Digital Dialogue: 'ଜନଜାଗରଣ ସୃଷ୍ଟି ନହେଲେ ରତ୍ନଭଣ୍ଡାର ଖୋଲାଯାଇପାରିବ ନାହିଁ'

By

Published : Jul 15, 2023, 4:21 PM IST

thumbnail

ଭୁବନେଶ୍ବର: ରତ୍ନ ଭଣ୍ଡାର କେବେ ଖୋଲିବ ? କାହିଁକି ଖୋଲୁନାହାନ୍ତି ସରକାର ? କେଉଁଠି ରହିଛି ଅସୁବିଧା ? ବିରୋଧୀଙ୍କ ଦାବି ସତ୍ତ୍ବେ କାହିଁକି ଚୁପ ରାଜ୍ୟ ସରକାର ? ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଏବଂ ଗଜପତି ମହାରାଜ ଦିବ୍ୟ ସିଂହଦେବ ରତ୍ନ ଭଣ୍ଡାର ଖୋଲାଯିବା ସପକ୍ଷରେ ମତ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ଏହି ମତକୁ କାହିଁକି ଗ୍ରହଣ କରୁନାହାନ୍ତି ? ଏହାରି ଭିତରେ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ କପି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଗଷ୍ଟ 1 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ ବିନା ଜନଜାଗରଣରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ସମ୍ଭବ ନୁହେଁ ବୋଲି ‘ଡିଜିଟାଲ ଡଏଲଗ’ରେ ଯୋଗ ଦେଇ କହିଛନ୍ତି ଓଡ଼ିଶା ନାଗରିକ ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ।  

ଏନେଇ ସେ କହିଛନ୍ତି, "ଶାସ୍ତ୍ର କହୁଛି ରତ୍ନ ଭଣ୍ଡାରର ରହସ୍ୟ ଦେବତାମାନଙ୍କୁ ମଧ୍ୟ ଜଣାନାହିଁ । ଦେବତାମାନେ ମଧ୍ୟ ଏନେଇ ଅଜ୍ଞ ରହିଛନ୍ତି । ମଣିଷ କିପରି ବା ଜାଣିବ । ତେବେ ଅତୀତରେ ରତ୍ନଭଣ୍ଡାରକୁ ଲୁଟ କରିବା ପାଇଁ 30 ଥର ଆକ୍ରମଣ ହୋଇଛି । 1358 ମସିହା ମାର୍ଚ୍ଚ 12 ତାରିଖରେ ଫିରୋଜ ଶାହା ତୋଗଲକ କରିଥିଲେ ଆକ୍ରମଣ । 1509 ମସିହାରେ ଇମମାଇଲ କାଜି ଲୁଣ୍ଠନ କରିବାକୁ ଉଦ୍ୟମ କରିଥିଲେ । 1568 ମସିହାରେ କଳାପାହଡ କରିଥିଲା ଆକ୍ରମଣ । ଯେତେବେଳେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା ସେତେବେଳେ କଳାପାହାଡ ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ 64 ମହଣ ସୁନା ଲୁଟ କରିଥିଲା । 1610 ମସିହାରେ କେଶବ ଦାସ ଭକ୍ତବେଶରେ ଆସି ଲୁଟ କରିବାକୁ ଉଦ୍ୟମ କରିଥିଲା । ଏଥିରୁ ଅନୁମାନ କରାଯାଇପାରେ ରତ୍ନ ଭଣ୍ଡାରରେ କେତେ ଦୁର୍ମୁଲ୍ୟ ଅଳଙ୍କାର ସବୁ ରହିଥିଲା । ଖାସ ସେଥିପାଇଁ ସମସ୍ତଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ରତ୍ନ ଭଣ୍ଡାର ଉପରେ ।"  

ଏହା ବି ଦେଖନ୍ତୁ- Digital Dialogue: 'କାଳ ହେଲା ବର୍ଷା, ଆଉ 15ଦିନ ଭିତରେ ସ୍ବାଭାବିକ ହେବ ପରିବା ଦର'

ସେ ଆହୁରି କହିଛନ୍ତି, "1805 ମସିହାରେ ଚାର୍ଲସ ଗ୍ରୁମସ ଯେତେବେଳେ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ରତ୍ନଭଣ୍ଡାର ଖୋଲି ଗଣନା କରିବାକୁ କହିଥିଲେ । ସେତେବେଳେ ଜଣାପଡିଥିଲା ରତ୍ନ ଭଣ୍ଡାରରେ 74 ପ୍ରକାରର ହୀରାନୀଳା ମୋତି ମାଣିକ ରହିଛି । 128 ପ୍ରକାରର ସ୍ବର୍ଣ୍ଣ ଅଳଙ୍କାର ରହିଛି । 1228 ରୌପ୍ୟ ମୁଦ୍ରା ରହିଛି । 1897 ମସିହାରେ ରତ୍ନ ଭଣ୍ଡାରର ସୁବିସ୍ତୃତ ତାଲିକା ପ୍ରକାଶ ପାଇଲା । 1926 ମସିହାରେ ମଧ୍ୟ ଗଣନା କରାଯାଇ ତାଲିକା ପ୍ରସ୍ତୁତ କରାଗଲା । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଗଣନା ହୋଇଛି 1926 ମସିହା ତାଲିକା ସହିତ ଏହାକୁ ମିଳାଗଲା ନାହିଁ । 1977 ମସିହାରେ କମିଟି ଗଠନ କରାଯାଇ 1978 ମସିହାରେ ଗଣାହେଲା ।2018 ମସିହାରେ ଚାବି ହଜିବା ପ୍ରସଙ୍ଗ ଉଠିଲା । ପୁଣି ଡୁପ୍ଲିକେଟ ଟାବି କଥା ମଧ୍ୟ ଆସିଲା । ହେଲେ ଏଯାଏଁ ରତ୍ନ ଭଣ୍ଡାର ଖୋଲାଯାଇପାରିନାହିଁ । ରତ୍ନ ଭଣ୍ଡାର ଖୋଲିବା ପାଇଁ ଯଦି କିଛି ଦରକାର ଅଛି ତା ହେଉଛି ଜନ ଜାଗରଣ ।" ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

ସାକ୍ଷାତକାର- ଲାଲ ମୋହନ ପଣ୍ଡା, ବ୍ୟୁରୋ ଚିଫ୍‌, ଇଟିଭି ଭାରତ ଓଡ଼ିଶା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.