National Games 2023: ଖୋ ଖୋରେ ଓଡ଼ିଶାକୁ ରୌପ୍ୟ ଜିତାଇଲେ ଚନ୍ଦନ, ଜନ୍ମମାଟିରେ ଭବ୍ୟ ସ୍ବାଗତ

By ETV Bharat Odisha Team

Published : Nov 10, 2023, 7:57 PM IST

thumbnail

ଢେଙ୍କାନାଳ: ଗୋଆରେ ଚାଲିଥିବା ନ୍ୟାସନାଲ ଗେମ୍ସରେ ଖୋ-ଖୋ ଖେଳରେ ଓଡିଶା ରୌପ୍ୟ ପଦକ ହାତେଇଛି । ତେବେ ଖୋ ଖୋରେ ଓଡିଶା ପାଇଁ ଏହି ସଫଳତା ପଛରେ ଢେଙ୍କାନାଳ ମାଟିର ପୁଅ ଚନ୍ଦନ ସାହୁ ବେଶ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ତାଙ୍କ ଚମତ୍କାର ପ୍ରଦର୍ଶନ ଓଡିଶାକୁ ସଫଳତା ଆଣିଦେଇଛି । ଢେଙ୍କାନାଳର ସତ୍ୟରଞ୍ଜନ ସ୍ପୋର୍ଟ୍ସ ଏକାଡେମୀର ପ୍ରଶିକ୍ଷଣ ନେଉଥିବା ଚନ୍ଦନ ଆଜି ଟ୍ରେନ୍‌ ଯୋଗେ ଢେଙ୍କାନାଳ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଖବର ପାଇ ଢେଙ୍କାନାଳ ଷ୍ଟେସନଠାରେ ସତ୍ୟରଞ୍ଜନ ସ୍ପୋର୍ଟ୍ସ ଏକାଡେମୀର କର୍ମକର୍ତ୍ତା, ପ୍ରଶିକ୍ଷାର୍ଥୀ ଓ କ୍ରୀଡ଼ାପ୍ରେମୀମାନେ ଚନ୍ଦନଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି ।

ଗୋଆଠାରେ ଚାଲିଥିବା ଏହି ନ୍ୟାସନାଲ ଗେମ୍ସରେ ଖୋ ଖୋରେ ସର୍ବ ଭାରତୀୟସ୍ତରରେ ୮ଟି ଦଳ ଭାଗ ନେଇଥିଲେ । ଫାଇନାଲରେ ଓଡିଶା ଓ ମହରାଷ୍ଟ୍ର ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଚିତାକର୍ଷକ ଏହି ମୁକାବିଲାରେ ମହାରାଷ୍ଟ୍ର ଚାମ୍ପିଆନ ହୋଇଥିଲା । ଫଳରେ ଓଡ଼ିଶାକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଓଡ଼ିଶାକୁ ମିଳିଥିବା ଏହି ପଦକ ପଛରେ ଢେଙ୍କାନାଳର ଚନ୍ଦନ ପ୍ରମୁଖ ଭୂମିକା ନେଇଥିଲେ ବୋଲି ସତ୍ୟରଞ୍ଜନ ସ୍ପୋର୍ଟ୍ସ ଏକାଡେମୀର କୋଚ୍ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ମ୍ୟାଚ୍‌ ଗୁଡି଼କ ବେଶ୍ ଚ୍ୟାଲେଞ୍ଜିଂ ଥିଲା ବୋଲି କହିଛନ୍ତି ଚନ୍ଦନ । ଆଗାମୀ ଦିନରେ ଓଡ଼ିଶାର ନାଁ ରଖିବା ସହ ଓଡିଶା ଟିମ୍‌ ସ୍ବର୍ଣ୍ଣ ପଦକ ଆଣିବ ବୋଲି ସେ ଆଶା ରଖିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ଆରକ୍ଷୀ ଅଧିକ୍ଷକ ଓ ଅନ୍ୟାନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଚନ୍ଦନକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.