ଚଣ୍ଡିଗଡ:ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ମୁଣ୍ଡ ଟେକିଛି ଚାଷୀ ଆନ୍ଦୋଳନ । ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ଫେବୃଆରୀ 13 ତାରିଖରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଚାଷୀମାନେ 'ଦିଲ୍ଲୀ ଚଲୋ' ଡାକରା ଦେବା ସହ ବିଶାଳ ଆନ୍ଦୋଳନ କରିବାକୁ ଯାଉଛନ୍ତି । ସେପଟେ ଆନ୍ଦୋଳନ ମୁହାଁ ଚାଷୀଙ୍କୁ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଆଜିଠୁ( ରବିବାର) ଫେବୃଆରୀ 13 ତାରିଖ ଯାଏ ରାଜ୍ୟର 7 ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୀମାଗୁଡିକରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା ଅଭିଯୋଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା, କିଷାନ ମଜଦୂର ମୋର୍ଚ୍ଚା ସମେତ ଅନେକ କୃଷକ ସଂଗଠନ 13 ଫେବୃଆରୀରେ 'ଦିଲ୍ଲୀ ଚଲୋ' ଡାକରା ଦେଇଛନ୍ତି । ରାଜଧାନୀ ଦିଲ୍ଲୀରେ ବିଶାଳ ଆନ୍ଦୋଳନ କରିବା ନେଇ ଘୋଷଣା କରିଛନ୍ତି । ପଞ୍ଜାବର କୃଷକମାନେ ଟ୍ରାକ୍ଟର ରାଲି କରି ଦିଲ୍ଲୀ ଯିବା ପାଇଁ ପ୍ରଥମେ ହରିୟାଣାରେ ପ୍ରବେଶ କରିବେ । ଏହାପରେ ଦିଲ୍ଲୀ ଯିବେ । ଏହାକୁ ନଜରରେ ରଖି ଆନ୍ଦୋଳରେ ବ୍ରେକ୍ ଲଗାଇବା ପାଇଁ ହରିୟାଣା ରାଜ୍ୟର ଅମ୍ବାଲାରେ 144 ଧାରା ଲାଗୁ କରିଛନ୍ତି ସରକାର । କୃଷକମାନଙ୍କୁ ଅଟକାଇବା ପାଇଁ ପଞ୍ଜାବ ଓ ହରିୟାଣା ସୀମା ଶମ୍ଭୁ ବର୍ଡରରେ ବ୍ୟାରିକେଡ୍ ସହ ଭାରି ମାତ୍ରାରେ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ଶମ୍ଭୁ ସୀମା ଓ ହଲଦାନା ସୀମାରେ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ଏହାମଧ୍ୟ ପଢନ୍ତୁ...ପୁଣି ଦାନା ବାନ୍ଧୁଛି କୃଷକ ଆନ୍ଦୋଳନ, 26ରେ ଟ୍ରାକ୍ଟର ରାଲି !
ହରିୟାଣାରେ ଟ୍ରାଫିକ ଆଡଭାଇଜରି ଜାରି: କୃଷକ ଆନ୍ଦୋଳନକୁ ନଜରରେ ରଖି ହରିୟାଣା ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କ ନିମନ୍ତେ ଟ୍ରାଫିକ ନିୟମ ଜାରି କରାଯାଇଛି । ଅତି ଆବଶ୍ୟକ ନଥିଲେ ରାଜ୍ୟର ସମସ୍ତ ମୁଖ୍ୟ ରାସ୍ତାଗୁଡିକରେ ନଯିବାକୁ ଲୋକମାନଙ୍କୁ ପରାମର୍ଶ ଦେଇଛି ପୋଲିସ । ହରିୟାଣାରୁ ପଞ୍ଜାବ ଯିବାକୁ ସମସ୍ତ ରାସ୍ତାରେ ଯାତାୟାତ ଯଥାସମ୍ଭବ ଏଡାଇବାକୁ ପରାମର୍ଶ ଦିଆଯାଇଛି ।