ବକପ ଦଳ; ଫେରିଲେ ଚହଲ, ରାହୁଲ ଆଉଟ୍ - TEAM INDIA FOR T20 WORLD CUP

By ETV Bharat Odisha Team

Published : Apr 30, 2024, 4:14 PM IST

Updated : Apr 30, 2024, 5:00 PM IST

Indian T20 Cricket Team : ବିସିସିଆଇ ଘୋଷଣା କଲା ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ବରେ ଖେଳିବେ ମେନ୍‌ ଇନ୍‌ ବ୍ଲୁ । ଜାଣନ୍ତୁ କାହାକୁ ମିଳିଲା ସ୍ଥାନ..

Team India Squad
Team India Squad

ହାଇଦ୍ରାବାଦ: ଟି୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ବହୁ ମାନସମନ୍ଥନ ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟି୨୦ ବିଶ୍ବକପ୍‌ ୨୦୨୪ ଖେଳିବେ ମେନ୍‌ ଇନ୍‌ ବ୍ଲୁ । ପୁଣି ଦେଖିବାକୁ ମିଳିବ ବିରାଟ କୋହଲି ସୋ' । ତେବେ ଭାରତୀୟ ଦଳକୁ ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିବାବେଳେ ସଞ୍ଜୁ ସାମସନ୍‌ଙ୍କୁ ମଧ୍ୟ ମିଳିଛି ସ୍ଥାନ । ହାର୍ଦ୍ଦିକ ପାଣ୍ଡ୍ୟା ଉପ-ଅଧିନାୟକ ପଦ ବଜାୟ ରଖିଛନ୍ତି । ତେବେ ଶୁଭ୍‌ମନ୍‌ ଗିଲ୍‌ ଓ ରିଙ୍କୁ ସିଂଙ୍କ ସମେତ ୪ ଖେଳାଳି ରିଜର୍ଭ ପ୍ଲେୟର ଭାବେ ଦଳ ସହିତ ଯାତ୍ରା କରିବେ ।

ସମସ୍ତଙ୍କ ନଜରରେ ରୋହି-ରାଟ୍‌: ସାରା ବିଶ୍ବରେ ଆଇପିଏଲ୍‌ ଫିଭର ଜାରି ରହିଥିବାବେଳେ ଏହାପରେ ଆରମ୍ଭ ହୋଇଯିବ ଟି୨୦ ବିଶ୍ବକପ୍‌ ୨୦୨୪ । ଏଥିପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ଆଜି (ମଙ୍ଗଳବାର) ଅପରାହ୍ନରେ ବିସିସିଆଇ ସଚିବ ଜୟ ଶାହ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ବୈଠକ ପରେ ଭାରତୀୟ ଦଳ ଘୋଷଣା କରାଯାଇଛି । ଏଥର ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ପୁଣିଥରେ ରୋହିତ ଶର୍ମାଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇବ । ହାର୍ଦ୍ଦିକ ପାଣ୍ଡ୍ୟା ଦଳରେ ଉପଅଧିନାୟକ ପଦ ବଜାୟ ରଖିଛନ୍ତି । ସେହିଭଳି ବିରାଟ କୋହଲିଙ୍କ ସୋ' ମଧ୍ୟ ଏହି ବିଶ୍ବକପ୍‌ରେ ପୁଣିଥରେ ଦେଖିବାକୁ ମିଳିବ ।

ଏମାନଙ୍କୁ ମିଳିଲା ସ୍ଥାନ: ବହୁ ଆଲୋଚନାର ବିଷୟ ପାଲଟିଥିଲା ଯେ, ବିସିସିଆଇ ଓ ଚୟନକର୍ତ୍ତା ୱିକେଟ୍‌କିପର ଭାବେ କାହାକୁ ବାଛିବେ । କାରଣ ଏଥର ଆଇପିଏଲ୍‌ରେ ପ୍ରାୟ ସମସ୍ତ ଭାରତୀୟ ୱିକେଟ୍‌କିପର୍‌ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଆଇପିଏଲ୍‌ ଦେଇ କ୍ରିକେଟ ମୈଦାନକୁ ଫେରିଥିବା ଋଷଭ ପନ୍ତ ଓ ସଞ୍ଜୁ ସାମସନ୍‌ଙ୍କ ଉପରେ ଭରସା ଦେଖାଇଛନ୍ତି ଚୟନକର୍ତ୍ତା । ଚୟନ ହୋଇଥିବା ଟିମ୍‌ରେ ୟୁଜବେନ୍ଦ୍ର ଚହଲଙ୍କ ନାଁ ଅଛି । ଦୀର୍ଘ ଦିନପରେ ଚହଲ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କ ସହିତ ଅନ୍ୟତମ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବ ମଧ୍ୟ ଦଳରେ ରହିଛନ୍ତି । ଆଇପିଏଲ୍‌ରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ଶିବମ ଦୁବେଙ୍କୁ ବିଶ୍ବକପ୍‌ ଖେଳିବାର ସୁଯୋଗ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଅର୍ଶଦୀପ ସିଂ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍‌ରା ଟି୨୦ ବିଶ୍ବକପ୍‌ ଦଳର ସଦସ୍ୟ ରହିଛନ୍ତି ।

ବାଦ ପଡ଼ିଲେ ରାହୁଲ: ସବୁଠାରୁ ବଡ଼କଥା ହେଉଛି କେଏଲ୍‌‌ ରାହୁଲଙ୍କୁ ବିଶ୍ବକପ୍‌ ଟିମ୍‌ରେ ସୁଯୋଗ ମିଳିନାହିଁ । ଜାରି ରହିଥିବା ଆଇପିଏଲ୍‌ ୨୦୨୪ରେ ସେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । କୁହାଯଉଥିଲା ସେ ମଧ୍ୟ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ୱିକେଟକିପର ହୋଇପାରନ୍ତି । ହେଲେ ସେଭଳି କିଛି ହେଲାନାହିଁ । ସେହିଭଳି ରିଙ୍କୁ ସିଂ ରିଜର୍ଭ ଖେଳାଳି ଭାବେ ଦଳ ସହ ରହିବେ। ଏହାଛଡ଼ା ଶୁବମନ ଗିଲଙ୍କ ବ୍ୟାଟ ଏଥର ସିଜିନରେ ଶାନ୍ତ ରହିଥିବାରୁ ତାଙ୍କୁ ମଧ୍ୟ ରିଜର୍ଭ ଲିଷ୍ଟରେ ରଖାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଖଲିଲ ଅହମ୍ମଦ, ଅଭେଶ ଖାନ୍‌ ମଧ୍ୟ ରିଜର୍ଭ ଖେଳାଳି ଭାବେ ଦଳ ସହିତ ଯାତ୍ରା କରିବେ ।

ଟି୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍‌ କିପର), ସଞ୍ଜୁ ସାମସନ୍‌ (ୱିକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜ

ଷ୍ଟାଣ୍ଡ ବାଇ: ଶୁଭମନ ଗିଲ୍‌, ରିଙ୍କୁ ସିଂ, ଖଲିଲ ଅହମ୍ମଦ, ଅଭେଶ ଖାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 30, 2024, 5:00 PM IST

ABOUT THE AUTHOR

...view details