ଲକ୍ଷ୍ମୌ:ଭାଇ ବାହାଘରରେ ଯୋଗ ଦେବାକୁ ଯାଇ ଭାଇର ମୃତ୍ୟୁ । ଉତ୍ତରପ୍ରଦେଶ ରାଜ୍ୟର ଯମୁନା ଏକ୍ସପ୍ରେସ- ଓ୍ବେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଦ୍ରୁତ ଗତିରେ ଆସି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାରେ ବରର ଭାଇ ସମେତ 5 ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରହିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ରାଜ୍ୟର ଗ୍ରେଟର ନୋଏଡାର ତିଗଡି ଅଞ୍ଚଳର ସନ୍ତୋଷଙ୍କ ଆଜି (ରବିବାର) ଦେବରିଆ ଠାରେ ବିବାହ ହେବାର ଥିଲା । ଶନିବାର ରାତିରେ ବର ସହିତ ବରଯାତ୍ରୀ ନୋଏଡାଠାରୁ 6ଟି କାରରେ ଦେବରିଆ ଯାଉଥିଲେ । ଏହି ସମୟରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲା । ସେହି ଦୁର୍ଘଟଣାଗ୍ରସ୍ତ କାରରେ 8 ଜଣ ବସିଥିଲେ । ସେମାନଙ୍କ ମଧ୍ୟରେ ବରର ଭାଇ ଗୌତମ ମଧ୍ୟ ଥିଲେ । ଗୌତମଙ୍କୁ ମିଶାଇ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଜଣେ ବରଯାତ୍ରୀଙ୍କ କହିବାନୁଯାୟୀ, ଯମୁନା ଏକ୍ସପ୍ରେସ ଓ୍ବେରେ ତୃତୀୟ ଟୋଲ ପାର କରିବା ପରେ କାରର ଗୋଟିଏ ଚକ ଫାଟି ଯାଇଥିଲା । ଯାହାପରେ କାରଟି ଅନିୟନ୍ତ୍ରିତ ହୋଇପଡିଥିଲା । ଦ୍ରୁତ ଗତିରେ ଯାଇ ରାସ୍ତାରେ ଥିବା ଏକ ଡିଭାଇଡର ସହ ପିଟି ହୋଇ ଗାଡିଟି ଓଲଟି ପଡିଥିଲା । ଫଳରେ ଦୁର୍ଘଟଣା ଘଟିଥିଲା ।
ଏହାମଧ୍ୟ ପଢନ୍ତୁ..ବାହାଘର ସାରି ଫେରୁଥିଲେ, ବରଯାତ୍ରୀ ଗାଡିକୁ ଟ୍ରକ ଧକ୍କା ଦେବାରୁ 9 ମୃତ - Road Accident